‘କଳିଙ୍ଗ ଆର୍ଟ ଗ୍ୟାଲେରି’: ଚିତ୍ରକର ଓ ଶିଳ୍ପୀଙ୍କ ପ୍ରାଣକେନ୍ଦ୍ର, ପ୍ରଦର୍ଶିତ ହେଉଛି ୨୫୦ରୁ ଊର୍ଧ୍ବ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତି

ଆକର୍ଷଣର କେନ୍ଦ୍ର ‘ଭାସ୍କର୍ଯ୍ୟ ଉଦ୍ୟାନ’, ପଥର ପାଉଛି ଜୀବନ୍ୟାସ

ଭୁବନେଶ୍ବର: ଏକାସାଥେ ପ୍ରଦର୍ଶିତ ହେଉଛି ୨୫୦ରୁ ଅଧିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତି। ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାର ଏକ ମିନି ନଗରୀ ଭାବେ ଉଭା ହୋଇଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ସଦ୍ୟ ଉନ୍ମୋଚିତ ‘କଳିଙ୍ଗ ଆର୍ଟ ଗ୍ୟାଲେରି’। ଜଳରଙ୍ଗ ଚିତ୍ର, ତୈଳରଙ୍ଗ ଚିତ୍ର, ଆକ୍ରାଲିକ୍‌ ଚିତ୍ର, ପଟ୍ଟଚିତ୍ର, ଭାସ୍କର୍ଯ୍ୟ କଳା, ପାରମ୍ପରିକ କଳା, ମୁଦ୍ରଣ କଳା, ସେରାମିକ୍‌ ଆର୍ଟ, ଟେରାକୋଟା, ଫଟୋଗ୍ରାଫ ପଥର ଭାସ୍କର୍ଯ୍ୟ ଆଦି ବହୁବିଧ ସୃଜନଶୀଳ କଳାର ଏହା ପାଲଟିଛି ପେଣ୍ଠସ୍ଥଳୀ। କଳାକାର ଓ ଶିଳ୍ପୀମାନଙ୍କ ପାଇଁ ଏହା ବଡ଼ ସୁଯୋଗ ନେଇ ଆସିଥିବା ବେଳେ କଳାପ୍ରେମୀଙ୍କ କଳାତୃଷ୍ଣାକୁ ମେଣ୍ଟାଇବାରେ ଏହା ବେଶ୍‌ ସହାୟ ହେବ। ଏଠାରେ କେବଳ କଳା ପ୍ରଦର୍ଶିତ ହେଉଛି ତାହା ନୁହେଁ; ଏଠାରେ ଶିଳ୍ପୀଙ୍କ ନିହାଣ ମୁନରେ ପଥର ଜୀବନ୍ୟାସ ପାଉଥିବା ବି ଦେଖିବାକୁ ମିଳୁଛି। ଏଥିସହ କଳା ଶିବିରଗୁଡ଼ିକ ଆୟୋଜନ କରାଯାଇ ପର୍ଯ୍ୟଟକଙ୍କୁ କଳାକୃତି ପ୍ରସ୍ତୁତିର ସିଧାସଳଖ ଦୃଶ୍ୟ ଦେଖିବାର ସୁଯୋଗ ମଧ୍ୟ ଦେଉଛି ଏହି ପ୍ରଦର୍ଶନୀ। ଗ୍ୟାଲେରିର ମୁଖ୍ୟ ଆକର୍ଷଣ ପାଲଟିଛି ଏହା ସମ୍ମୁଖରେ ଥିବା ‘ଭାସ୍କର୍ଯ୍ୟ ଉଦ୍ୟାନ’।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଲଳିତ କଳା ଏକାଡେମି ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟର ଦ୍ବିତୀୟ ମହଲାରେ ୬୨୧୯ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ହୋଇଛି ‘କଳିଙ୍ଗ ଆର୍ଟ ଗ୍ୟାଲେରି’। ପ୍ରାୟ ୫୫ଲକ୍ଷ ଟଙ୍କାର ବ୍ୟୟବରାଦରେ ପ୍ରସ୍ତୁତ ଏହି ଗ୍ୟାଲେରି ଦ୍ବାରା ଚିତ୍ରକଳା ଯଥା ଜଳରଙ୍ଗ ଚିତ୍ର, ତୈଳରଙ୍ଗ ଚିତ୍ର, ଆକ୍ରାଲିକ୍‌ ଚିତ୍ର, ପଟ୍ଟଚିତ୍ର, ଭାସ୍କର୍ଯ୍ୟ କଳା, ପାରମ୍ପରିକ କଳା, ମୁଦ୍ରଣ କଳା, ସେରାମିକ୍‌ ଆର୍ଟ, ଟେରାକୋଟା, ଫଟୋଗ୍ରାଫ ପଥର ଭାସ୍କର୍ଯ୍ୟ ଶିଳ୍ପୀମାନେ ବହୁବିଧ ସୃଜନଶୀଳ କଳାର ପ୍ରଦର୍ଶନୀ ଜରିଆରେ ଉପକୃତ ହୋଇପାରିବେ। ଉକ୍ତ ଗ୍ୟାଲେରିରେ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରଦର୍ଶନୀ ଆୟୋଜନ କରାଯାଇ ଓଡ଼ିଶାର ଶିଳ୍ପୀମାନଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରାଯିବାର ଯୋଜନା କରିଛି ଲଳିତ କଳା ଏକାଡେମି। ଏଥିସହ ଲଳିତ କଳା ଏକାଡେମିର ଦିଗଂଗତ ତଥା ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ଏହି ଗ୍ୟାଲେରିରେ ସ୍ଥାନିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏବେ ଏହି ଗ୍ୟାଲେରିରେ ‘୩୯ତମ ରାଜ୍ୟ ପ୍ରଦର୍ଶନୀ’ ଆୟୋଜିତ ହୋଇଛି। ଏଥିରେ ୨୩୭ଟି ପାରମ୍ପରିକ କଳା,‌ ଚିତ୍ରକଳା, ମୁଦ୍ରଣ କଳା, ଡ୍ରଇଂ ଓ ଭାସ୍କର୍ଯ୍ୟ କଳା ଆଦି ପ୍ରଦର୍ଶିତ କରାଯାଇଛି। ଏଥିସହ କରୋନା ସମୟରେ ପୁରସ୍କୃତ ୮ଜଣ ବିଶିଷ୍ଟ କଳାକାରଙ୍କ କଳାକୃତି ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଛି।

