‘କଳିଙ୍ଗ ବାଲି ସମ୍ପର୍କ’ର ଗବେଷଣା ହେଉ

ଭୁବନେଶ୍ବର: କଳିଙ୍ଗ ଓ ବାଲି ଦ୍ୱୀପର ସଂସ୍କୃତି, ଐତିହ୍ୟ ଓଡ଼ିଶାବାସୀଙ୍କ ସ୍ମୃତିରୁ ଧୀରେଧୀରେ ହଜି ଯାଉଥିବା ବେଳେ ବାଲି ଦ୍ୱୀପର ରାଜପୁତ୍ର ତଥା ଯମୁନାଲାଲ ବଜାଜ୍ ସମ୍ମାନରେ ପୁରସ୍କୃତ ଆଗୁସ ଇନ୍ଦ୍ର ଉଦୟାନା ଏହାର ପୁନଃ ଉତ୍‌ଥାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଇତିସହାସର ଏହି ପ୍ରସଙ୍ଗକୁ ଜନମାନସରେ ଉଜ୍ଜୀବୀତ ରଖିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ‘କଳିଙ୍ଗ ବାଲି ସମ୍ପର୍କର ଅତୀତ, ବର୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଡିଡିସିଇର ହେରି‌ଟେଜ୍‌ ହଲରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସ୍ତମ୍ଭକାର ତଥା ଶିକ୍ଷାବିତ୍‌ ଭଗବାନ ପ୍ରକାଶ କଳିଙ୍ଗ ବାଲି ସମ୍ପର୍କର ଅତୀତ, ବର୍ତମାନ ଓ ଭବିଷ୍ୟତ ସଂପର୍କରେ ଚର୍ଚା କରିଥିଲେ। ଭବିଷ୍ୟତରେ କଳିଙ୍ଗ ବାଲିର ସମ୍ପର୍କ ନେଇ ଗବେଷଣାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘କଳିଙ୍ଗ ବାଲି ସଙ୍ଗମ’ର ପ୍ରତିଷ୍ଠାତା ଇନ୍ଦ୍ର ଉଦୟାନା କଳିଙ୍ଗ ବାଲି ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସାମାଜିକ ସ୍ତରରେ ଅନେକ କାର୍ଯ୍ୟକ୍ରମ ଉଭୟ କଳିଙ୍ଗ ଓ ବାଲି ତରଫରୁ ଆରମ୍ଭ କରିବାକୁ ମତ ଦେଇଥିଲେ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଏସ. ପି. ପାଣି, ପ୍ରଫେସର ଏସ. କେ. ତ୍ରିପାଠୀ ଓ ଦୟାନିଧି ନାୟକ, ଶୋଭନୀୟ ଆନ୍ଦୋଳନର ଅରୁନ୍ଧତୀ ଦେବୀ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ନାଟ୍ୟକାର ସୁବୋଧ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଚିଦାତ୍ମିକା ଖଟୁଆ ଏବଂ ରୀନା ରାଉତ ପ୍ରମୁଖ କଳିଙ୍ଗ ବାଲି ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଡିଡିସିଇର ନିର୍ଦେଶକ ସୁଜିତ କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ। ସଂଯୋଜନା କରିଥିଲେ ପ୍ରଜ୍ଞା ପାରମିତା ପାଣିଗ୍ରାହୀ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ବାଲି ସଙ୍ଗମର ବିଭୁ ପ୍ରସାଦ ସ୍ୱାଇଁ, ଦେବଯାନୀ ଦାସ ଓ ସୁନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର