ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଗଢ଼ି ଉଠିଥିବା କଳିଙ୍ଗ ନଗର ଏବେ ଏକ ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ପରିଣତ ହୋଇଛି। ଏହା ଆଖପାଖରେ ସ୍କୁଲ, କଲେଜ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ମେଡିକାଲ ଗଢ଼ି ଉଠିଥିବାରୁ ଏହାର ଗୁରୁତ୍ୱ ବଢ଼ି ଯାଇଛି। କିନ୍ତୁ କଳିଙ୍ଗ ନଗରର କେ-୮ ଅଞ୍ଚଳରେ ଅନେକ ମୌଳିକ ସମସ୍ୟାରେ ଲୋକଙ୍କ ପିଛା ଛାଡ଼ି ନାହିଁ। ଏଠାକୁ ଏକ ଭଲ ରାସ୍ତା ନାହିଁ। ୪ ବର୍ଷ ପୂର୍ବରୁ ବିଡିଏ ପକ୍ଷରୁ ଏହି ଅଞ୍ଚଳରେ ରାସ୍ତା ତିଆରି ହୋଇଥିଲା। ବର୍ତ୍ତମାନ ଏହି ରାସ୍ତାକୁ ଦେଖିଲେ ଏହାକୁ ଏକ ସହରୀ ରାସ୍ତା ବୋଲି କେହି କହିବେ ନାହିଁ। କେଉଁଠି ବଡ଼ ବଡ଼ ଖାଲଖମା ତ ଆଉ କେଉଁଠି ପିଚୁ ରାସ୍ତାରୁ ଗୋଡ଼ି ଉଠି ଦୁର୍ଘଟଣାର କାରଣ ହେଉଛି। ବର୍ଷା ଦିନେ ଏହି ରାସ୍ତାରେ ଯା’ଆସ କରିବା ମୁସ୍କିଲ୍। ରାସ୍ତା ମରାମତି ପାଇଁ ବିଡିଏରେ ବାରମ୍ବାର ଆବେଦନ ହୋଇଥିଲେ ବି କିଛି ସୁଫଳ ମିଳୁନି ବୋଲି କହିଛନ୍ତି କଳିଙ୍ଗ ନଗର କେ-୮ ଆବାସିକ ଉନ୍ନୟନ ପରିଷଦର ସଭାପତି ଅତୁଲ ଚନ୍ଦ୍ର ମହାନ୍ତି ଓ ସମ୍ପାଦକ ସରୋଜ କୁମାର ମହାନ୍ତି। ସେହିଭଳି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ମାର୍କେଟର ସୁବିଧା ନାହିଁ। ବିଡିଏ ପକ୍ଷରୁ ଅଞ୍ଚଳବାସୀଙ୍କ ପାଇଁ କେ-୮ ମାର୍କେଟ କମ୍ପ୍ଲେକ୍ସ ୪ ବର୍ଷ ହେଲା ତିଆରି ହୋଇଥିଲେ ମଧ୍ୟ ଏଠାରେ ଦୋକାନ ଖୋଲିବା ପାଇଁ ଆଜି ପର୍ଯ୍ୟନ୍ତ କାହାକୁ ଅନୁମତି ମିଳି ନାହିଁ। ପାଖାପାଖି ରହିଥିବା ଦୁଇଟି ମାର୍କେଟ କମ୍ପ୍ଲେକ୍ସରେ ୬୬ଟି ଦୋକାନ ଘର ରହିଛି। ଘରଗୁଡ଼ିକ ବ୍ୟବହାର ହେଉ ନ ଥିବାରୁ ଏଥିରେ ଶିଉଳି ଲାଗିଗଲାଣି। କିନ୍ତୁ ଏଥିପ୍ରତି ବିଡିଏ ଦୃଷ୍ଟି ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଲି ସେତିକି ନୁହେଁ, ଏଠାରେ ଏକ କଲ୍ୟାଣ ମଣ୍ଡପ ଦୀର୍ଘ ଦିନ ହେଲା ଅର୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। କେବେ କାମ ସରିବ, ତାହା ଉତ୍ତର କାହା ପାଖରେ ନାହିଁ। କାମ ଅଧାରୁ ବନ୍ଦ ହୋଇଥିବାରୁ ରଡ୍ ଓ ସିମେଣ୍ଟ ଚୋରି ହୋଇଗଲାଣି। ଅନେକ ସମୟରେ ଅସାମାଜିକ ବ୍ୟକ୍ତିମାନେ ଏଠାରେ ଆଡା ଜମାଉଛନ୍ତି। କେ-୮ ଅଞ୍ଚଳରେ ଏକ କମ୍ୟୁନିଟି ସେଣ୍ଟର୍ର ଆବଶ୍ୟକତା ଥିଲେ ବି ବିଡିଏର ସେଥିପ୍ରତି ନଜର ନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି।
ମୌଳିକ ସୁବିଧାରୁ ବଞ୍ଚିତ କଳିଙ୍ଗ ନଗର କେ-୮ ଅଞ୍ଚଳ
ରାସ୍ତାଘାଟ, ମାର୍କେଟ୍ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ ସବୁ ଅଧାପନ୍ତରିଆ
/sambad/media/post_attachments/wp-content/uploads/2018/08/3750-Sq-ft-Plot-for-sale-in-Kalinga-Nagar-Bhubaneswar-VB201705171774173-ak_WBP1791569965-1519323726.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)