ଗ୍ୟାଲେରିର ମୁଖ୍ୟ ଆକର୍ଷଣ ଏବେ ପାଲଟିଛି ‘ଭାସ୍କର୍ଯ୍ୟ ଉଦ୍ୟାନ ବା ଭାସ୍କର୍ଯ୍ୟ ପାର୍କ’। ଏଠି ପଥର ସହ ଦିନ ସାରା ଶିଳ୍ପୀଙ୍କ ନିହାଣର ଶବ୍ଦ ବି ଶୁଣିବାକୁ ମିଳିବ। ଏବେ ଏଠାରେ ଏକାଡେମି ଓ ବହୁ ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବ‌ା ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ରଖି ପ୍ରଦର୍ଶିତ କରାଯାଉଛି। ବର୍ତ୍ତମାନ ଏଠାରେ ୧୨ଟି ଭାସ୍କର୍ଯ୍ୟ ପ୍ରଦର୍ଶିତ ହେଉଛି। ଭାସ୍କର୍ଯ୍ୟ ଉଦ୍ୟାନକୁ ଅନେକଗୁଡ଼ିଏ ଛୋଟ ଛୋଟ ପାଭିଲିଅନ୍‌ରେ ବିଭକ୍ତ କରାଯାଇଛି। ପରବର୍ତ୍ତୀ ସମୟରେ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୁ ଗ୍ୟା‌ଲେରି ଓ ଉଦ୍ୟାନର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ସ୍ଥାନିତ କରାଯିବାର ଯୋଜନା ରହିଛି। ଏହି ଗ୍ୟାଲେରିରେ ଶିଳ୍ପୀମାନଙ୍କୁ ନେଇ କର୍ମଶାଳା ଓ ଶିବିରମାନ ଆୟୋଜିତ ହେବ। ପର୍ଯ୍ୟଟକମାନେ ଶିଳ୍ପୀମାନଙ୍କ ସୃଜନ ପ୍ରତିଭାକୁ ସିଧାସଳଖ କାନ୍‌ଭାସ୍‌ ବା ପ୍ରସ୍ତର ଉପରେ ଉତ୍ତାରୁଥିବାର ଦେଖିବାକୁ ପାଇବେ। ବିଗତ ଦିନରେ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୁ ସାଇତି ରଖିବା ଓ ସୁରକ୍ଷିତ ରଖିବା ତଥା ପରପିଢ଼ିଙ୍କୁ ଏସବୁ ଦେଖାଇବା ଉଦ୍ଦେଶ୍ୟରେ ଏହି ଗ୍ୟାଲେରି ପ୍ରସ୍ତୁତ ହେଇଛି ବୋଲି ଲଳିତ କଳା ଏକାଡେମିର ସଚିବ ପଞ୍ଚାନନ ସାମଲ କହିଛନ୍ତି। ଖାଲି ସେତିକି ନୁହେଁ, ବସ୍ତି ପିଲାଙ୍କୁ ସୁଯୋଗ ଦେବା ଓ ତାଙ୍କ ମଧ୍ୟରେ ଲୁଚି ରହିଥିବା ଚିତ୍ରକର ଓ ଶିଳ୍ପୀଟିକୁ ବାହାରକୁ ଆଣିବା ଉଦ୍ଦେଶ୍ୟରେ ଏଠାରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଶିବିରମାନ ମଧ୍ୟ ଆୟୋଜିତ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ କହିଛନ୍ତି, ଓଡ଼ିଶା ତଥା ଓଡ଼ିଶା ବାହାରର କଳାକାର ଓ ଶିଳ୍ପୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଭାବେ ଠିଆ ହୋଇଛି କଳିଙ୍ଗ ଆର୍ଟ ଗ୍ୟାଲେରି। ଏହା ସହ ଏବେ ୫ଟି ସ୍ଥାନରେ ଯଥା ଛତ୍ରପୁର, ପୁରୀ, ବାଲେଶ୍ବର, ସମ୍ବଲପୁର ଓ କୋରାପୁଟରେ ଆଞ୍ଚଳିକ ଆର୍ଟ ଗ୍ୟାଲେରି ଖୋଲିଛି। ଆସନ୍ତା ବର୍ଷ ରାଜ୍ୟର ଆହୁରି ୫ଟି ସ୍ଥାନରେ ଆଞ୍ଚଳିକ ଆର୍ଟ ଗ୍ୟାଲେରି ଖୋଲି ଚିତ୍ରକର ଓ ଶିଳ୍ପୀଙ୍କୁ ଅଧିକ ସୁଯୋଗ ଦିଆଯିବାର ଯୋଜନା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର