ଭୁବନେଶ୍ବର: ରାଜଧାନୀର ସତ୍ୟନଗର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ ହେଉଥିବାରୁ ଏହା ଉପରେ ଅଧିକ ଚାପ ପଡ଼ୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ଅଣକୋଭିଡ୍ରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ସ୍ଥାନୀୟ ଶ୍ମଶାନରେ ଶବଦାହ କରାଯାଉଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ମଶାଣିର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଏମସି ଅଧୀନରେ ଥିବା ଏହି ମଶାଣି ଗୁଡ଼ିକରେ କେଉଁଠି ପାଣିର ସୁବିଧା ନାହିଁ ତ’ ଆଉ କେଉଁଠି ଆଲୋକ ବ୍ୟବସ୍ଥା ନାହିଁ। କେଉଁଠାରେ ଆବର୍ଜନା ଭର୍ତ୍ତି ହୋଇ ରହିଛି ଆଉ କେଉଁ ଠାରେ ଜବରଦଖଲରେ ମଶାଣି ଅଞ୍ଚଳ। ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ବରସ୍ଥିତ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣିରେ।
ମହତାବ ରୋଡସ୍ଥିତ କାଳୀଗାଡ଼ିଆ ମଶାଣିରେ ନା ଅଛି ଆଲୋକ ବ୍ୟବସ୍ଥା ନା ଅଛି ପାଣିର ସୁବିଧା। ମଶାଣି ଚାରିପଟେ କୁଢ଼ କୁଢ଼ ଅଳିଆ। ପାଚେରି ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଲୋକ ମାନେ ମଶାଣି ଭିତରେ ନିଜ ଯାନବାହନ ରଖି ଜବରଦଖଲ କରିଥିବା ଅଭିଯୋଗ ହେଉଛି। ମଶାଣି ମଧ୍ୟରେ ଏକ କୂଅ ରହିଥିଲେ ସୁଦ୍ଧା ଏହାର ପାଣି ପାଣି ବ୍ୟବହାର ଉପଯୋଗୀ ନୁହେଁ। କିଛି ସ୍ବେଚ୍ଛାସେବୀ ସଂଗଠନ ଏହି ମଶାଣିକୁ ନିଜ ଉଦ୍ୟମରେ ସଫା କରି କୂଅରେ ବ୍ଲିଚିଂ ପାଉଡର ପକାଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀ ଓ ଶବଦାହ ପାଇଁ ଆସୁଥିବା ଲୋକ ମାନେ କୂଅରେ ପୁଣି ଅଳିଆ ଆବର୍ଜନା ପକାଇ ପାଣି ଦୂଷିତ କରି ଦେଉଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ପ୍ରଦୀପ କୁମାର ପୃଷ୍ଟି। ସେ କହିଛନ୍ତି, ବର୍ଷା ଦିନେ ଏଠାରେ ଶବଦାହ କରିବା ପାଇଁ ବହୁ ଅସୁବିଧା ହୋଇଥାଏ। ପିଣ୍ଡିରେ ଗୋଟିଏ ମାତ୍ର ଚୁଲି ଓ ଅନ୍ୟ ଦୁଇଟି ବାହାରେ ଥିବାରୁ ବର୍ଷାଦିନେ ଶବଦାହ ପାଇଁ ଅସୁବିଧା ହେଉଛି।
ସେହିପରି କପିଳେଶ୍ବର ମଶାଣିରେ ସମାନ ଅବସ୍ଥା। ମଶାଣି ଚାରିପଟେ ପାଚେରି ନଥିବାରୁ କିଛି ଲୋକ ଜବରଦଖଲ କରି ରହୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏହା ସହ ମଶାଣିରେ ଆଲୋକ ସହ ପାଣି ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ନୀଳମଣି ମିଶ୍ର। ଟାଙ୍କି ଥିବା ସତ୍ତ୍ବେ ଏଥିରେ ପାଣି ରହୁନାହିଁ। ଆଲୋକୀକରଣର ବ୍ୟବସ୍ଥା ନାହିଁ। ବହୁ ଦିନରୁ ସଫା ସୁତରା ହୋଇନଥିବାରୁ ପିଣ୍ଡି ଚାରିପଟେ ଅନାବନା ଗଛ ଉଠି ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/564564dg56j46d5gjjjjjjjjjjjjjjjjjjjjjj.jpg)