ଭୁବନେଶ୍ୱର : ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା, ମାଦ୍ରାସ୍, ଶାଖା ହାଇଦ୍ରାବାଦ, ତେଲେଙ୍ଗାନା ପକ୍ଷରୁ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ସହଯୋଗରେ ଆଜି ‘କଳିଙ୍ଗ ପୁସ୍ତକ ମେଳା’ର ଦ୍ୱିତୀୟ ସଂଧ୍ୟାରେ ଏକ ହିନ୍ଦୀ ଭାଷା ପ୍ରଚାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଆସିଷ୍ଟାଣ୍ଟ୍ ଲେବର କମିସନର୍ କେ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗର ଡେପୁଟି ସେକ୍ରେଟାରି ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ଓ କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ଶ୍ରୀରାମ ଶ୍ରୀତବାସ୍ଲୁ, ଶଙ୍କର ସିଂହ ଠାକୁର ପ୍ରମୁଖ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଭାଷାବିତ୍ କେ. ସଙ୍ଗୟା ମଠ୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଓଡ଼ିଶା ରାଜ୍ୟ ସଂପାଦିକା ଗୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଚନ୍ଦ୍ରବିଜୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଶିଶୁ କଳାକାର ଅନୁଭବ, ଅନୁପମ, ଅନନ୍ୟା ଓ ଲକ୍ଷ୍ମୀ ଶ୍ରବ୍ୟାଞ୍ଜଳିଙ୍କୁ ପୁରସ୍କୃତ କରାଯାଇଛି।
ଚାହିଦାରେ ‘କଥା ଶତକ’
‘ସମ୍ବାଦ’ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ପ୍ରତିଦିନ ପ୍ରକାଶ ପାଏ ‘କଥାଟିଏ’ ସ୍ତମ୍ଭ। ସମାଜର କିଛି ନିଚ୍ଛକ କଥା ଓ ନୀତି ଶିକ୍ଷା ଉପରେ ଆଧାରିତ ଏହି ସ୍ତମ୍ଭଟି ବହୁ ବର୍ଷ ଧରି ପାଠକୀୟ ଆଦୃତି ହାସଲ କରି ‘କଥା ଶତକ’ ଭାବେ ଏହି ସ୍ତମ୍ଭଟି ପୁସ୍ତକର ରୂପ ନେଇଛି। ତେବେ ଏହାକୁ କିଣିବାକୁ ‘କଳିଙ୍ଗ ପୁସ୍ତକ ମେଳା’ର ଦ୍ୱିତୀୟ ଦିନରେ ‘ଆମ ଓଡ଼ିଶା’ ଷ୍ଟଲ୍ ପାଖରେ ପାଠକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଛି। ପ୍ରତିଟି ସଂକଳନରେ ୧୦୦ଟି ଲେଖାଏଁ ଗଳ୍ପ କରି ୫ଟି ସଂକଳନରେ ୫୦୦ଟି ଗଳ୍ପ ଏଥିରେ ପାଠକଙ୍କ ପାଇଁ ରହିଛି। ଏଥିସହ ‘କଥା’ ପତ୍ରିକାର ବଛା ବଛା ଗପକୁ ନେଇ ପ୍ରକାଶିତ ‘ଶ୍ରେଷ୍ଠ କଥା’, ‘ପ୍ରେମ କଥା’ ଓ ‘ନିର୍ବାଚିତ କଥା’ ମଧ୍ୟ ବେଶ୍ ଚାହିଦାରେ ରହିଛି। ପୁଣି ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ପିଲାଙ୍କ ଭାଗବତ’, ‘ପିଲାଙ୍କ ରାମାୟଣ’ ଓ ‘ପିଲାଙ୍କ ମହାଭାରତ’ ମଧ୍ୟ ବେଶ୍ ବିକ୍ରି ହେଉଥିବା ଜଣାପଡ଼ିଛି।