ଭୁବନେଶ୍ୱର: ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆନୁଷଙ୍ଗିକ ଭିତ୍ତିିଭୂମି ଯୋଗାଇ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଭୁବନେଶ୍ୱରରେ ଯେପରି ବିଭିନ୍ନ କ୍ରୀଡ଼ା କମ୍ପ୍ଲେକ୍ସ ଗଠନ ହେବ, ସମସ୍ତ ପ୍ରକାରର ଖେଳ ପାଇଁ ଷ୍ଟାଡିୟମ ରହିବ, ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଡ୍ରେସିଂ ରୁମ୍ ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ ସେନେଇ ଯୋଜନା ହୋଇଛି। ଯୋଜନା ଅନୁଯାୟୀ ଇନ୍ଫୋଭ୍ୟାଲିରେ କଳିଙ୍ଗ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ନିର୍ମାଣ ହେବ। ଏଥିପାଇଁ ୧୦୦ ଏକର ଜମି ଦେବାକୁ ଇଡ୍କୋକୁ କୁହାଯାଇଛି। ଇନଫୋଭ୍ୟାଲିକୁ ଆଇଟି ହବ୍ରେ ପରିଣତ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଥିବାବେଳେ ଏଠାରେ ଏବେ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ନିର୍ମାଣ କରିବାକୁ ସ୍ଥିର ହୋଇଛି। ଆଇଟି ହବ୍ ସହ ସ୍ପୋର୍ଟସ ସିଟିର ପରିଚୟ ଦେଇ ଇନଫୋଭ୍ୟାଲିକୁ ବିକଶିତ କରାଯିବ ବୋଲି ସ୍ଥିର ହୋଇଛି। ୧୯୭୮ ମସିହାରେ ଜୟଦେବ ବିହାର ଛକ ନିକଟରେ କଳିଙ୍ଗ ଷ୍ଟାଡିୟମର ଶିଳାନ୍ୟାସ ହୋଇଥିବାବେଳେ ଏଠାରେ କ୍ରିକେଟ ବ୍ୟତୀତ ଅନ୍ୟ ସବୁ ଖେଳ ପାଇଁ ଭିତ୍ତିଭୂମି ରହିଛି। ହେଲେ ଏଠାରେ ଏକ ସମୟରେ ଏକାଧିକ ମ୍ୟାଚ୍ ହେଲା ଭଳି ଆବଶ୍ୟକ ଭିତ୍ତିଭୂମି ନାହିଁ। ରାଜଧାନୀର କେନ୍ଦ୍ରସ୍ଥଳୀରେ କଳିଙ୍ଗ ଷ୍ଟାଡିୟମ ରହୁଥିବାରୁ ଏହାର ସମ୍ପ୍ରସାରଣ ମଧ୍ୟ ସମ୍ଭବ ହେଉନାହିଁ। ଟ୍ରାଫିକ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନଜରରେ ରଖି ଇନଫୋଭ୍ୟାଲିରେ କଳିଙ୍ଗ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ନିର୍ମାଣ କରିବାକୁ ସ୍ଥିର ହୋଇଛି।
ଇନଫୋଭ୍ୟାଲିରେ ପ୍ରାୟ ୬୬୦ଏକର ଜମି ଥିବାବେଳେ ଏଠାରେ ଆଇଟି ହବ୍ ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରିବାକୁ ସିଙ୍ଗାପୁରର ଜୁରାଙ୍ଗ କନସଲଣ୍ଟାନ୍ସିକୁ ଦାୟିତ୍ୱ ଦିଆଯାଇଛି। ଏଠାରେ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ହେଲେ କେଉଁ ଅଞ୍ଚଳରେ କେଉଁ କ୍ରୀଡ଼ା କମ୍ପ୍ଲେକ୍ସ ରହିବ, କେଉଁଠି ମୁଖ୍ୟ ପଡ଼ିଆ, ଅଭ୍ୟାସ ପଡ଼ିଆ, ଗ୍ୟାଲେରି, ପାର୍କିଂ ଅଞ୍ଚଳ, ହଷ୍ଟେଲ ଆଦି ରହିବ ସେନେଇ ଯୋଜନା ପ୍ରସ୍ତୁତ ହେବ। ଏହାବାଦ୍ ଖେଳାଳି ରହିବା ପାଇଁ ନିକଟରେ ଅନ୍ତର୍ଜାତୀୟ ମାନର ହୋଟେଲ ନିର୍ମାଣ କରିବା ଲାଗି ଜମି ଯୋଗାଇ ଦିଆଯିବ। ଏ ସବୁକୁ ନଜରରେ ରଖି ଡିଜାଇନ୍ ପ୍ରସ୍ତୁତ କରିବାକୁ ଏକ ଅନ୍ତର୍ଜାତୀୟ ସ୍ତରର କନସଲଣ୍ଟାନ୍ସିକୁ ନିଯୁକ୍ତି ଦିଆଯିବ ବୋଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଭାରତୀୟ ହକି ଟିମ୍ର ପ୍ରଯୋଜକ ହୋଇଥିବାବେଳେ ନିକଟରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍, ହକି ଚାମ୍ପିଅନ୍ସ ଟ୍ରଫି, ହକି ଓ୍ଵାର୍ଲଡ ଲିଗ୍ ଭଳି ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇଛି। ନିକଟ ଭବିଷ୍ୟତରେ ହକି ବିଶ୍ୱକପ୍ ଏବଂ ଟେନିସ୍ରେ ଇଣ୍ଡିଆ ଏଫ୍୧ ଫ୍ୟୁଚର୍ସ ଭଳି ପ୍ରତିଯୋଗିତାମାନ ହେବ। ଏହାବାଦ୍ ଭବିଷ୍ୟତରେ ବହୁ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା ଅଛି। ଏହାକୁ ନଜରରେ ରଖି ଇନଫୋଭ୍ୟାଲିରେ ଅନ୍ତର୍ଜାତୀୟ ସ୍ପୋର୍ଟସ ସିଟି ନିର୍ମାଣ କରାଯିବ ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେହିପରି କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରରେ ସାଟେଲାଇଟ୍ ଷ୍ଟାଡିୟମ୍ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ତୁରନ୍ତ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କଟକରେ ନାରଣପୁର ମୌଜାରେ ୧୮.୬୫ଏକର, ବ୍ରହ୍ମପୁରରେ ଅରୁଆପାଲିରେ ୧୬.୫ଏକର, ସମ୍ବଲପୁରରେ କଳାମାଟିରେ ୧୫ଏକର, ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉନ୍ନତିକରଣ କରିବାକୁ ନିଷ୍ପତ୍ତି ହୋଇଛି।