ଭୁବନେଶ୍ବର: ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ହେବ। ଲୋକକଳାଗୁଡ଼ିକୁ ବଞ୍ଚାଇ ରଖିବାକୁ ଗୁରୁ ଚିହ୍ନଟ ହେବେ। ଗୁରୁମାନେ ଶିଷ୍ୟ ଗଢ଼ିବେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଲୋକକଳାଗୁଡ଼ିକର ଅଧିକ ପ୍ରଚାରପ୍ରସାର ସହ ମଞ୍ଚ ପ୍ରଦର୍ଶନ ନିଶ୍ଚିତ କରିବ। ଫଳରେ ପରପିଢ଼ି ପାଇଁ ଆମ ଲୋକକଳା ଆଉ ଲୁପ୍ତ ନହୋଇ ଲୋକପ୍ରିୟ ହେବ। ଏନେଇ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘କଳାକାର ଗୌରବ ନିଧି ଯୋଜନା’ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଲୁପ୍ତପ୍ରାୟ ଲୋକକଳାର ଗୁରୁମାନଙ୍କୁ ମାସିକ ୧୦ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସୂଚନା ଦେଇଛନ୍ତି। 

Advertisment

ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକକଳା ରହିଥିବା ବେଳେ ୬୦ ପାଖାପାଖି ଲୋକକଳା ପ୍ରାୟ ଲୁପ୍ତ ଅବସ୍ଥାକୁ ଚାଲିଗଲାଣି। ଏହି ଲୋକକଳାଗୁଡ଼ିକୁ ପ୍ରଥମେ ଚିହ୍ନଟ କରି ଏହାର ତାଲିକା ପ୍ରସ୍ତୁତ ହେବ। ଏହି ଯୋଜନା ଜରିଆରେ ପ୍ରଥମେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ ହେବ। ଲୁପ୍ତପ୍ରାୟ ଲୋକକଳାଗୁଡ଼ିକର ଅଡିଓ, ଭିଡିଓ ଓ ଭର୍ଚୁଆଲ୍‌ ରିଅଲିଟି ଲୋକକଳା ବିଶେଷଜ୍ଞ କମିଟି ଦ୍ବାରା ପ୍ରସ୍ତୁତ ହେବ। କମିଟିରେ ଲୋକକଳା ସମ୍ପର୍କରେ ଗବେଷଣାରତ ଗବେଷକଙ୍କ ସମେତ ଲୋକକଳା ଗୁରୁ, ବିଭିନ୍ନ ଜିଲ୍ଲାର ଲୋକକଳା ମଣ୍ଡଳୀର ମୁଖିଆମାନେ ରହିବେ।

ସଙ୍ଗୀତ ନାଟକ ଏକାଡେମୀ ଗୁରୁଙ୍କୁ ଦେବ ମାସିକ ୧୦ ହଜାର ଟଙ୍କା

ସେମାନେ ଲୁପ୍ତପ୍ରାୟ ଲୋକକଳାକୁ ଚିହ୍ନଟ କରି ତାହାର ପ୍ରକୃଷ୍ଟ ଗୁରୁଙ୍କୁ ବି ଚିହ୍ନଟ କରି ନାମ ପ୍ରସ୍ତାବ କରିବେ। ଏହି ଗୁରୁମାନଙ୍କୁ ଏକାଡେମୀ ପକ୍ଷରୁ ମାସିକ ୧୦,୦୦୦ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବ। ଗୁରୁମାନେ ଶିଷ୍ୟ ସୃଷ୍ଟିରେ ନିୟୋଜିତ ରହିବେ। ପ୍ରତିବର୍ଷ କିଛି କିଛି ଶିଷ୍ୟକୁ ଉକ୍ତ ଲୋକକଳାଗୁଡ଼ିକ ଶିକ୍ଷା ଦେଇ ଭିନ୍ନ ଭିନ୍ନ ଲୋକକଳା ପାଇଁ ଭିନ୍ନ ଭିନ୍ନ ଦଳ ଗଠିତ ହେବ।

ଏହି ଦଳଗୁଡ଼ିକ ଏକାଡେମୀ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ କରିବେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସାଂସ୍କୃତିକ ଦଳରେ ମଧ୍ୟ ସାମିଲ ହେବେ। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଉତ୍ସବ ଓ ସମାରୋହରେ କଳା ପ୍ରଦର୍ଶନ କରିବା ଦ୍ବାରା ସେହି ଲୋକକଳାଗୁଡ଼ିକର ପୁନରୁଦ୍ଧାର ହେବା ସହ ଧୀରେ ଧୀରେ ଗୁରୁ-ଶିଷ୍ୟ ପରମ୍ପରାରୁ ଅଧିକରୁ ଅଧିକ ଲୋକକଳା ଶିଷ୍ୟ ଓ ଦଳ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ। ଏନେଇ ସଂସ୍କୃତି ବିଭାଗରେ ଏକ ବୈଠକ ବସିଥିବା ବେଳେ ଏହି ଯୋଜନା ପା‌ଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାର ମହାନ ଲୋକକଳାଗୁଡ଼ିକର ପୁନରୁଦ୍ଧାର ହେବ। ଏହାସହ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ସହ ଜଡ଼ିତ କଳା, ‌ସଂସ୍କୃତି ଓ ଐତିହ୍ୟକୁ ବି ପୁନର୍ଜୀବିତ କରାଯାଇପାରିବ। କଳାକାରମାନେ ରୋଜଗାର ପାଇବା ସହ ଗୁରୁମାନେ ସମ୍ମାନିତ ହୋଇପାରିବେ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି।