ଭୁବନେଶ୍ୱର : ସବୁଜିମାରେ ଭରିଯାଇଛି ସମ୍ପୂର୍ଣ୍ଣ ପରିବେଶ। ଦେଖିଲେ ଆଖିକୁ ଯେତେ ଆରାମ ଲାଗୁଛି ସେଗୁଡ଼ିକର ବ୍ୟବହାର ଶରୀରକୁ ସୁସ୍ଥ କରିବାରେ ବି ସେତିକି ସମର୍ଥ। ପେଟ ରୋଗଠାରୁ ଆରମ୍ଭ କରି ଥଣ୍ଡା, ଆଣ୍ଡୁଗଣ୍ଠି ବ୍ୟଥା, ଦାନ୍ତ ବିନ୍ଧା, ମଧୁମେହ ଓ କେଶ ଝଡ଼ିବା ଆଦି ବିଭିନ୍ନ ସମସ୍ୟାର ସହଜ ଓ ସରଳ ସମାଧାନ ନେଇ ଆସିଛି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା’ର ଔଷଧୀୟ ବୃକ୍ଷ ପସରା।
ମେଳା ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷର ବିଶାଳ ପସରାକୁ ନେଇ ଖୋଲିଥିବା ପାତ୍ରପଡ଼ାର ‘ମେଡିସିନାଲ୍ ପ୍ଲାଣ୍ଟ୍ସ୍ ନଲେଜ୍ ସେଣ୍ଟର୍’ରେ ରହିଛି ପ୍ରାୟ ୬୮ ପ୍ରକାରର ଔଷଧୀୟ ବୃକ୍ଷ। କର୍ପୂର ତୁଳସୀ ଓ ଲେମନ୍ ଗ୍ରାସ୍ ଏହି ଷ୍ଟଲ୍ର ସ୍ୱତନ୍ତ୍ରତା। କର୍ପୂର ତୁଳସୀ ପତ୍ରକୁ ହାତରେ ଟିକେ ମଳିଲେ କର୍ପୂର ବାସ୍ନା ହେଉଥିବା ବେଳେ ଲେମନ୍ ଗ୍ରାସ୍ ପତ୍ରକୁ ହାତରେ ମଳିଲେ ଏହା ଲେମ୍ବୁ ଭଳି ବାସ୍ନା ହେଉଛି। ଏଥିସହ ଆହୁରି ରହିଛି ରାମ ତୁଳସୀ, ଦୁଲଭା ତୁଳସୀ, କଳା ଓ ଧଳା ତୁଳସୀ। ଏସବୁ ଉଭୟ ପୂଜା ଓ ଥଣ୍ଡା ରୋଗ ପାଇଁ ଉପଯୋଗୀ। ପୁଣି ଥଣ୍ଡାରୁ ଆରୋଗ୍ୟ ତଥା ଚା’ ରେ ବ୍ୟବହାର ପାଇଁ ରହିଛି ଲେମନ୍ ଗ୍ରାସ୍, ମଲ୍ଟି-ଭିଟାମିନ୍ ଗ୍ରିନ୍ ହେଉଛି ଏକ ଭିଟାମିନ୍ଯୁକ୍ତ ଶାଗ, ପୁଣି ମଧୁମେହ ରୋଗ ପାଇଁ ଇନ୍ସୁଲିନ୍ ଗଛ, ଦାନ୍ତ ବିନ୍ଧାରୁ ମୁକ୍ତି ତଥା ମାଉଥ୍ ଫ୍ରେସ୍ନେସ୍ ଭାବେ ଅକରକରା ବୃକ୍ଷ, ହଜମ ପାଇଁ ଖଟା ମିଠା ପାର୍ସା କୋଳି ବୃକ୍ଷ, ଗ୍ୟାସ୍ଜନିତ ରୋଗ ପାଇଁ ରୁକୁଣା ହାତ ପୋଛା ବୃକ୍ଷ, ସୁନ୍ଦର କେଶ ପାଇଁ ଭୃଙ୍ଗରାଜ ଓ ସ୍ମରଣ ଶକ୍ତି ପାଇଁ ବ୍ରାହ୍ମୀ, ଆଣ୍ଠୁଗଣ୍ଠି ବ୍ୟଥା ପାଇଁ ପସାରୁଣୀ ବୃକ୍ଷ, ଶ୍ୱାସ ପାଇଁ ବାସଙ୍ଗ, ପେଟ ଥଣ୍ଡା ପାଇଁ ଆୟାପାନ, ଚିନି ବଦଳରେ ଖାଦ୍ୟକୁ ମିଠା କରିବା ପାଇଁ ଷ୍ଟିଭିଆ ଆଦି ନାନାଦି ବୃକ୍ଷ ଏଠାରେ ଉପଲବ୍ଧ। ପୁଣି ପ୍ରତ୍ୟେକ ଚାରା ପିଛା ୧୦ରୁ ୨୦ ଟଙ୍କା ଲେଖାଏଁ ରହିଛି।
‘ମେଡିସିନାଲ୍ ପ୍ଲାଣ୍ଟ୍ସ୍ ନଲେଜ୍ ସେଣ୍ଟର୍’ର ପ୍ରତାପ କୁମାର ସାହୁ କୁହନ୍ତି, ପାତ୍ରପଡ଼ାରେ ପ୍ରାୟ ୧୫୦ ଏକର ଜମିରେ ଏସବୁ ଲଗାଯାଇଛି। ବିନା ପିଡ଼ିଆ ବା ରସାୟନରେ ଏସବୁ ବୃକ୍ଷର ରକ୍ଷଣାବେକ୍ଷଣ କରାଯାଉଛି। ଜୈବିକ ସାର ଓ ମାଟିକୁ ନେଇ ଏତେ ବଡ଼ ଔଷଧୀୟ ସେଣ୍ଟର୍ ପ୍ରସ୍ତୁତ ସମ୍ଭବ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରାୟ ୩୫୦ ପ୍ରକାରର ଔଷଧୀୟ ବୃକ୍ଷ ରହିଥିବା ସେ ସୂଚନା ଦେଇଛନ୍ତି। ପୁଣି ଏହା ଦ୍ୱାରା ରୋଗୀ ବି ବେଶ୍ ଉପକୃତ ହେଉଥିବା ସେ କହିଛନ୍ତି।
କଳିଙ୍ଗ ହର୍ବାଲ୍ ମେଳାରେ ବୈଦ୍ୟ ସମ୍ମିଳନୀ
ଔଷଧୀୟ ବୃକ୍ଷ ତଥା ଆୟୁର୍ବେଦିକ ଔଷଧର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା’ରେ ଏକ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରାୟ ୫୩ ଜଣ ବୈଦ୍ୟ ଯୋଗ ଦେଇ ସେମାନଙ୍କ ଔଷଧର ସ୍ୱତନ୍ତ୍ରତା ତଥା ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମାଳନୀ ଅବସରପ୍ରାପ୍ତ ବନ ଖଣ୍ଡ ଅଧିକାରୀ ବିଶ୍ୱନାଥ ହୋତା, ଅବସରପ୍ରାପ୍ତ ଡିଏଏମ୍ଓ ଏମ୍ ପି ହୋତା ଓ ହର୍ମୋହନ ମହାରଣା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।