ଭୁବନେଶ୍ବର: କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍ (KLF) ଓ ପ୍ରମୁଖ ଓଡ଼ିଆ ଦୈନିକ ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ର ମିଳିତ ପ୍ରୟାସରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ସମ୍ବାଦ–ପୁସ୍ତକ ସମୀକ୍ଷା’ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଅଭିନବ ଜାତୀୟ-ସ୍ତରୀୟ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ପୁସ୍ତକ ପଠନ ପ୍ରତି ପାଠକମାନଙ୍କ ଆଗ୍ରହକୁ ପୁନର୍ଜୀବିତ କରି ସାହିତ୍ୟିକ ଆଲୋଚନାକୁ ଉତ୍ସାହିତ କରିବା ଏବଂ ସାରା ଦେଶରେ ଥିବା ଓଡ଼ିଆ ପାଠକମାନଙ୍କୁ ଏକତ୍ର କରିବା।
ଏହି ପରିଯୋଜନା ମାଧ୍ୟମରେ ପୁସ୍ତକ ପ୍ରେମୀମାନଙ୍କୁ ୧୨ଟି ବଚ୍ଛା ବଚ୍ଛା ଓଡ଼ିଆ ପୁସ୍ତକ ପଢ଼ି ସମୀକ୍ଷା କରିବା ଏବଂ ନିଜ ମତାମତ ପ୍ରଦାନ କରିବା ପାଇଁ ଆମନ୍ତ୍ରଣ କରାଯାଉଛି। ପୁସ୍ତକଗୁଡ଼ିକୁ ପଢ଼ିବା ପରେ, ପ୍ରତିଯୋଗୀମାନେ ୧,୦୦୦ ଶବ୍ଦର ମଧ୍ୟରେ ସମୀକ୍ଷା ଲେଖି ନିଜ ପରିଚୟ ସହିତ ପୁସ୍ତକର ଗୋଟିଏ ଫଟୋ ପଠାଇବେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ତିନିଜଣ ସମୀକ୍ଷକଙ୍କୁ ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ସମ୍ମାନ ପ୍ରଦାନ କରାଯିବ।
ଏହି ପ୍ରତିଯୋଗିତା ପାଇଁ ସମ୍ବାଦ ଗ୍ରୁପ୍ର ଅଭିଜ୍ଞ ସମ୍ପାଦକୀୟ ମଣ୍ଡଳୀ ଦ୍ୱାରା ନିମ୍ନଲିଖିତ ୧୨ଟି ଉତ୍କୃଷ୍ଟ ଓଡ଼ିଆ ପୁସ୍ତକର ଏକ ତାଲିକା ପ୍ରସ୍ତୁତ କରାଯାଇଛି—
- ଅନ୍ଧାରର ବିଭୀଷିକା (ନାଟକ) – ବିଜୟ କୁମାର ଶତପଥୀ
- ବିପ୍ଲବୌ ମଧୁସୂଦନମ୍ (ଇତିହାସ ଆଧାରିତ ଉପନ୍ୟାସ) – ଶଶିକାନ୍ତ ମିଶ୍ର
- ଏକା ଏକା ଏକାଠି (ରମ୍ୟରଚନା ସଂକଳନ) – ଅଧ୍ୟାପକ ବିଶ୍ୱରଞ୍ଜନ
- ଭୂମିସ୍ପର୍ଶ (କବିତା ସଂକଳନ) – ମମତା ଦାଶ
- ଛାୟାଲୋକ (କ୍ଷୁଦ୍ରଗଳ୍ପ ସଂକଳନ) – ତରୁଣକାନ୍ତି ମିଶ୍ର
- ଏକ ଶରୀରାଂଶର କୁହୁକ ଓ ଅନ୍ୟାନ୍ୟ (ପ୍ରବନ୍ଧ ସଂକଳନ) – ଜ୍ୟୋତି ନନ୍ଦ
- ଲକ୍ଷ୍ମୀପୁରାଣ କଥା (ପୌରାଣିକ କାହାଣୀ) – ଅସିତ ମହାନ୍ତି
- ମ୍ୟାଟିନି ସୋ (ଗଳ୍ପ ସଂକଳନ) – ଦେବଦାସ ଛୋଟରାୟ
