ସଂପୃକ୍ତି, ଶୃଙ୍ଖଳା, ସମର୍ପିତ ଭାବ ମଣିଷକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ: ସୌମ୍ୟରଞ୍ଜନ

କାଳୀପ୍ରସାଦ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ, ଶିକ୍ଷାକ୍ଷେତ୍ରରେ ଉତ୍ସର୍ଗୀକୃତ ଥିଲେ କାଳୀପ୍ରସାଦ: ଅର୍ଜୁନ ମୁଣ୍ଡା

ଭୁବନେଶ୍ବର: ଶିକ୍ଷାକ୍ଷେତ୍ରରେ କାଳୀପ୍ରସାଦ ସାମନ୍ତରାୟଙ୍କ ଅବଦାନ ଅତୁଳନୀୟ। ସେ ଜଣେ ସମାଜସେବୀ ଥିଲେ। ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିଲେ। ବିଜୁ ପଟ୍ଟନାୟକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌ର ପ୍ରତିଷ୍ଠାତା ତଥା ସମାଜସେବୀ କାଳୀପ୍ରସାଦ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ଏହା କହିଛନ୍ତି। ଶ୍ରୀ ମୁଣ୍ଡା କହିଲେ, କାଳୀପ୍ରସାଦ ମୋର ଜଣେ ଭଲ ବନ୍ଧୁ ଥିଲେ। ଖରସୁଆଁ, ଜାମସେଦପୁର, ରାଞ୍ଚିରେ ତାଙ୍କ ସହ ଅନେକଥର ଭେଟ ହୋଇଛି। ଖରସୁଆଁ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। କାଳୀପ୍ରସାଦ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଏମିତି ନାମ କରନ୍ତୁ, ଯେମିତି କାଳୀପ୍ରସାଦଙ୍କ ଅନୁଷ୍ଠାନ ଖ୍ୟାତି ଲାଭ କରିପାରିବ। କାଳୀପ୍ରସାଦଙ୍କ ନାମର ଆହୁରି ମର୍ଯ୍ୟାଦା ବଢ଼ି ପାରିବ। ଆଜିର ଯୁଗରେ ବଢ଼ୁଥିବା ଚାହିଦାକୁ ଆଖି ଆଗରେ ରଖି ନିଜକୁ ସେତିକି ଯୋଗ୍ୟ କରିବା ସହ ବୈଷୟିକ ଜ୍ଞାନର ଉପଯୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ମୁଣ୍ଡା ଆହ୍ବାନ ଦେଇଥିଲେ। ଅନୁଷ୍ଠାନ ପାଇଁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ, ସବୁ ଯୋଗାଇଦେବା ଲାଗି ଶ୍ରୀ ମୁଣ୍ଡା ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଯେଉଁ କାମ ହେଉ ପଛେ ଯଦି ଜଣେ ସେଥିରେ ନିଜକୁ ସମ୍ପୃକ୍ତି କରିବ, ଶୃଙ୍ଖଳା ପାଳନ କରିବ ଓ ସମର୍ପିତ ମନୋଭାବ ନେଇ କାମ କରିବ, ତା’ହେଲେ ସେ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିବ। ଯାହା କାଳୀପ୍ରସାଦ ସାମନ୍ତରାୟଙ୍କ ପାଖରେ ଥିଲା। ସଫଳତା ପାଇବା ଲାଗି ଯେଉଁ ସବୁ ଉପାଦାନ ଆବଶ୍ୟକ, ତାହା ଶତକଡ଼ା ଶହେ ଭାଗ କାଳୀବାବୁଙ୍କ ପାଖରେ ଥିଲା। ଚୀନ୍‌ରେ ଖାଲି ପାଦରେ ବୁଲୁଥିବା ଡାକ୍ତର କୋଟନିସଙ୍କ ଉଦାହରଣ ଦେଇ କହିଲେ, ସେ ତାଙ୍କ ସ୍ବଳ୍ପ ଜୀବଦଶାରେ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିଲେ। କିନ୍ତୁ ଆମ ରାଜ୍ୟର ଯୁବକ ଯେଉଁମାନେ ୪୦ ଛୁଇଁ‌ଲେଣି, ସେମାନେ ବୟସ ବଢ଼ାଇ ଭତ୍ତା ନେବାକୁ ଚାହୁଛନ୍ତି। କାଳୀବାବୁଙ୍କ ପ୍ରତିମୂର୍ତ୍ତି ଛାତ୍ରଛାତ୍ରୀଙ୍କୁ ସବୁ ଦିନ ଲାଗି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସଭା ଆରମ୍ଭ ହେବା ପୂର୍ବରୁ ଝାରପଡ଼ା ଜଗନ୍ନାଥନଗରସ୍ଥିତ ବିଜୁ ପଟ୍ଟନାୟକ ଗ୍ରୁପ୍‌ ଅଫ ଇନ୍‌ଷ୍ଟିଚ୍ୟୁସନ୍ସ ପରିସରରେ କାଳୀପ୍ରସାଦ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ମୁଖ୍ୟ ଅତିଥି ଅର୍ଜୁନ ମୁଣ୍ଡା। ପ୍ରତିମୂର୍ତ୍ତି ତିଆରି କରିଥିବା ସରୋଜ ଭଞ୍ଜଙ୍କୁ ସମ୍ମାନିତ କରାଯାଇଥିଲା। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ବିଜୁ ପଟ୍ଟନାୟକ ଗ୍ରୁପ୍ ଅଫ୍‌ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର