କଳିଙ୍ଗ ବିହାର ଓ କଳିଙ୍ଗ ନଗର ସାର୍ବଜନୀନ ଦୁର୍ଗାପୂଜା : ଜମିବ ସିନ୍ଦୂର ଖେଳ

ତୋରଣରେ ଝଟକିବ ବିନ୍ଧ୍ୟ ବାସିନୀ ମନ୍ଦିର। ଝୋଟ ଓ କପଡ଼ାରେ ପ୍ରସ୍ତୁତ ୬୫ ଫୁଟ ଉଚ୍ଚ ଏବଂ ୬୦ ଫୁଟ ଓସାରର ତୋରଣ ଦେଖିବାର ଅବକାଶ ଭେଟି ଦେବ କଳିଙ୍ଗ ବିହାର ଓ କଳିଙ୍ଗ ନଗର ସାର୍ବଜନୀନ ଦୁର୍ଗାପୂଜା। ଚଳିତ ବର୍ଷ ପୂଜା ନବମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ସବୁଠୁ ଆକର୍ଷଣ ସାଜିବ ସିନ୍ଦୂର ଖେଳ। ମା’ଙ୍କୁ ବିଦାୟ ଦିନ ଘଟ ବିସର୍ଜନ ପୂର୍ବରୁ ବଙ୍ଗାଳି ମହିଳାମାନଙ୍କୁ ନେଇ ସିନ୍ଦୂର ଖେଳା ଜମିବ। ସ୍ଥାନୀୟ ମହିଳାମାନେ ମା’ଙ୍କୁ ସଜେଇ ସିନ୍ଦୂର ପି‌ନ୍ଧାଇ ନିଜେ ସେଇ ସିନ୍ଦୂର ପିନ୍ଧିବେ। ଅପରାଜିତା ଫୁଲକୁ କଙ୍କର କରି ହାତରେ ପିନ୍ଧିବେ। ସହରର ଅନ୍ୟ ପୂଜା ମଣ୍ଡପରେ ଏହିପରି ଆୟୋଜନ ହେଉ ନଥିବା ବେଳେ କଳିଙ୍ଗ ବିହାର ଦୁର୍ଗାପୂଜା ପକ୍ଷରୁ ଏହି ବିଶେଷ ଆୟୋଜନକୁ ପ୍ରତ୍ୟକ୍ଷ କରିବା ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ପୂଜାରେ ୧୦ଲକ୍ଷ ଟଙ୍କାର ବଜେଟ୍‌ ରହିଛି। ପୂଜାରେ ଚଳିତ ବର୍ଷ ୧୭ ଓ ୧୮ ତାରିଖରେ ଭଜନ ସମାରୋହ ଆୟୋଜନ କରାଯାଇଛି। ଏଥିସହ ପୂଜାସ୍ଥଳକୁ ଯେପରି ପ୍ଲାଷ୍ଟିକ୍ ତଥା ପଲିଥିନ୍‌ ମୁକ୍ତ ରଖାଯିବ ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି। କୌଣସି ପଲିଥିନ୍‌ କିମ୍ବା ପ୍ଲାଷ୍ଟିକ୍ ଜିନିଷ ପୂଜା ମଣ୍ଡପ ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ। ୧୨ ଫୁଟର ମୂର୍ତି ସହ ମା’ଙ୍କ ପଛ ପାର୍ଶ୍ବରେ ୧୫ ଫୁଟର ମେଢ଼ ଶୋଭା ପାଇବ।

ସୁରକ୍ଷା ପାଇଁ ପୁଲିସ ସମେତ ୫୦ ସ୍ବେଚ୍ଛାସେବୀ

ସୁରକ୍ଷା ବ୍ୟବସ୍ଥାକୁ ପୂଜା ମଣ୍ଡପ ପକ୍ଷରୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ସ୍ଥାନୀୟ ପୁଲିସ ସମେତ ମେଳାରେ ସୁରକ୍ଷାକୁ ନଜରରେ ରଖି ୫୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଏଥିସହ ୬ଟି ସିସିଟିଭି କ୍ୟାମେରା ଜରିଆରେ ପୂଜା ପରିସର ଉପରେ ନଜର ରଖାଯିବ। ରମାକାନ୍ତ ମହାପାତ୍ର (ସଭାପତି)

ଭସାଣରେ ପାରମ୍ପରିକ ନୃତ୍ୟ

ଭସାଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଛଉ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ସମେତ ଘଣ୍ଟୁଆ ଓ ଶଙ୍ଖୁଆ ଭସାଣରେ ସାମିଲ୍‌ ହେବେ। କୌଣସି ମିଳିତ ଭସାଣ ଉତ୍ସବରେ ସାମିଲ୍ ନହୋଇ କଲୋନି ପରିକ୍ରମା କରିବ। ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ନିକଟରେ ଥିବା ଅସ୍ଥାୟୀ ପୋଖରୀରେ ମୂର୍ତି ବିସର୍ଜନ କରାଯିବ। ଶୁଭ୍ରାଂଶୁ ଶେଖର ମହାନ୍ତି (ସମ୍ପାଦକ)

