‘କଳିଙ୍ଗ ହର୍ବାଲ ମେଳା’ ଆରମ୍ଭ, ଚଳିତ ବର୍ଷ ଆଉ ୩ଟି ଆଞ୍ଚଳିକ ହର୍ବାଲ ମେଳା ହେବ: ମନ୍ତ୍ରୀ

ଭୁବନେଶ୍ବର: ସମଗ୍ର ଭାରତ ବର୍ଷରେ ୧୫୪୦ଟି ଔଷଧୀୟ ଉଦ୍ଭିଦ ରହିଛି। ତନ୍ମଧ୍ୟରୁ ଓଡ଼ିଶାରେ ପ୍ରାୟ ୪୧ଟି ରହିଛି। ଯାହାର ସଂରକ୍ଷଣ ଓ ବ୍ୟବହାର ନେଇ ଆମେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତ‌ା ରହିଛି ‌ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ସେ କହିଥିଲେ, ଆମ ରାଜ୍ୟରେ ଥିବା ଔଷକ୍ଷୀୟ ବୃକ୍ଷର ଆମେ ସଫଳ ବିନିଯୋଗ କରିବା ଏବଂ ଏହି ଔଷଧୀୟ ବୃକ୍ଷଲତାକୁ ବ୍ୟବହାର କରି ସ୍ବାସ୍ଥ୍ୟସେବା ନିମନ୍ତେ ଆ‌ୟୁର୍ବେଦକୁ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମହତ୍ବପୂର୍ଣ୍ଣ ସହଯୋଗ ଆବଶ୍ୟକ। ରା‌ଜ୍ୟରେ ଥିବା ୪୧ଟି ବିରଳ ଔଷଧୀୟ ବୃକ୍ଷର ସଂରକ୍ଷଣ ନିମନ୍ତେ ଜଙ୍ଗଲ ଅଞ୍ଚଳର କିଛି ଅଂଶକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହି କର୍ମଶାଳାର ଲୋକପ୍ରିୟତାକୁ ଦେଖି ଚଳିତ ବର୍ଷ ରାଜ୍ୟରେ ଆଉ ୩ଟି ଆଞ୍ଚଳିକ ହର୍ବାଲ ମେଳା ଅନୁଷ୍ଠିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ଆରୁଖ। ଏଥିସହ ବିଭିନ୍ନ ଔଷଧୀୟ ବୃକ୍ଷର ସୁରକ୍ଷା, ସଂରକ୍ଷଣ ଓ ଜନସଚେତନତା ସୃଷ୍ଟି କରିବା ହେଉଛି ହର୍ବାଲ୍‌ ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

‘ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ’ ପକ୍ଷରୁ ଆଜି ପ୍ରଦର୍ଶନୀ ପଡ଼ିଆଠାରେ ଦ୍ବାଦଶ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଏହା କହିଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏ.କେ ପାଠକ, ଔଷଧୀୟ ଉଦ୍ଭିଦ ପରିଷଦର ପରାମର୍ଶଦାତା ଏ.କେ ମହାରଥା ପ୍ରମୁଖ ଯୋଗ ଦେଇ ମେଳାର ଆଭିମୁଖ୍ୟ, ଔଷଧୀୟ ବୃକ୍ଷ ଚାଷ ଓ ଏହାର ପ୍ରଚାର ପ୍ରସାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମେଳାରେ ସମୁଦାୟ ୧୨୦ଟି ଷ୍ଟଲ୍‌ ଖୋଲାଯାଇଛି। ନଭେମ୍ବର ୪ରୁ ୮ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ଯାଏ ଚାଲିବ।

ସମ୍ବନ୍ଧିତ ଖବର