- ପୁନଶ୍ଚ ଅବଲୋକରା (ଫିଚର୍ ସଂକଳନ) – ସ୍ୱରାଜ ମିଶ୍ର
- ମୋ ଜୀବନ ଓ ଜଞ୍ଜାଳ କାହାଣୀ (ଆତ୍ମଜୀବନୀ) – ନନ୍ଦ କବିଶାର ଦାସ
- ଆହେ ନୀଳଶୈଳ (ନାଟକ) – ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା
- ଅଶେଷ ଅନୁରାଗ (ଗଳ୍ପ ସଂକଳନ) – ବିଜୟାନନ୍ଦ ସିଂହ
ଉପରୋକ୍ତ ୧୨ଟି ପୁସ୍ତକ ମଧ୍ୟରୁ ଯେକୌଣସି ଗୋଟିଏ ପୁସ୍ତକ ଉପରେ ସମୀକ୍ଷା କରିବାକୁ ଅନୁରୋଧ। ପୁସ୍ତକ ସମୀକ୍ଷା ଦାଖଲ କରିବାର ଅନ୍ତିମ ତାରିଖ- ୦୫ ଜାନୁଆରି ୨୦୨୬ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଚୟନ ପ୍ରକ୍ରିୟାରେ KLF ସହାୟତାରେ ପ୍ରଥମେ ୧୫ଟି ଶ୍ରେଷ୍ଠ ସମୀକ୍ଷାକୁ ବଛାଯିବ। ପରେ 'ସମ୍ବାଦ'ର ଦୁଇଜଣ ବରିଷ୍ଠ ସମ୍ପାଦକ ଏବଂ KLFର ଜଣେ ପ୍ରତିନିଧିଙ୍କୁ ନେଇ ଗଠିତ ଏକ ଜୁରି (Jury) ଚୂଡ଼ାନ୍ତ ବିଜେତାଙ୍କୁ ଚୟନ କରିବେ। ୦୯ ଜାନୁଆରି ୨୦୨୬ରେ ପ୍ରତିଯୋଗିତାର ବିଜେତାମାନଙ୍କର ନାମ ଘୋଷଣା କରାଯିବ। ଏଥରେ ପ୍ରଥମ ବିଜେତାଙ୍କୁ ୧୦,୦୦୦ ଟଙ୍କା ଏବଂ ଉଭୟ ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ୫,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ତାହା ସହିତ ସେମାନଙ୍କୁ ପୁରସ୍କାର ସ୍ବରୂପ ପୁସ୍ତକ ପ୍ରଦାନକରି ସମ୍ମାନିତ କରାଯିବ। ୧୧ ଜାନୁଆରି ୨୦୨୬ରେ ଓଡ଼ିଶାର ଭୁବନେଶ୍ବରସ୍ଥିତ ମେଫେୟାର ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍'ର ଭବ୍ୟ ମଞ୍ଚରେ ଏହି ପୁରସ୍କାର ପ୍ରଦାନ କରାଯିବ।
କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍ (KLF)ର ସିଇଓ (CEO) ତଥା ପୃଷ୍ଠପୋଷକ ଅଶୋକ କୁମାର ବଳ ଏହି ପରିପ୍ରେକ୍ଷୀରେ କହିଛନ୍ତି, 'ବର୍ତ୍ତମାନର ଯୁଗରେ ଯେତେବେଳେ ଡିଜିଟାଲ୍ ମାଧ୍ଯମ ଆମକୁ ଦିନକୁ ଦିନକୁ ପୁସ୍ତକଠାରୁ ଦୂରେଇ ନେଉଛି, ସେତେବେଳେ “କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍-ସମ୍ବାଦ ପୁସ୍ତକ ସମୀକ୍ଷା” ପ୍ରତିଯୋଗିତା ପରି ଏକ ଅଭିନବ ଉଦ୍ୟମ ତଥା ମୌଳିକ ପଦକ୍ଷେପ ପୁସ୍ତକର ମହତ୍ତ୍ଵକୁ ସ୍ମରଣ କରାଇଥାଏ। ପାଠକମାନଙ୍କୁ ପୁସ୍ତକ ପଢ଼ିବା, ଗଭୀର ସାହିତ୍ୟ ଚିନ୍ତନ କରିବା ଏବଂ ନିଜର ମତ ବ୍ୟକ୍ତ କରିବାକୁ ଉତ୍ସାହିତ କରିବା ପାଇଁ ଏହା ଏକ ନୂତନ ପ୍ରୟାସର ଅୟମାରମ୍ଭ ଅଟେ। ପୁସ୍ତକ ସମୀକ୍ଷା କେବଳ ପୁରସ୍କାର ପ୍ରଦାନ ନିମନ୍ତେ ନୁହେଁ, ପୁସ୍ତକ ପଠନର ସୁଖକୁ ପୁନର୍ଜୀବନ ପ୍ରଦାନ କରିବାର ଏକ ଶକ୍ତିଶାଳୀ ସ୍ମରଣ ଅଟେ । ପାଠକମାନଙ୍କୁ ସାହିତ୍ୟ ଚିନ୍ତନ କରିବା, ଏବଂ ସେମାନଙ୍କର ଉନ୍ନତ ଚିନ୍ତାକୁ ବାଣ୍ଟିବାକୁ ପ୍ରୋତ୍ସାହିତ କରି ଆମେ କେବଳ ପୁସ୍ତକ ପଢ଼ିବାର ପ୍ରେମକୁ ପୁନର୍ଜୀବିତ କରୁନାହୁଁ; ବରଂ ପରବର୍ତ୍ତୀ ପିଢ଼ିର ସାହିତ୍ୟ ସମାଲୋଚକମାନଙ୍କର ସ୍ବରକୁ ପ୍ରେରଣା ପ୍ରଦାନ କରୁଛୁ। ଏହି ପ୍ରତିଯୋଗିତାରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ସାହିତ୍ୟକୁ ସୁସମୃଦ୍ଧ କରିବାକୁ ଶ୍ରୀ ବଳ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି।”
'ସମ୍ବାଦ'ର ସଂପାଦକ ତନୟା ପଟ୍ଟନାୟକ ଏହି ଅବସରରେ କହିଛନ୍ତି, "କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍ ପୁସ୍ତକ ପ୍ରେମୀଙ୍କ ମଧ୍ୟରେ ସର୍ବଦା ପଠନ ଅଭ୍ୟାସ ଏବଂ ସାହିତ୍ୟିକ ଜିଜ୍ଞାସାକୁ ପ୍ରୋତ୍ସାହିତ କରିଆସିଛି ଏବଂ ଆମେ ସେମାନଙ୍କ ସହ ଯୋଡ଼ି ହୋଇ ଅତ୍ୟନ୍ତ ଆନନ୍ଦିତ । 'ସମ୍ବାଦ' ସର୍ବଦା ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ତଥା ନୂତନ ସ୍ବରକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରତିଯୋଗିତା ଓଡ଼ିଆ ପୁସ୍ତକକୁ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଅଭିନବ ଓ ଚମତ୍କାର ମାଧ୍ୟମ ହୋଇପାରିବ। ଏହି ଅଭିନବ ପ୍ରୟାସ ପାଇଁ ଆମେ ପାଠକମାନଙ୍କଠାରୁ ବ୍ୟାପକ ସମର୍ଥନ ଏବଂ ବହୁ ସଂଖ୍ୟକ ଅଂଶଗ୍ରହଣ ଆଶା କରୁଛୁ। ଲେଖକ, ପ୍ରକାଶକ ଏବଂ ପାଠକଙ୍କୁ ଏକାଠି କରିବାରେ KLFର ଭୂମିକା ଗୁରୁତ୍ବପୂର୍ଣ ଏବଂ ଦେଶର ପଠନ ସଂସ୍କୃତିକୁ ସୁଦୃଢ଼ କରୁଥିବା ଏହି ପ୍ରତିଯୋଗିତାକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ। KLF ପ୍ରତ୍ୟେକ ସଂସ୍କରଣରେ ନିଜର ଉତ୍କର୍ଷର ମାନଦଣ୍ଡକୁ ବୃଦ୍ଧି କରିଆସିଛି ଏବଂ ଆମର ଦୃଢ଼ ବିଶ୍ବାସ ଯେ, ବିଶିଷ୍ଟ ବକ୍ତା ଓ ଉଚ୍ଚକୋଟୀର ଅଧିବେଶନକୁ ନେଇ ଚଳିତ ବର୍ଷର ଉତ୍ସବ ନିଶ୍ଚିତ ଭାବରେ ଅନନ୍ୟ ହେବ।"
