ନୂଆ ରୂପରେ ଫେରୁଛି କଳିଙ୍ଗ ଷ୍ଟୁଡିଓ: ୨ ମାସରେ ଆକର୍ଷଣୀୟ ତୋରଣ, ନିର୍ମିତ ହେବ ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ

ଭୁବନେଶ୍ବର: ଜମିଦାର ଘରୁ ଶୁଭିଲାଣି ରାଜକୀୟ ସଂଳାପ। ନାଚ ଗୀତରେ ରଙ୍ଗିନ ହେଲାଣି ଗ୍ରାମୀଣ ପରିବେଶ। ସୁଟିଂ ହଲ୍‌ରୁ ବାରି ହେଲାଣି କ୍ଲାପରବୋର୍ଡର ଶବ୍ଦ। ଲାଇଟ୍… ସାଉଣ୍ଡ୍‌…କ୍ୟାମେରା… ଆକ୍ସନ…ରେ ଚଳଚଞ୍ଚଳ ହେଲାଣି କଳିଙ୍ଗ ଷ୍ଟୁଡିଓ। ନବେ ଦଶକ ସଫଳତାର ପୁନରାବୃତ୍ତି କରିବା ଲକ୍ଷ୍ୟ ନେଇ ପୁଣି ଅଣ୍ଟା ସଳଖିଲାଣି ଓଡ଼ିଆ ସିନେମାର ଏଇ ଅନ୍ତୁଡ଼ିଶାଳ। ଦିନ କେଇଟା ପରେ ଏହା ଏକ ପରିବର୍ତିତ ରୂପରେଖରେ ଆବିର୍ଭାବ ହେବ। ନୂଆ ବୋହୂ ରୂପରେ ସଜେଇ ହୋଇ ମନ ହରିବ।

କ୍ଷତିରେ ଚାଲୁଥିଲା, ଏବେ ମାସିକ ୫ଲକ୍ଷରୁ ଅଧିକ ଆୟ
କଳିଙ୍ଗ ଷ୍ଟୁଡିଓରେ ଓଡ଼ିଆ ସମେତ ବଙ୍ଗଳା, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଭାଷାରେ ୫ଶହରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ମାତ୍ର ୧୯୯୯ ମହାବାତ୍ୟା ସବୁ ଉଜାଡ଼ି ଦେଇଥିଲା। ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମୁହଁ ଫେରାଇ ନେଇଥିଲେ। ୨୦୦୭ ବେଳକୁ ଷ୍ଟୁଡିଓ ଏକ ପ୍ରକାର ବନ୍ଦ ହୋଇଗଲା। ୨ ବର୍ଷ ପରେ କିଛିଟା ମରାମତି କାର୍ଯ୍ୟ କରାଯାଇ ଷ୍ଟୁଡିଓ ଖୋଲିଲା। କିନ୍ତୁ ସୁଟିଂ କରିବାକୁ ପ୍ରଯୋଜନା ସଂସ୍ଥା ମୁହଁ ମୋଡ଼ିଲେ। ଦୀର୍ଘ ୨୧ ବର୍ଷ ପରେ ମୁଖ୍ୟ ସ୍ରୋତକୁ ଫେରିଛି ଷ୍ଟୁଡିଓ। ଦୁଇ ଘରୋଇ ଟିଭି ଚ୍ୟାନେଲ୍‌ ସୁଟିଂ ପାଇଁ ୨ଟି ଫ୍ଲୋର୍‌ ନେଇଥିବା ବେଳେ ଏକ ପ୍ରତି‌ଷ୍ଠିତ ପ୍ରଯୋଜନା ସଂସ୍ଥା ଜମିଦାର ଘର ଓ ଭିଲେଜ୍‌ କମ୍ପ୍ଲେକ୍ସର କିଛି ଅଂଶ ନେଇଛି। ଫଳରେ ‌ଏକଦମ ଶୂନକୁ ଖସି ଆସିଥିବା ଷ୍ଟୁଡିଓର ଆୟ ଏବେ ମାସିକ ୫ ଲକ୍ଷ ଅତିକ୍ରମ କରିଛି ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି।

