ଆରମ୍ଭ ହେଲା ବହୁଭାଷୀ ‘କଳିଙ୍ଗ ନାଟ୍ୟ ମହୋତ୍ସବ’: ସାବଧାନ କଲା ‘ଦଶାବତାର’

ଭୁବନେଶ୍ବର: ଦୁଷ୍ଟଙ୍କୁ ଦମନ କରି ଧରାପୃଷ୍ଠରେ ସତ୍ୟ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ଯୁଗେ‌ଯୁଗେ ଅବତାର ନେଇ ଆସିଛନ୍ତି। ସବୁ ଅବତାର ପଛରେ କିଛିକିଛି ଉଦ୍ଦେଶ୍ୟ ରହିଥିବା ବେଳେ ଏହା ମଣିଷକୁ ସାବଧାନ ହେବାକୁ ସଙ୍କେତ ଦେଇଆସିଛି। ପ୍ରଭୁଙ୍କ ଦଶାବତାରକୁ ଅବତାରଣା କରି ‘ଅହଙ୍କାର’ ରୂପୀ ରାକ୍ଷସକୁ ଜାବୁଡ଼ି ଧରିଥିବା ମଣିଷଙ୍କୁ ସତର୍କ କରାଇଛି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ନାଟକ ‘ଦଶାବତାର’। ‘ଶତାବ୍ଦୀର କଳାକାର’ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ବହୁଭାଷୀ ‘କଳିଙ୍ଗ ନାଟ୍ୟ ମହୋତ୍ସବ’ର ପ୍ରଥମ ସନ୍ଧ୍ୟାରେ ଆୟୋଜକ ଅନୁଷ୍ଠାନର କଳାକାରମାନେ ଭେଟି ଦେଇଛନ୍ତି ଏହି ନାଟକ। ଦଶାବତାର କିଭଳି ମାନବର କ୍ରମବିକାଶ ସହ ସମ୍ପର୍କିତ ତାହାକୁ ମାର୍ମିକ ଭାବେ ଉପସ୍ଥାପନ କରାଯାଇଛି।

ପାରମ୍ପରିକ କଳା ‘ପାଲା’କୁ ସୂତ୍ରଧର ଭାବେ ଦେଖାଯାଇଥିବା ବେଳେ ଯୁଦ୍ଧ ଦୃଶ୍ୟରେ ଛଉ ନୃତ୍ୟକୁ ସଂଶ୍ଳିଷ୍ଟ କରାଯାଇଛି। ଶଙ୍କର ତ୍ରିପାଠୀ ଏହାର ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଛନ୍ତି ଧୀର ମଲ୍ଲିକ। ବିଧାଂଶୁ, ଅପୂର୍ବ, ଅଶୋକ, ମନୋଜ, ସତ୍ୟପ୍ରକାଶ, ସୌମ୍ୟ, ହେମେନ୍ଦ୍ର, ବିଶ୍ବଜିତ, ଶୁଭମ, ଶୁଭାଶିଷ, ସନ୍ତୋଷ, ପ୍ରକାଶ, ଆଲୋକ, ମାନସ, ଭାରତ, ସୌମେନ୍ଦ୍ର, ଆଭା, ପ୍ରିୟଙ୍କା, ମନିଦୀପା, କାର୍ତିକ, ସଂଗ୍ରାମ ଅଭିନୟ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଆରତି ପାତ୍ରଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ‘ସୁମିତ୍ରା ସମ୍ମାନ’ ଏବଂ ସାମ୍ବାଦିକ ସଂଜୟ ଜେନାଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’ ପ୍ରଦାନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଓ ପ୍ରାକ୍ତନ ମୁଖ୍ୟ ସଚିବ ସହଦେବ ସାହୁ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ ସମ୍ମାନ ପ୍ରଦାନ କରିଥିଲେ। ଶତାବ୍ଦୀର କଳାକାର ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ କଥାକାର ଗୌରହରି ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଧୀର ମଲ୍ଲିକ ସଭା ସଂଚାଳନ କରିଥିଲେ ।

ସମ୍ବନ୍ଧିତ ଖବର