ଭିଏସ୍‌ଏସ୍‌ ନଗର : ଘରେ ପହଞ୍ଚିବ ପୂଜା ଖର୍ଚର ବିବରଣୀ 

ସାର୍ବଜନୀନ ଦୁର୍ଗାପୂଜା ସମିତି, ଭିଏସ୍‌ଏସ୍‌ ନଗର ପକ୍ଷରୁ ୧୯୭୮ ମସିହାରୁ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ପୂଜା ମାଧ୍ୟମରେ ଭାଇଚାରା ବଢ଼ିପାରିଛି। ଚଳିତ ବର୍ଷ ଆଲୋକ ତୋରଣରେ ପୂଜା ମଣ୍ଡପକୁ ସୁସଜ୍ଜିତ କରାଯାଉଛି। ପୂଜା ମଣ୍ଡପରେ ୧୫ ଫୁଟର ମୃଣ୍ମୟ ମୂର୍ତି ପୂଜା ପାଇବେ। କୋଲକାତାରୁ ଆସିଥିବା କାରିଗର ମୂର୍ତି ନିର୍ମାଣ କରୁଛନ୍ତି। ଗଙ୍ଗାନଦୀରୁ ଆସିଥିବା ମାଟିରେ ମୂର୍ତି ଉପରେ ପ୍ରଲେପ ଦେଇ ପ୍ରସ୍ତୁତ କରାଯାଏ। ମା’ ରୁପା ମୁକୁଟ ସହ ଅଳଙ୍କାରରେ ଶୋଭା ପାଇବେ। ଏଥିସହ ୬୦/୪୫ ଫୁଟ ଉଚ୍ଚର ତୋରଣ ପ୍ରସ୍ତୁତ କରାଯାଉଛି। ଅଷ୍ଟମୀରେ ଖେଚୁଡ଼ି, ଡାଲମା ଏବଂ ଦଶମୀରେ ଦହିପଖାଳ-ଶାଗଭଜା ଭୋଗ କରାଯିବ ବୋଲି ସାଧାରଣ ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ଶାସ୍ତ୍ରୀୟ ବିଧି ମୁତାବକ ପୂଜାର୍ଚନା ସହ ପୂଜା ଖର୍ଚର ସମସ୍ତ ବିବରଣୀ ଘରେ ପହଞ୍ଚାଇବାର ବ୍ୟବସ୍ଥା କରି ପୂଜା କମିଟି ନିଜର ସ୍ବତନ୍ତ୍ରତା ପ୍ରତିପାଦିତ କରିପାରିଛି। ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ନବମୀ ସନ୍ଧ୍ୟାରେ ଶ୍ରୀଚରଣ ମହାନ୍ତି ଓ ସାଥୀଙ୍କ ଦ୍ବାରା ଭଜନ ପରିବେଷଣ କରାଯିବ। ମେଢ଼ରେ ମା’ଙ୍କୁ ସଜେଇବା ପାଇଁ ବାରଙ୍ଗସ୍ଥିତ ଫୁଲପୋଖରୀରୁ ଜରି ମେଢ଼ ଅଣାଯିବ। ହରିହର ତ୍ରିପାଠୀ, ନିମାଇଁ ଦାସ, ପ୍ରତାପ ନନ୍ଦ, ପର୍ଶୁରାମ ଦାଶ, ନବୀନ କିଶୋର ଭୁକ୍ତା, ମହେଶ୍ବର ବିଶ୍ବାଳ, ରାମଚନ୍ଦ୍ର ସାମଲ, ଗୌରାଙ୍ଗ ଚରଣ ପଲାଇ, ନିରଂଜନ ପାତ୍ର ପ୍ରମୁଖ ଏନେଇ ସୂଚନା ଦେଇଛନ୍ତି।

ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି

ଭସାଣି ଯାତ୍ରାରେ ପାରମ୍ପରିକ ଢୋଲ ଓ ଘଣ୍ଟ ବାଜା ସହିତ ଶିଙ୍ଘ ବାଜାର ମେଳରେ ମା’ ମେଲାଣି ନେବେ। ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ସହିଦନଗରରେ ଆୟୋଜିତ ହେଉଥିବା ମିଳିତ ଭସାଣି ଉତ୍ସବରେ ଅଂଶଗ୍ରହଣ କରିବେ। ଭିଏସ୍‌ଏସ୍‌ ନଗରରୁ ସହିଦନଗର-ରୂପାଲି ଛକ- ରାଜମହଲ ଛକ ପର୍ଯ୍ୟନ୍ତ ଭସାଣି ଶୋଭାଯାତ୍ରା ଯିବ।  ସେଠାରୁ କୁଆଖାଇ ନଦୀରେ ହିଁ ମା’ ବିସର୍ଜନ ‌େହବେ। ଆର୍ତତ୍ରାଣ ଦଳାଇ (ସଭାପତି)

ପଲିଥିନ୍‌ ମୁକ୍ତ, ସୁରକ୍ଷାକୁ ଗୁରୁତ୍ବ

ଚଳିତ ବର୍ଷ ପୂଜା ପଲିଥିନ୍‌ ଓ ପ୍ଲାଷ୍ଟିକ୍ ମୁକ୍ତ ହେବ। ସୁରକ୍ଷା ପାଇଁ ରହିବେ ସ୍ଥାନୀୟ ପୁଲିସ୍‌ଙ୍କ ସମେତ ୫୦ ଜଣ ସ୍ବେଚ୍ଛାସେବୀ ରହିବେ। ୧୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ସ୍ବେଚ୍ଛାସେବୀମାନେ ସମସ୍ତ ସହଯୋଗ ଯୋଗାଇ ଦେବେ। ଦିଲ୍ଲୀପ ଦାଶଶର୍ମା (ଉପସଭାପତି)

ସମ୍ବନ୍ଧିତ ଖବର