ପୁରୁଣା ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବହୁ ଗଛ ଭାଙ୍ଗି ବିଦ୍ୟୁତ୍ ଲାଇନ୍ ଉପରେ ପଡ଼ିବାରୁ ତାର ଛିଡ଼ି ଯାଇଥିଲା। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଲୁଇସ୍ ରୋଡ୍ ନିକଟରେ ଦୁଇଟି ଗଛ ରାସ୍ତାରେ ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ମହତାବ ରୋଡ୍, ଅର୍ଦ୍ଧନାରୀଶ୍ବର ମନ୍ଦିର ନିକଟରେ ଓ ଖରାଖିଆ ଅଞ୍ଚଳରେ ବହୁ ନଡ଼ିଆ ଗଛ ଉପୁଡ଼ି ପଡ଼ିଥିଲା। ତାରା ସୁନ୍ଦରୀ ରୋଡ୍ରେ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ୍ ଲାଇନ୍ ଉପରେ ପଡ଼ିଥିଲା। ଦମକଳବାହିନୀ ବିଭିନ୍ନ ସ୍ଥାନରୁ ଭଙ୍ଗା ଗଛ ଡାଳ ସବୁ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ପରେ ପରେ ବିଦ୍ୟୁତ୍ କର୍ମଚାରୀମାନେ ବିଦ୍ୟୁତ୍ ତାର ପୁନଃସଂଯୋଗ କରିବା ପରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଥିଲା। କିନ୍ତୁ ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ବହୁ ଅଞ୍ଚଳରେ ବିଦ୍ୟୁତ୍ ସେବା ପହଞ୍ଚି ପାରିନଥିଲା।
/sambad/media/post_attachments/wp-content/uploads/2020/05/balipatana-3-300x185.jpg)
ଉପୁଡ଼ିଲା ବିଦ୍ୟୁତ୍ ଖୁଣ୍ଟ, ସେବା ବ୍ୟାହତ
ବାଲିଅନ୍ତା : କାଳବୈଶାଖୀ ପ୍ରଭାବରେ ବାଲିଅନ୍ତା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ବିଦ୍ୟୁତ ବିଭାଗର ବିପୁଳ କ୍ଷୟକ୍ଷତି ଘଟିଛି। ଶହ ଶହ ଖମ୍ବ ଉପୁଡ଼ି ପଡ଼ିଥିବାରୁ ଏହି ବ୍ଲକର ବହୁ ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ସେହିଭଳି ଏହି କାଳବୈଶାଖୀ କୁକୁଡ଼ା, ପାରା ଓ ଚିମିରିଙ୍କ ପାଇଁ କାଳ ସାଜିଥିବା ଦେଖିବାକୁ ମିଳିଛି। କ୍ଷତିଗ୍ରସ୍ତ ଫାର୍ମ ଭିତରେ ହଜାର ହଜାର କୁକୁଡ଼ା ମରି ଯାଇଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ ପାରା ଓ ଚିମିରି ଭଳି ପକ୍ଷୀମାନେ ବିଭିନ୍ନ ସ୍ଥାନରେ ମରି ପଡ଼ିଥିବା ଦେଖିବାକୁ ମିଳିଛି।
ବାଲିପାଟଣା ବିଦ୍ୟୁତ୍ ସେକ୍ସନ ଅଧୀନରେ ପାଖାପାଖି ୨୦୦ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି। ଫଳରେ ଉକ୍ତ ସେକ୍ସନ୍ ଅଧୀନରେ ଥିବା ଶହ ଶହ ଗାଁ ଅନ୍ଧାରରେ ରହିଥିବା ଜଣାପଡ଼ିଛି। ଭାଙ୍ଗି ପଡ଼ିଥିବା ୩୩ କେଭି, ୧୧ କେଭି ଓ ଏଲ୍ଟି ଲାଇନ୍ ଖୁଣ୍ଟ ସଳଖ କରାଯାଇପାରିନାହିଁ। ସେହିଭଳି ଛିଡ଼ି ପଡ଼ିଥିବା ତାର ଯୋଡ଼ା ଯାଇ ନଥିବାରୁ ବିଦ୍ୟୁତ୍ ଯୋଗାଣ ସମ୍ଭବପର ହୋଇନଥିବା ସହକାରୀ ଯନ୍ତ୍ରୀ ମଦନମୋହନ ଜେନା କହିଛନ୍ତି। ବୁଦ୍ଧିପଡ଼ା ବଜାର ରାସ୍ତାରେ ଏକାଧିକ ଏଲ୍ଟି ଲାଇନ୍ ବିଦ୍ୟୁତ୍ ଖୁଣ୍ଟ ରାସ୍ତାରେ ଶୋଇ ପଡ଼ିବା ଯୋଗୁଁ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବାଳକାଟି ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ଗଡ଼କଣ୍ଟୁଣିଆ ଦାରୁପୀଠ ନିକଟରେ ୩ଟି ୧୧କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିଲା। ଏହାଛଡ଼ା ଏହି ସେକ୍ସନର ବିଭିନ୍ନ ସ୍ଥାନରେ ଆଉ ୩୭ଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି ବୋଲି ସହକାରୀ ଯନ୍ତ୍ରୀ ତନ୍ମୟ ପୃଷ୍ଟି ସୂଚନା ଦେଇଛନ୍ତି।
ଅପରପେକ୍ଷ ବାଳକାଟି-ବାଲିପାଟଣା ମୁଖ୍ୟରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଚାକୁଣ୍ଡା ଗଛର ଡାଳ ଭାଙ୍ଗି ପଡ଼ିବାରୁ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କାଳବୈଶାଖୀ କିଛି ଲୋକଙ୍କର କର୍ମସଂସ୍ଥାନ ଉଜାଡ଼ି ଦେଇଛି। ବହୁ କୁକୁଡ଼ା ଫାର୍ମ ଭାଙ୍ଗି ଚୂର୍ମାର୍ ହୋଇଯାଇଛି। ଅଧିକାଂଶ କୁକୁଡ଼ା ଫାର୍ମ ଭିତରେ ପାଣି ଜମିଯିବା ଯୋଗୁଁ ୭୦୦୦ରୁ ଅଧିକ ସଂଖ୍ୟକ କୁକୁଡ଼ାଙ୍କର ମୃତ୍ୟୁ ଘଟିଥିବା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତରେ ୫ଟି ପାନବରଜ ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ଚାଷୀଙ୍କ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଅନେକ ଲୋକଙ୍କ ଘରର ଆଜବେଷ୍ଟସ ଓ ଟିଣ ଚାଦର ଉଡ଼ିଯାଇଛି। ଶତାଧିକ ଦୋକାନ ଉପରୁ ଛପର ଉଡ଼ିଯାଇଛି ଓ ବର୍ଷା ପାଣି ପଶି ଦୋକାନ ନଷ୍ଟ ହୋଇ ଯାଇଛି।
/sambad/media/post_attachments/wp-content/uploads/2020/05/balipatana-4-300x140.jpg)
ଜଳବନ୍ଦୀ ହେଲା ନନ୍ଦନବିହାର
କାଳବୈଶାଖୀ ପାଇଁ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳର ବିଭିନ୍ନ ତଳିଆ ବସ୍ତି ଅଞ୍ଚଳରେ ଝୁମ୍ପୁଡ଼ି ଘରର ଛପର ଉଡ଼ି ଯାଇଛି। ଫଳରେ ଝୁମ୍ପୁଡ଼ିରେ ମୁଣ୍ଡ ଗୁଞ୍ଜିଥିବା ଶହ ଶହ ଲୋକ ଆଜି ବଡ଼ ହନ୍ତସନ୍ତ ହୋଇଥିଲେ। ପିଲାଛୁଆଙ୍କୁ ଧରି ସେମାନେ ଆଜି ଦିନ ସାରା ରାସ୍ତା କଡ଼ରେ ଆଶ୍ରୟ ନେଇଥିଲେ। ନନ୍ଦନବିହାର ଅଞ୍ଚଳରେ ନିର୍ମାଣାଧୀନ ଡ୍ରେନ୍ ଜାମ୍ ହୋଇଯିବାରୁ ବର୍ଷା ପାଣି ଲୋକଙ୍କ ଘରେ ପଶି ଯାଇଥିଲା। ଫଳରେ ଏହି ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ହୋଇପଡ଼ିଥିଲା।
୩ ମାସ ପୂର୍ବେ ନନ୍ଦନବିହାର ଡ୍ରେନ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କାମ ଅଧାରେ ଥିବା ବେଳେ କରୋନା କଟକଣା ଲକ୍ଡାଉନ୍ ପାଇଁ ନିର୍ମାଣ କାମ ଅଧାରେ ଅଟକି ଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ହେବା ପରିବର୍ତ୍ତେ ପୁଣି କଲୋନିମୁହାଁ ହେଉଛି। ଗତକାଲି କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁଁ ଉକ୍ତ ଡ୍ରେନ୍ରେ ପାଣି ବାହାରକୁ ଯିବା ବଦଳରେ କଲୋନିରେ ପଶିଥିଲା। ଫଳରେ ସକାଳେ ଲୋକେ ଘରୁ ବାହାରିବା ପାଇଁ ସମସ୍ୟାରେ ପଡ଼ିଥିଲେ। ବର୍ଷାଦିନ ନିକଟତର ହୋଇଛି। ଖୁବ୍ ଶୀଘ୍ର ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। ତେଣୁ ତୁରନ୍ତ ଡ୍ରେନ୍ କାମ ନ ସରିଲେ, ଚଳିତ ବର୍ଷ ନନ୍ଦନବିହାରବାସୀ ହନ୍ତସନ୍ତ ହେବା ନିଶ୍ଚିତ ବୋଲି ଜଳଜଳ ଦେଖାଗଲାଣି।
/sambad/media/post_attachments/wp-content/uploads/2020/05/balipatana-300x141.jpg)
ମାଟିରେ ଲୋଟିଲା ପାନବରଜ, ଉଡ଼ିଗଲା ଛପର
ବାଲିପାଟଣା : ଗୁରୁବାର ରାତି ଶେଷ ପହରରେ ମାଡ଼ି ଆସିଥିବା କାଳବୈଶାଖୀ ବାଲିପାଟଣାରେ ତାଣ୍ଡବ ରଚିଥିଲା। ଶହଶହ ପାନ ବରଜ ମାଟିଲେ ଲୋଟି ପଡ଼ିଥିବାବେଳେ କୁକୁଡ଼ା ଫାର୍ମଗୁଡ଼ିକର ଟିଣ ଓ ଚାଳ ଛପର ଉଡ଼ି ଯାଇଥିଲା। ବହୁ ଦୋକାନ ଘର ଭାଙ୍ଗି ଚୂରମାର୍ ହୋଇ ଯାଇଛି। ଫଳରେ ଚାଷୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି ଓ କୋଟି କୋଟି ଟଙ୍କାର କ୍ଷୟ କ୍ଷତି ହୋଇଥିବା ଆକଳନ କରାଯାଇଛି। ବାଲିପାଟଣା ବ୍ଲକର ୧୭ଟି ଯାକ ପଞ୍ଚାୟତରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ମଝିହରା, ପମ୍ପାଲୋ, ନରିଶୋ, ଦେଉଳିଧରପୁର, କୁରଞ୍ଜିପୁର, ତୁରିନ୍ତିରା ଆଦି ଅଞ୍ଚଳରେ ଶହ ଶହ ପାନବରଜ ମାଟିରେ ଲୋଟି ପଡ଼ିଛି। ୧୦ରୁ ଅଧିକ ୩୩ କେଭି ବିଦ୍ୟୁତ୍ ଟାୱାର ଓ ଶତାଧିକ ୧୧ କେଭି ଖମ୍ବ, ଏଲ୍ଟି ଖମ୍ବ ତଳେ ଶୋଇପଡ଼ିଛି। ଫଳରେ ବାଲିପାଟଣାର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ଅଛି। ମାର୍ଥାପୁର ପଞ୍ଚାୟତର ଜନାର୍ଦ୍ଦନ ପାତ୍ରଙ୍କ କୁକୁଡ଼ା ଫାର୍ମ ଫନି ବାତ୍ୟାରେ ଭାଙ୍ଗି ଯାଇଥିଲା। ଧାର କରଜ କରି ସେ ଫାର୍ମ ପୁନରୁଦ୍ଧାର କରିଥିଲେ। ମାତ୍ର ଏଥର କାଳବୈଶାଖୀ ପୁଣି ଫାର୍ମକୁ ମାଟିରେ ମିଶେଇ ଦେଲା। ଜନାର୍ଦନଙ୍କ ଭଳି ବହୁ ଚାଷୀ ଅନୁରୂପ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଆଉ ଅଣ୍ଟା ସଳଖିବା କଷ୍ଟକର ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/balianta-2-3.jpg)