ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଫେରିବେ କଲରାପତରିଆ ବାଘ। ପ୍ରାରମ୍ଭିକ ଭାବେ ରାଜ୍ୟର ଅନ୍ୟ ଜଙ୍ଗଲରୁ ଦୁଇଟି କଲରପତରିଆଙ୍କୁ ଏଠାକୁ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତା’ପୂର୍ବରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମେ’ ମାସରେ ପ୍ରାୟ ୩୦୦ ହରିଣଙ୍କୁ ଏହି ଜଙ୍ଗଲରେ ଛଡ଼ାଯାଇଛି। ଜୁଲାଇ ମାସରେ ଗୟଳ ଓ ସମ୍ବର ଛଡ଼ାଯିବ। ଦେବ୍ରିଗଡ଼ ଅଭୟାରଣ୍ୟରୁ ୨୦ଟି ଗୟଳ ଅଣାଯାଇ ଅଭୟାରଣ୍ୟରେ ଛଡ଼ାଯାଇ ସେମାନଙ୍କ ବଂଶ ବୃଦ୍ଧି କରାଯିବ। ୩ରୁ ୫ ବର୍ଷ ବୟସର ୧୫ଟି ମାଈ ଓ ୫ଟି ଅଣ୍ଡିରା ଗୟଳଙ୍କୁ ଅଭୟାରଣ୍ୟରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗୟଳ ସ୍ଥାନାନ୍ତର କରିବାକୁ ଅନୁମତି ଦିଆଯାଇଛି। ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ସ୍ଥାନାନ୍ତର ପ୍ରକ୍ରିୟା ଅଗଷ୍ଟ ମାସ ଶେଷସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

କେବଳ ସେତିକି ନୁହେଁ, ରାଜଧାନୀକୁ ଲାଗିରହିଥିବା ଏହି ଅଭୟାରଣ୍ୟରେ ସମ୍ବର ବଂଶ ବୃଦ୍ଧି କରାଯିବ। ଏବେ ଚନ୍ଦକାରେ ଆଦୌ ସମ୍ବର ନାହାନ୍ତି। ମାତ୍ର ସମ୍ବର ରହିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଅଳ୍ପ ଆଚ୍ଛାଦିତ ଜଙ୍ଗଲରେ ରହୁଥିବା ସମ୍ବର ଘାସପତ୍ର ଓ ଜଙ୍ଗଲୀ ଫଳ ଖାଇଥାନ୍ତି। ଦିନରେ ଲୁଚି ରହନ୍ତି, ରାତି ହେଲେ ଜଙ୍ଗଲରେ ବୁଲନ୍ତି। ତେଣୁ ସମ୍ବରଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଚନ୍ଦକାରେ ରହିଛି। ତେଣୁ ଗଜପତି ଜିଲ୍ଲା ତପ୍ତପାଣିରୁ ୧୫ଟି ସମ୍ବରକୁ ଅଣାଯାଇ ଏଠାରେ ଛଡ଼ାଯିବ। ପର୍ଯ୍ୟାୟକ୍ରମେ ସ୍ଥାନାନ୍ତର ସଂଖ୍ୟା ବୃଦ୍ଧି କରାଯିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗୋଟିଏ ପଟେ ହରିଣ ବଂଶ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଗୟଳ ଓ ସମ୍ବର ପୁନରୁଦ୍ଧାର ଦିଗରେ ପଦ‌କ୍ଷେପ ନିଆଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ଉଭୟ ସମ୍ବର ଓ ଗୟଳ ଏହି ଅଭୟାରଣ୍ୟକୁ ଆସିବା ପରେ ଏଠାରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢ଼ିବ, ଯାହାକି କଲରାପତରିଆ ବାଘଙ୍କୁ ସୁହାଇବ। ତେବେ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ୫ଟି ଗ୍ରାମର ଗ୍ରାମବାସୀଙ୍କୁ ସ୍ଥାନାନ୍ତର ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସେମାନଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦିଆଯାଇ ସ୍ଥାନାନ୍ତର କରାଯିବା ପରେ ଯାଇ ବାଘ ବଂଶ ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଇପାରିବ।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୦ରେ ଅଭୟାରଣ୍ୟରେ ଗୟଳ ଦେଖାଦେଇଥିଲା। ୨୦୧୯ରେ କଲରାପତରିଆ ବାଘ ଦେଖା ଦେଇଥିଲା। ଗୋଟିଏ କଲରାପତରିଆ ଜଙ୍ଗଲରୁ ବାହାରି ଭୁବନେଶ୍ବର ସହର ମଧ୍ୟକୁ ପଶିବା ସହ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଜଙ୍ଗଲର ଘନତା ବଢ଼ି‌ଲେ, ବନ୍ୟପ୍ରାଣୀଙ୍କ ଆବିର୍ଭାବ ଘଟିଥାଏ। ଗୟଳମାନେ ସାଧାରଣତଃ ଅଧିକ ଜଳାଶୟ ଥିବା ଓ ଘାସୁଆ ଜଙ୍ଗଲରେ ବାସ କରନ୍ତି। ବର୍ତ୍ତମାନ ଚନ୍ଦକା ଜଙ୍ଗଲରେ ସବୁ ରେଞ୍ଜ୍‌ରେ ଥିବା ପ୍ରାକୃତିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର ସହ ନୂତନ ଜଳାଶୟ ନିର୍ମାଣ କରାଯାଇଛି। ଫଳରେ ବନ୍ୟପ୍ରାଣୀଙ୍କ ପାଇଁ ଆଉ ଜଳସଂକଟ ନାହିଁ। ସେହିଭଳି ଶିକାର ଓ ଗଛକଟା ବହୁ ପରିମାଣରେ ବନ୍ଦ ହୋଇଥିବାରୁ ଜଙ୍ଗଲର ଘନତା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗୟଳ, ସମ୍ବର, ହରିଣ ପରି ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଲେ କଲରାପତରିଆ ରହିବାରେ କୌଣସି ଅସୁବିଧା ହେବ ନାହିଁ। ପୂର୍ବରୁ ବିଭିନ୍ନ ସମୟରେ ଏହି ଅଭୟାରଣ୍ୟରେ କଲରାପତରିଆଙ୍କ ଉପସ୍ଥିତ ନଜର ଆସିଛି। ୨୦୦୪ରେ ଚନ୍ଦକା ଜଙ୍ଗଲରେ ୮ଟି କଲରାପତରିଆ ବାଘ ରହିଥିବା ଗଣନା ସମୟରେ ଜଣାପଡ଼ିଥିଲା। ସେଥିରେ ୪ଟି ଲେଖାଏଁ ଅଣ୍ଡିରା ଓ ମାଈ ବାଘ ଚିହ୍ନଟ ହୋଇଥିଲେ। କୌଣସି ଛୁଆ ନଥିଲେ। ତେବେ ୨୦୧୬ ଗଣନା ବେଳେ ଏଠାରେ ଗୋଟିଏ ବି କଲରାପତରିଆ ବାଘ ଦେଖିବାକୁ ମିଳି ନଥିଲା। ୨୦୨୪ ବାଘ ଗଣନାରେ ବାଘଙ୍କ ଉପସ୍ଥିତି ନ ଥିଲା।