ଖଣ୍ଡଗିରି: କଳିଙ୍ଗବିହାରଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ରଙ୍ଗ୍ସାଇଡ୍ ଗାଡ଼ିଚାଳନା ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ଚିନ୍ତା ବଢ଼ାଇଦେଇଛି। କାଁ ଭାଁ ହେଲ୍ମେଟ୍, ସିଟ୍ ବେଲ୍ଟ ଧରପଗଡ଼ ହେଉଥିଲେ ମଧ୍ୟ ଅମାନିଆ ଚାଳକଙ୍କୁ ଧରିବାରେ ସକ୍ଷମ ହେଉନାହାନ୍ତି ପୁଲିସ। ପ୍ରତିଘଣ୍ଟାରେ ଶତାଧିକ ଗାଡ଼ି ରଙ୍ଗ୍ରୁଟ୍ରେ ଯାଉଥିଲେ ମଧ୍ୟ ଆଖିବୁଜି ଦେଇଛି ଟ୍ରାଫିକ୍ ପୁଲିସ। ପାତ୍ରପଡ଼ାରେ ଏନ୍ଏଚ୍ ୧୬ଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ଟ୍ରାଫିକ୍-୨ ଥାନା ଥିଲେ ମଧ୍ୟ ଯାଞ୍ଚ ଅଭାବରୁ ଏଭଳି ଆଇନ ଉଲ୍ଲଂଘନ ପ୍ରତି ମୁହୂର୍ତ୍ତରେ ବିପଦକୁ ଡାକୁଛି।
ଏନ୍ଏଚ୍ ୧୬ର କଳିଙ୍ଗବିହାରଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ମଧ୍ୟରେ ବହୁ ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ରହିଛି। ସେହିଭଳି ଖୋର୍ଦ୍ଧା ପଟୁ ଏମ୍ସ୍ ଭଳି ଜାତୀୟସ୍ତରର ଅନୁଷ୍ଠାନକୁ ଯିବା ପାଇଁ ଏହି ବାଟ ଦେଇ ଯିବାକୁ ପଡ଼େ। ଜାତୀୟ ରାଜପଥର ଓଭର୍ବ୍ରିଜ୍ ତଳେ କଳିଙ୍ଗବିହାର, ପାତ୍ରପଡ଼ା, ଆଇଗିଣିଆ ଓ ଏମ୍ସ୍କୁ ଯିବା ପାଇଁ ଅଣ୍ଡର୍ପାସ୍ ନିର୍ମାଣ ହୋଇଛି। ମାତ୍ର କିଛି ଅମାନିଆ ଚାଳକ ଏ ସବୁ ଅଣ୍ଡର୍ପାସ୍ ଦେଇ ନ ଯାଇ ରଙ୍ଗ୍ରୁଟ୍କୁ ଆପଣାଉଛନ୍ତି। ଏଥିରୁ ଭାରୀଯାନ ବି ବାଦ୍ ପଡ଼ୁନି। କିଛି ଚାଳକ କଳିଙ୍ଗବିହାର ଛକଠାରୁ ଡୁମୁଡୁମା ଛକ ପର୍ଯ୍ୟନ୍ତ ରଙ୍ଗ୍ ସାଇଡ୍ରେ ଦ୍ରୁତ ଗତିରେ ଗାଡ଼ିଚାଳନା କରୁଥିବା ଦେଖିବାକୁ ମିଳୁଛି। ଏମିତିକି ବିପରୀତ ଦିଗରୁ ଗାଡ଼ି ଆସିଲେ ଚାଳକମାନେ ଅମାନିଆଙ୍କୁ ବାଟ ଛାଡ଼ିଦେଉଛନ୍ତି।
ଉଭୟ ପକ୍ଷଙ୍କ ଅଦୃଶ୍ୟ ବୁଝାମଣାରେ ଯାତାୟାତ ସୁରୁଖୁରୁରେ ଚାଲୁଛି। ରାତି ୧୦ଟା ପରେ ଏହା ଆୟତ୍ତ ବାହାରକୁ ଚାଲିଯାଉଛି। ପ୍ରତ୍ୟହ ଛୋଟମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁନି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏମ୍ସ୍କୁ ଯିବା ନିମନ୍ତେ ଖୋର୍ଦ୍ଧା ପଟୁ ଆସୁଥିବା ଚାରିଚକିଆ ଗାଡ଼ି ବାଟ ଜାଣି ନପାରି କଳିଙ୍ଗବିହାରଠାରୁ ରଙ୍ଗ୍ ସାଇଡ୍ ଧରିନେଉଛନ୍ତି। ଏମ୍ସ୍ ରାସ୍ତା ସମ୍ମୁଖରେ ଥିବା ଅଣ୍ଡର୍ପାସ୍ଟି ସଂକୀର୍ଣ୍ଣ ହେତୁ ବାରମ୍ବାର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା। ଏହାକୁ ଏଡ଼ାଇବା ପାଇଁ ଏହି ଅଣ୍ଡର୍ପାସ୍ ଦେଇ ଚାରିଚକିଆ ଯାନ ଚଳାଚଳ ବନ୍ଦ ରହିଛି। ତିନିଟି ବ୍ୟାରିକେଡ୍ ଦେଇ ଏହି ବାଟେ ବାଇକ୍ ଯା’ଆସ କରୁଥିଲା ବେଳେ କିଛି ଅଟୋ ମଧ୍ୟ ଗଳିପଶି ପଳାଉଛନ୍ତି। ପାଖାପାଖି ଦେଢ଼ କିଲୋମିଟର ବୁଲିକରି ଯିବା ବଦଳରେ ରଙ୍ଗସାଇଡ୍ରେ ଯିବାକୁ ଏହି ଅମାନିଆ ଚାଳକମାନେ ପସନ୍ଦ କରୁଛନ୍ତି। ନିୟମିତ ଭାବେ ଏହି ସ୍ଥାନରେ ଗାଡ଼ିମଟର ଯାଞ୍ଚ କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ ଦାବି କରିଛନ୍ତି।