୨୦ରୁ କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଆରମ୍ଭ ହେବ। ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଏହା ଚାଲିବ। ଶତାବ୍ଦୀର କଳାକାର ତରଫରୁ ଅାୟୋଜିତ ଏହି ବହୁଭାଷୀ ନାଟ୍ୟ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ‘ଶତାବ୍ଦୀର କଳାକାର’ ତରଫରୁ ଶଙ୍କର ତ୍ରିପାଠୀଙ୍କ ଲିଖିତ ଓ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଶହସ୍ରଧାରା’ ମଞ୍ଚସ୍ଥ ହେବ। ସେହିପରି ୨୧ ତାରିଖରେ କୋଲକାତାର ଅଶୋକନଗର ନାଟ୍ୟ ମୁଖ ପକ୍ଷରୁ ମୋହିତ ଚଟ୍ଟୋପାଧ୍ୟାୟଙ୍କ ରଚିତ, ଅଭି ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ମିଷ୍ଟର ରାଇଟ (ବଙ୍ଗଳା) ନାଟକ ପରିବେଷଣ କରାଯିବ। ୨୨ ତାରିଖରେ ଇଣ୍ଟରଫେସ ଭୁବନେଶ୍ବର ଦ୍ବାରା ଗୌରହରି ଦାସଙ୍କ ଲିଖିତ, ଗୌରାଙ୍ଗ ଚରଣ ରାଉତଙ୍କ ନାଟ୍ୟ ରୂପାନ୍ତରିତ ଓ ନିର୍ଦ୍ଦେଶିତ ‘କାହାଣୀ ଫୁଲନୋଳା’ (ଓଡ଼ିଆ) ନାଟକ ମଞ୍ଚସ୍ଥ ହେବ। ୨୩ ତାରିଖରେ ଯୁବ ରଙ୍ଗମଞ୍ଚ ରାଞ୍ଚି ଦ୍ବାରା ଅଜୟ ମାଲକାନିଙ୍କ ଲିଖିତ ଓ ନିର୍ଦ୍ଦେଶିତ ‘ଉଲଗୁଲାନ’ (ହିନ୍ଦୀ) ନାଟକ ମଞ୍ଚସ୍ଥ ହେବ। ୨୪ ତାରିଖରେ ଅନୁକ୍ରିତି ରଙ୍ଗମଣ୍ଡଳ, କାନପୁରର କଳାକାର ନିକୋଲାଇ ଭାସ୍ଲିଭିଚ ଗୋଗାଲଙ୍କ ଲିଖିତ ସଞ୍ଜୟ ସହାୟଙ୍କ ନାଟ୍ୟ ରୂପାନ୍ତରିତ ଓ କ୍ରିଷ୍ଣା ସକ୍ସେନାଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଯାଞ୍ଚ ପରତାଲ’ ମଞ୍ଚସ୍ଥ କରିବେ।

ଏହି ନାଟ୍ୟ ଉତ୍ସବରେ ନିର୍ଦେଶକ ଗୌରାଙ୍ଗ ରାଉତଙ୍କୁ ସୁମିତ୍ରା ସମ୍ମାନ, ବିଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକଙ୍କୁ ପ୍ରମିଳା ପ୍ରତିଭା ସମ୍ମାନ, ଗୋକୁଳାନନ୍ଦ ସାହୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ସେହିପରି ନାଟ୍ୟକାର ସୀତେଶ ତ୍ରିପାଠୀ, ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ, ଅଭିନେତା ପ୍ରକାଶ ମହାରଣା, ନୃତ୍ୟଶିଳ୍ପୀ ଗୁରୁ ଦେବବ୍ରତ ଦାସ, ସମ୍ବାଦିକା ସସ୍ମିତା ମଲ୍ଲ, ବନ୍ଦନା ସେଠୀ, ସାମ୍ବାଦିକ ଅଜିତ କୁମାର ଦାସ, ଫଟୋ ସାମ୍ବାଦିକ ମନୋଜ ସ୍ବାଇଁଙ୍କୁ ଶତାବ୍ଦୀର କଳାକାର ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶତାବ୍ଦୀର କଳାକାର ତରଫରୁ ବିଜୁ ନାଟ୍ୟ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୌରହରି ଦାସ, କାର୍ଯ୍ୟକାରୀ ସଭାପତି ଦର୍ପନାରାୟଣ ସେଠୀ ଓ ସମ୍ପାଦକ ଧୀରେନ୍ଦ୍ର ନାଥ ମଲ୍ଲିକ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ବାହାରେ ଥିବା ପ୍ରେକ୍ଷାଳୟଗୁଡ଼ିକ ଆକାରରେ ଖୁବ ବଡ଼ ଓ ସୁନ୍ଦର। ହେଲେ ଓଡ଼ିଶାରେ ଏଯାବତ ୫ହଜାର ଲୋକ ବସିବା ଭଳି ପ୍ରେକ୍ଷାଳୟ ତିଆରି ହୋଇନାହିଁ। ସଂସ୍କୃତି, ସାହିତ୍ୟ, ନାଟକ, ସିନେମା ବିନା ମଣିଷ ବଞ୍ଚିପାରିବ ନାହିଁ। ତେଣୁ ଓଡ଼ିଶାରେ ୫ହଜାର ଲୋକ ବସିବା ଭଳି ଏକ ପ୍ରେକ୍ଷାଳୟର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର