କଳାକୃତିର ରକ୍ଷଣା ବେକ୍ଷଣ ଅଭାବ : ଉଦ୍‌ଘାଟନ ପୂର୍ବରୁ ବିକୃତ

ଭୁବନେଶ୍ବର : ଗାଡ଼ି ପାର୍କିଂ ହେଉଥିଲା। ବୁଲା ବିକାଳୀ ପାଇଖାନା କରିଥିଲେ। କଡ଼ରେ ଯିବା ବେଳେ ଦୁର୍ଗନ୍ଧ‌ ଏମିତି ହେଉଥିଲା ଯେ, ନାକରେ ହାତ ଦେବାକୁ ପଡ଼ୁଥିଲା। ଏଭଳି ଏକ ସ୍ଥିତିରୁ ବର୍ତ୍ତିବା ପାଇଁ ଏନ୍‌ଏଚ୍‌ଏଆଇ ପ୍ରସ୍ତୁତ କରିଥିଲା ଯୋଜନା। ତିନିମାସରେ ଏଠାରେ ଛିଡ଼ା ହେଲା ‘ ଜଳ ଓ ନିରନ୍ତର ବିକାଶ’ ଚିନ୍ତାଧାରା ନେଇ ବିଶ୍ବର ପ୍ରଥମ ମ୍ୟୁଜିୟମ। ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା ଏହାକୁ ଦେଲେ ଏକ ଭିନ୍ନ ରୂପ। ହେଲେ ଉଦ୍‌ଘାଟନ ପୂର୍ବରୁ ବିକୃତ ହୋଇଗଲା ଏହି କଳାକୃତି। କଳାକୃତି ଉପରେ ଅନାବନା ଗଛ ଲଟେଇଲାଣି। କେଉଁଠି ଲମ୍ବା ଲମ୍ବା ଘାସ କଳାକୃତିକୁ ହଜାଇ ଦେଲାଣି। କେ‌ତେକରେ କଳଙ୍କି ଲାଗିବା ଆରମ୍ଭ ହେଲାଣି। ଆଉ କିଛି ଦିନ ଏଭଳି ଯତ୍ନ ଅଭାବରେ ପଡ଼ିରହିଲେ ହୁଏତ ଉଦ୍‌ଘାଟନ ହେବାକୁ ଏହାର ସ୍ଥିତି ରହିବନି। ଆମେ କହୁଛୁ ସହରର ପ୍ରବେଶପଥ ରସୁଲଗଡ଼ ଛକର ଏଇ କଳାକୃତି କଥା ଯାହା ବିକୃତ ହୋଇଯାଇଛି ରକ୍ଷଣାବେକ୍ଷଣ ଅଭାବରୁ।

ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍‌ ତଳ ଏଭଳି ଅବହେଳିତ ହୋଇପଡ଼ି ରହିଥିଲା। ଏଠାରେ ଭଙ୍ଗାଗାଡ଼ି ପଡ଼ି ରହିବା ସହ କେତେକ ଗାଡ଼ି ପାର୍କିଂ ହେଉଥିଲା। ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଏନ୍‌ଏଚ୍‌ଏଆଇ ଏହାକୁ ଡେଭଲପ୍‌ କରିବା ପାଇଁ ଚିନ୍ତା କରିଥିଲା। ଏହି ଦାୟିତ୍ବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦିଆଯାଇଥିଲା। ସଂସ୍ଥା ପକ୍ଷରୁ ପ୍ରସିଦ୍ଧ ଶିଳ୍ପୀ ମାନବ ଗୁପ୍ତାଙ୍କ ସହ ଯୋଗାଯୋଗ କରା ଯାଇଥିଲା। ‘ଜଳ ଓ ନିରନ୍ତର ବିକାଶ’ର ଚିନ୍ତାଧାରା ନେଇ ସେ କେବଳ ସ୍କ୍ରାପ୍‌ ବ୍ୟବହାର କରି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହା ଜଳ ଉତ୍ସର ପୁନର୍ବିନିଯୋଗର ବାର୍ତ୍ତା ଦେଉଥିଲା। ଗତ ବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା କାମ ତିନିମାସ ଲାଗିଥିଲା। ଗତ ଫନି ବାତ୍ୟାରେ ମଧ୍ୟ ୨୦ ଫୁଟ୍‌ ଉଚ୍ଚାର ଏହି କଳାକୃତି ନଷ୍ଟ ହୋଇନଥିଲା।

ଗତ ବର୍ଷ ଜୁନ୍‌ମାସରୁ ଏହାର ନିର୍ମାଣ ସରିଥିଲା। ‘ପବ୍ଲିକ୍‌ ଆର୍ଟ’ ନାମରେ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିବାକୁ ଆନୁଷ୍ଠାନିକ ଭାବରେ ଏହାର ଉଦ୍‌ଘାଟନ ହେବାର ଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ହେଲେ କ’ଣ ହେଲା କେଜାଣି ଗୋଟିଏ ବର୍ଷ ବିତି ଯାଇଥିଲା। ବର୍ଷେ ଧରି ଏହାକୁ ରକ୍ଷଣାବେକ୍ଷଣ କରାଗଲା ନାହିଁ। ଫଳରେ ଜାଗାଟି ଜଙ୍ଗଲିଆ ହୋଇଗଲା। ଆଲୋକୀକରଣ ନ ହେବାରୁ ଜାଗାଟି ରାତିରେ ଅନ୍ଧାର ହୋଇପଡ଼ି ରହିଲା। ଗୋଟିଏ ବର୍ଷ ଧରି ଏହାର ଯତ୍ନ ନିଆଯାଇ ଥିବା ବେଳେ କର୍ତ୍ତୃପକ୍ଷ ଏବେ କରୋନାର ‌ଆଳ କରିଛନ୍ତି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ପାଇଁ ଶ୍ରମିକ ମିଳୁନଥିବାରୁ ଏହାକୁ ସଫା କରାଯାଇ ନାହିଁ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସଫେଇ ଦିଆଯାଇଛି।

ସମ୍ବନ୍ଧିତ ଖବର