ଏହି ପ୍ରତିଯୋଗିତା ଭାରତର ସମସ୍ତ ପାଠକଙ୍କ ପାଇଁ ଉନ୍ମୁକ୍ତ ଏବଂ ଏଥିପାଇଁ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା। ନବାଗତ ଲେଖକ, ଅଭିଜ୍ଞ ସମୀକ୍ଷକ କିମ୍ବା ସାଧାରଣ ପୁସ୍ତକ ପ୍ରେମୀ ସମସ୍ତଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।
ଆସନ୍ତୁ, ସମସ୍ତେ ଏହି ବିଶାଳ ସାହିତ୍ୟ ମହାଯଜ୍ଞରେ ନିଜକୁ ସାମିଲ କରନ୍ତୁ। ଆମେ ଭାରତର କୋଣ ଅନୁକୋଣରୁ ପାଠକମାନଙ୍କୁ ଓଡ଼ିଶା ଆସିବାକୁ, ଏହାର ସମୃଦ୍ଧ ସଂସ୍କୃତିକୁ ଅନୁଭବ କରିବାକୁ ଏବଂ କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍ରେ ସାହିତ୍ୟିକ ଆଲୋଚନାରେ ଭାଗ ନେବାକୁ ସାଦର ଆମନ୍ତ୍ରଣ କରୁଛୁ।
ପୁସ୍ତକ ସମୀକ୍ଷା ପଠାଇବାର ନିୟମ
- ତାଲିକାଭୁକ୍ତ ୧୨ଟି ଓଡ଼ିଆ ପୁସ୍ତକ ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କରନ୍ତୁ।
- ପୁସ୍ତକଟି ପଢ଼ନ୍ତୁ ଏବଂ ୧୦୦୦ ଶବ୍ଦ ମଧ୍ଯରେ ଏକ ସମୀକ୍ଷା ଲେଖନ୍ତୁ।
- ପୁସ୍ତକର ଏକ ଫଟୋ ସହିତ ଆପଣଙ୍କର ସମୀକ୍ଷାକୁ Instagramରେ ପୋଷ୍ଟ କରନ୍ତୁ।
- #SambadKLF ଏବଂ #ReviewProject ହ୍ୟାସଟ୍ୟାଗ୍ ବ୍ୟବହାର କରନ୍ତୁ।
- ଆପଣଙ୍କର କ୍ୟାପସନରେ @SambadaOdisha ଏବଂ @kalingaliteraryfestival ଟ୍ୟାଗ୍ କରନ୍ତୁ।
- ଏହା ସହିତ, ଆପଣଙ୍କର ୧୦୦୦ ଶବ୍ଦର ସମୀକ୍ଷାକୁ
[email protected]କୁ ଇମେଲ୍ କରନ୍ତୁ।
- ପୁସ୍ତକ ସମୀକ୍ଷା ଦାଖଲର ଶେଷ ତାରିଖ: ୦୫ ଜାନୁଆରି ୨୦୨୬
- ବିଜେତା ଘୋଷଣା ତାରିଖ: ୦୯ ଜାନୁଆରି ୨୦୨୬
- ପୁରସ୍କାର ପ୍ରଦାନ ତାରିଖ: ୧୧ ଜାନୁଆରି ୨୦୨୬, ସ୍ଥାନ- ମେଫେୟାର ହୋଟେଲ, ଭୁବନେଶ୍ବର, କଳିଙ୍ଗ ଲିଟରାରି ଫେଷ୍ଟିଭାଲ
ବି.ଦ୍ର: ପ୍ରତିଯୋଗୀ ଜଣେ ଭାରତୀୟ ନାଗରିକ ହୋଇଥିବା ଅପରିହାର୍ଯ୍ୟ ଅଟେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/18/klf4-2025-12-18-22-55-14.jpg)