କଳାରାହାଙ୍ଗ ଦେଖିବ ବିଏମ୍‌ସି ନିର୍ବାଚନ

ୱାର୍ଡ ନମ୍ବର ୨ରେ ଦ୍ବିମୁଖୀ ଲଢ଼େଇ

ଚନ୍ଦ୍ରଶେଖରପୁର : ପୌର ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ବିଏମ୍‌ସିରେ ପ୍ରଥମ ଥର ଲାଗି ଯୋଡ଼ି ହୋଇଥିବା କଳାରାହାଙ୍ଗ ଗାଁ ରାଜନୀତି ସରଗରମ ହୋଇ ଉଠିଛି। କଳାରାହାଙ୍ଗ ପଞ୍ଚାୟତ ପୂର୍ବରୁ ୭ଟି ୱାର୍ଡ ଥିବାବେଳେ ବିଏମ୍‌ସିରେ ମିଶିବା ପରେ ଏବେ ଗୋଟିଏ ୱାର୍ଡ ହୋଇଛି। ପୂର୍ବରୁ ବିଏମ୍‌ସିର ୨ ନମ୍ବର ୱାର୍ଡ ଥିବା କିଛି ଅଞ୍ଚଳ ମଧ୍ୟ ଏହି ୱାର୍ଡରେ ମିଶିଯାଇଛି। ପ୍ରଥମ ଥର ଲାଗି ବିଏମ୍‌ସି ନିର୍ବାଚନ ଦେଖିବାକୁ ଯାଉଥିବା କଳାରାହାଙ୍ଗରେ ଏଥର ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ଏହି ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମଇଦାନକୁ ଓହ୍ଲାଇଥିବା ଦୁଇ ଜଣ ଯାକ ପ୍ରାର୍ଥୀ ନୂଆ। ରାଜନୀତି‌ରେ ସେଭଳି ଅଭିଜ୍ଞତା ନ ଥିବା ବିଜେଡି ପ୍ରାର୍ଥୀ ମୋନାଲିସା ବେହେରା ଓ ବିଜେପି ପ୍ରାର୍ଥୀ ଋତୁପର୍ଣ୍ଣା ଭୋଇଙ୍କୁ ନେଇ ୱାର୍ଡରେ ଜୋରଦାର ଚର୍ଚ୍ଚା ଚାଲିଛି। କଳାରାହାଙ୍ଗ ଗ୍ରାମ ପଞ୍ଚାୟତ ଥିବା ସମୟରେ ତାହା ବିଜେଡି କବ୍‌ଜାରେ ରହିଥିଲା। ୨୦୧୨ରେ ବିଜେଡିରୁ ସନ୍ତୋଷ କୁମାର ନାଥ ଓ ୨୦୧୭ରୁ ପଙ୍କଜିନୀ ଦଳପତି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ବିଏମ୍‌ସି ଦୁଇ ନମ୍ବର ୱାର୍ଡ ମଧ୍ୟ ବିଜେଡି ଅକ୍ତିଆରରେ ଥିଲା। କହିବାକୁ ଗଲେ ଏହି ୱାର୍ଡ ବିଜେଡିର ଗଡ଼ ଭାବେ ରହିଛି। ଏଥର ବି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଉଭୟ ଗାଁ ଓ ‌ସହରୀ ବିଜେଡି ନେତା ଲାଗିପଡ଼ିଛନ୍ତି। ବିଜେଡି ଗଡ଼କୁ ଦଖଲ କରିବାକୁ ବିଜେପି ନୂଆ ମୁହଁ ଋତୁପର୍ଣ୍ଣାଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେଡି କିମ୍ବା ବିଜେପିର କୌଣସି ଅସନ୍ତୁଷ୍ଟ ନେତା ନାହାନ୍ତି। ଅନ୍ୟ କୌଣସି ଦଳ ମଧ୍ୟ ଏଠାରେ ପ୍ରାର୍ଥୀ ଦେଇନାହାନ୍ତି। ବିଜେଡି ପ୍ରାର୍ଥୀ ମୋନାଲିସା ବେହେରା ଗାଁ ଠାକୁରାଣୀ ପୋଖରୀ ପୁନଃରୁଦ୍ଧାର, ମେଡିକାଲ ସୁବିଧା, ଖେଳ ପଡିଆ ସମେତ ରାସ୍ତାଘାଟ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି। ଋତୁପର୍ଣ୍ଣା ମଧ୍ୟ ଗାଁର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।

ତେବେ ଏଠାକାର ଭୋଟର ସହରୀ ପରିବେଶ ଖୋଜୁଛନ୍ତି। ଗାଁ ପରିବେଶଠାରୁ ଦୂରେଇ ସହର ସହ ଯୋଡ଼ି ହେବାକୁ ଚାହୁଁଛନ୍ତି। ତେଣୁ ପିଇବା ପାଣି, ରାସ୍ତା ସମସ୍ୟା, ମିନି ଷ୍ଟାଡିୟମ, ପୋଖରୀ ପୁନଃରୁଦ୍ଧାର, ସିଟି ବସ୍ ସୁବିଧା, ଲାଇଟ୍, ଅଳିଆ ଆବର୍ଜନା, ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ଚାହୁଁଛନ୍ତି। ସମସ୍ୟାର ସମାଧାନ କରିପାରୁଥିବା ପ୍ରାର୍ଥୀଙ୍କୁ ବାଛିବୁ ବୋଲି ମତପ୍ରକାଶ କରିଛନ୍ତି।

ପୋଷ୍ଟର୍‌ ବ୍ୟାନର୍‌ ହଟାଇବେ ୭ ସ୍କ୍ବାଡ୍‌
ଭୁବନେଶ୍ବର : ବିଏମ୍‌ସି ନିର୍ବାଚନ ପ୍ରଚାର ପାଇଁ ଲାଗିବାକୁ ଥିବା ପୋଷ୍ଟର ଓ ବ୍ୟାନର ଉପରେ କଟକଣା ଜାରି ହୋଇଛି। ସ୍କୁଲ, କଲେଜର କାନ୍ଥ, ସମେତ ସରକାରୀ ଅଫିସ୍‌ ପାଚେରିରେ ପ୍ରାର୍ଥୀଙ୍କର ନିର୍ବାଚନ ବ୍ୟାନର କିମ୍ବା ପୋଷ୍ଟର ହଟାଇବା ପାଇଁ ନିର୍ବାଚନ ଅଧିକାରୀ ୭ଟି ଏନ୍‌ଫୋର୍ସମେଣ୍ଟ ଦଳ ଗଠନ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ଟିମ୍‌ ବିଭିନ୍ନ ଜାଗାରେ ଘୂରି ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବେସରକାରୀ କାର୍ଯ୍ୟାଳୟ ତଥା ଘରର କାନ୍ଥ ଓ ଛାତ ଉପରେ ପୋଷ୍ଟର ଓ ବ୍ୟାନର ଲଗାଇବାକୁ ହେଲେ ଘର ମାଲିକଙ୍କର ଅନୁମତି ଆବଶ୍ୟକ। ଏଥିରେ ଖିଲାପ କରି କେହି ଲଗାଇବା ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ କଡ଼ାକଡ଼ି ପାଳନ କରିବାକୁ ନାମାଙ୍କନ ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀ ତଥା ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ ପ୍ରାର୍ଥୀମାନଙ୍କୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର