୬ ପ୍ରତିଭାଙ୍କୁ କଳିଙ୍ଗ ବାଲି ସଂଗମ ସମ୍ମାନ

ଭୁବନେଶ୍ବର: ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟର କାର୍ଯ୍ୟକ୍ରମ ‘କଳିଙ୍ଗ ବାଲି ସଙ୍ଗମ’ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହି‌ଲେ, ଇଣ୍ଡୋନେସିଆ ଓ ଇଣ୍ଡିଆ ମଧ୍ୟରେ କେବଳ ନାମର ସାମଞ୍ଜସ୍ୟ ନାହିଁ, ଦୁଇ ଦେଶର ସଂସ୍କୃତି ମଧ୍ୟରେ ବି ସାମଞ୍ଜସ୍ୟ ରହିଛି। ସେହିଭଳି ଓଡ଼ିଶା ବି ସମଗ୍ର ଭାରତକୁ ପ୍ରତିନିଧିତ୍ବ କରୁଛି। ତେଣୁ ଏଠାରେ ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ।

ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ପକ୍ଷରୁ କଳିଙ୍ଗ ଅନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ପ୍ରାକ୍ତନ ଗଭର୍ଣ୍ଣର ଆଇ ମେଡ୍‌ ମଙ୍ଗ୍‌କୁ ପାସ୍ତିକା ୧୧ ଜଣ ପ୍ରତିନିଧିଙ୍କ ସହ ସାମିଲ୍‌ ହୋଇଥିଲେ। ଏହି ଅବସରରେ ଆତିଥ୍ୟ ପାଇଁ ସ୍ବସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲ୍‌ର ଚେୟାରମ୍ୟାନ୍‌ ତଥା ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି, ଗଞ୍ଜାମର ଆର୍‌ଟିଓ ସଂଜୟ କୁମାର ବିଶ୍ବାଳ, ବାଲିସ୍ଥିତ ଆଶ୍ରମ ଗାନ୍ଧୀପୁରୀର ଅଗସ୍‌, ପ୍ଲାଷ୍ଟିକ୍‌ ଓ କସ୍‌ମେଟିକ୍‌ ସର୍ଜନ ଡ. ଅକ୍ଷୟ ରାଉତ, ସାମାଜିକ କର୍ମୀ ଅରବିନ୍ଦ ଅଗ୍ରୱାଲ୍‌ ଏବଂ ଡାକ୍ତର ସଂଜୀବ କୁମାର ମିଶ୍ରଙ୍କୁ ‘କଳିଙ୍ଗ ବାଲି ସଂଗମ ସମ୍ମାନ’ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟ୍‌ର ପ୍ରତିଷ୍ଠାତ୍ରୀ ଚିଦାତ୍ମିକା ଖଟୁଆ ସ୍ବାଗତ ଭାଷଣ ଦେଇଥିବା‌ ବେଳେ କଳିଙ୍ଗ ଅନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଭୁ ପ୍ରସାଦ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା‌ ପରେ ଜୟଶ୍ରୀ ଧଳ ଓ ସାଥୀମାନେ ଓଡ଼ିଶାର ସାଂସ୍କୃତିକ ବିଚିତ୍ରାକୁ ନୃତ୍ୟ ଓ ଗୀତରେ ପରସି ଦେଇଥିଲେ। ପରେ କାତ୍ୟାୟିନୀ ମହାନ୍ତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଓଡ଼ିଶାର ହସ୍ତତନ୍ତ ଓ ପରମ୍ପରାକୁ ନେଇ ନାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫେସନ୍‌ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନେ ରୢାମ୍ପ୍‌ ସୋ ପ୍ରଦର୍ଶନ କରିଥିଲେ। ଓଡ଼ିଶାର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ଏବଂ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ୍‌ର ମିଳିତ ପ୍ରସ୍ତୁତିରେ ଆଗାମୀ ଦିନରେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର