ଖଣ୍ଡଗିରି: ମିଞ୍ଜିମିଞ୍ଜି ଆଲୁଅ ଭିତରେ ପାଣି ସହିତ ତାଳଦେଇ ବାଜିବ ଗୀତ। ବିଭିନ୍ନ ରଙ୍ଗର ଚିକିମିକି ଲାଇଟ୍ ସାଙ୍ଗକୁ ପ୍ରାକୃତିକ ନଈକୂଳରେ ଚାଲିବାର ମଜା ପାଇବେ ଲୋକେ। କେବଳ ସେତିକି ନୁହେଁ, ମିସାଇଲ୍ ମଣିଷ କଲାମ୍ଙ୍କର ବିଷୟରେ ଅଧିକ ଜାଣିବାକୁ ଲାଇବ୍ରେରୀ ହେବ। ଅବସର ବିନୋଦନ ପାଇଁ ଏଭଳି ଉତ୍ତମରୁ ଉତ୍ତମ ବ୍ୟବସ୍ଥା ଯୋଗାଇଦେବା ପାଇଁ ୨କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ କେ-୮ ସ୍ଥିତ ଏପିଜେ ଅବ୍ଦୁଲ୍ କଲାମ୍ ପାର୍କର ଚାଲିଛି ଉନ୍ନତୀକରଣ। ୧୨ ଏକର ଜାଗାରେ ୨୦୦୮ ମସିହାରୁ ଏହି ପାର୍କ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବର୍ଷାଧିକ କାଳ ଏହା ଅନାବନା ଘାସବୁଦାରେ ଭର୍ତ୍ତି ହୋଇଥିଲା। ୨୦୨୧ ମସିହାରେ ଏହାର ଉନ୍ନତୀକରଣ ପାଇଁ ବିଡିଏ ଅଣ୍ଟା ଭିଡ଼ିଥିଲା। ଏବେ ଏଠାରେ ପାଖାପାଖି ୩୦ ଫୁଟ୍ ଉଚ୍ଚ ଜାତୀୟପତାକା ଉଡ଼ୁଛି। ଯାହା ବହୁ ଦୂରରୁ ଦୃଶ୍ୟମାନ ହେଉଥିବାରୁ ଲୋକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହେଉଛି। ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କ ସମେତ ବାହାରର ପର୍ଯ୍ୟଟକଙ୍କ ପାଇଁ ଏହା ଏବେ ଆକର୍ଷଣୀୟ ସ୍ଥାନ ପାଲଟିଛି।
ତେବେ ପାର୍କର ମୁଖ୍ୟ ଆକର୍ଷଣ ସାଜିଛି ଇସ୍ରୋଦ୍ବାରା ଲଞ୍ଚ୍ କରାଯାଇଥିବା ବିରାଟ ଜିଏସ୍ଏଲ୍ଭି ଏମ୍କେ-୩ର ପ୍ରତୀକାତ୍ମକ ରକେଟ୍। ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମ୍ଙ୍କ ପାଇଁ ଏହି ପାର୍କ ସମର୍ପିତ ଥିବାରୁ ଏଠାରେ ଏହି ରକେଟ୍ ବ୍ୟତୀତ କଲାମ୍ଙ୍କ ଜୀବନୀ ବିଷୟରେ ବିଭିନ୍ନ ପିଣ୍ଡିରେ ଲେଖାଯାଇଛି। ପାଖାପାଖି ୧ କିଲୋମିଟରର ଏକ ବିରାଟ କୃତ୍ରିମ ନଈ ତିଆରି କରାଯାଇଛି। ଯାହାର ଗୋଟିଏ ପଟେ ଘାସ ଗାଲିଚା ଓ ଅନ୍ୟପଟେ ପାଦଚଲା ରାସ୍ତା। ସଂଧ୍ୟା ଏବଂ ସକାଳ ବେଳା ଏହି ରାସ୍ତାରେ ଚାଲିଲେ ଏକ ସୁନ୍ଦର ଅନୂଭୁତି ଦେଉଛି। କେବଳ ସେତିକି ନୁହେଁ, ବର୍ଷା ଖରାର ଦାଉ ନଥାଇ ୧୦୦ଜଣ ବସି ଯୋଗ କରିବା ଭଳି ଯୋଗପିଣ୍ଡି, ସବୁଜ ଘାସ ଗାଲିଚା, ପେଭରବ୍ଲକ୍ ପଡ଼ିଥିବା ଚିକ୍କଣ ରାସ୍ତା, ଜିମ୍, ଲୋକଙ୍କ ବସିବା ପାଇଁ ସୁନ୍ଦର ପିଣ୍ଡି ଏହି ପାର୍କକୁ ଆହୁରି ଆକର୍ଷଣୀୟ କରୁଛି। ଗତ କିଛିମାସ ହେଲା ସଂଧ୍ୟା ହେଉ ହେଉ ଏଠାରେ ୫୦୦ରୁ ୭୦୦ ଲୋକଙ୍କ ଭିଡ଼ ଜମୁଛି। ଦେୟମୁକ୍ତ ଏହି ପାର୍କ ଆସିବାକୁ ସମସ୍ତେ ଆଗ୍ରହ ମଧ୍ୟ କରୁଛନ୍ତି। ଏ ନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଡିଭିଜନ୍-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ କହିଛନ୍ତି, କଲାମ୍ ପାର୍କର ଉନ୍ନତୀକରଣ କାମ ପ୍ରାୟ ସରିଗଲାଣି। ଏବେ ମ୍ୟୁଜିକାଲ୍ ଫାଉଣ୍ଟେନ ଓ ଲାଇବ୍ରେରୀ କାମ ଚାଲିଛି। ଏହା ହୋଇଗଲେ ପାର୍କ ଆହୁରି ସୁନ୍ଦର ହୋଇଯିବ।