ନିର୍ମିତ ହେବ ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ
ଯୋଜନା ମୁତାବକ, ୨୨ ଏକର ପରିମିତି ଅଞ୍ଚଳକୁ ଷ୍ଟୁଡିଓ ସଂପ୍ରସାରିତ‌ ହେବ। ପରିସରରେ ଆଉ ୪ଟି କଟେଜ୍ ନିର୍ମିତ ହେବ। ଏକ ବସ୍‌ଷ୍ଟାଣ୍ଡ୍‌ ଓ ରେଳ ଷ୍ଟେସନ୍‌ ପ୍ରସ୍ତୁତ କରାଯିବ। ଏଥିସହ ଆଉ ୨ଟି ଫ୍ଲୋର୍ ସହ ପୋଖରୀ ଓ ବଗିଚା ତିଆରି କରାଯିବ। ଏହା ବ୍ୟତୀତ ଫନି ବାତ୍ୟା ଯୋଗୁଁ ହୋଇଥିବା କ୍ଷୟ କ୍ଷତିର ପୁନରୁଦ୍ଧାର କରାଯାଉଛି। ଫନି ଓ କରୋନା ଯୋଗୁଁ କାମ ବନ୍ଦ ଥିଲେ ମଧ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ଧୀରେଧୀରେ ପ୍ରଯୋଜନା ସଂସ୍ଥା ମୁହାଁଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ସଜାଡ଼ିବା କାମ୍‌ ଦ୍ରୁତ ଗତିରେ ଚାଲିଛି।

୨ ମାସରେ ଆକର୍ଷଣୀୟ ତୋରଣ
କେବଳ ଷ୍ଟୁଡିଓ ପରିସର ସଜେଇ ହେଉନାହିଁ, ବରଂ ପ୍ରସ୍ତାବିତ ତୋରଣ ଫିଲ୍ମ ସିଟି ଢାଞ୍ଚାରେ ନିର୍ମିତ ହେଉଛି। ପୂର୍ବରୁ ପ୍ରବେଶପଥ ଏକ ଘର ସଦୃଶ ଥିଲେ ହେଁ ୨ ମାସ ମଧ୍ୟରେ ଏହାର ରୂପରେଖ ସମ୍ପୂର୍ଣ୍ଣ ବଦଳିବ। ଷ୍ଟୁଡିଓ ପୁନରୁଦ୍ଧାର ଓ ନବୀକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଏବେ ଆଉ କିଛି ଅର୍ଥ ପ୍ରଦାନ କରାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍ଆଇସି) ଏବଂ ଆର୍‌ଆଣ୍ଡବି ପକ୍ଷରୁ କାମ ଚାଲିଛି।

ପ୍ରସାଦ ହାତରୁ ଯିବ ଡବିଂ, ରେକର୍ଡିଂ ଷ୍ଟୁଡିଓ
ଦୀର୍ଘ ବର୍ଷ ଧରି କଳିଙ୍ଗ ଷ୍ଟୁଡିଓ ଦ୍ବାରା କରାଯାଉଥିବା ଡବିଂ ଓ ରେକର୍ଡିଂ କ୍ଷତିରେ ଚାଲୁଥିବାରୁ ଓଏଫ୍‌ଡିସି ନିଜେ ପରିଚାଳନା ଦାୟିତ୍ବ ନେବ। ଡବିଂ ଓ ରେକର୍ଡିଂ ପାଇଁ ଅତ୍ୟାଧୁନିକ ‌ବୈଷୟିକ ଜ୍ଞାନକୌଶଳର ବ୍ୟବସ୍ଥା କରାଯିବ। ଶ୍ରୀ ତ୍ରିପାଠୀ କହିଛନ୍ତି, ଯେପରି ବର୍ଷକରେ ୩ଶହ ଦିନ ଏଠାରେ ଡବିଂ ଓ ରେକର୍ଡିଂ କରାଯାଇପାରିବ ସେ ନେଇ ଖସଡ଼ା ପ୍ରସ୍ତୁତ ହେଉଛି। ଟିଭି ଚ୍ୟାନେଲ୍‌ ଓ ଫିଲ୍ମ ପ୍ରଯୋଜନା ସଂସ୍ଥା ସହ ଏ ସଂକ୍ରାନ୍ତରେ କଥାବାର୍ତା ସରିଛି।

ସମ୍ବନ୍ଧିତ ଖବର