କଳିଙ୍ଗ ନାଟ୍ୟ ମହୋତ୍ସବ, ପୁଣି ପାରଙ୍ଗମ ଏକଲବ୍ୟ

ଭୁବନେଶ୍ବର: ‘ଏକଲବ୍ୟ’ ଯେ ଗୁରୁଭକ୍ତିର ସର୍ବୋତ୍କୃଷ୍ଟ ଉଦାହରଣ, ଏଥିରେ ଦ୍ବିମତ ନାହିଁ। ତା’ ଅର୍ଥ କ’ଣ ବୃଦ୍ଧାଙ୍ଗୁଳି ଦାନ କରି ସାରିଥିବା ଏକଲବ୍ୟଙ୍କର ଦକ୍ଷତା ଏତିକିରେ ସମାପ୍ତ ହୋଇଯିବ। ବୃଦ୍ଧାଙ୍ଗୁଳି ବିନା ସେ କ’ଣ ଧନୁର୍ବିଦ୍ୟାରେ ପାରଙ୍ଗମ ହୋଇପାରିବନି? ଅସ୍ତ୍ରବିଦ୍ୟା ଆହରଣରେ ତା’ର ନିଷ୍ଠା କ’ଣ ତାକୁ ବିନା ବୃଦ୍ଧାଙ୍ଗୁଳିରେ ପୁଣି ପାରଙ୍ଗମ କରିପାରିବନି? ହଁ ସେ ପାରିବ। ପ୍ରେରଣା ହିଁ ତାକୁ ପୁଣି ଦିଗ୍‌ବିଜୟୀ ସଜାଇ ପାରିବ। ଏହିଭଳି ପ୍ରଶ୍ନୋତ୍ତରକୁ ଖୋଜିଥିଲା ଆଜି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ଆସାମୀ ଭାଷାର ନାଟକ ‘ଏକଲବ୍ୟ’। ୨ ଚରିତ୍ରଙ୍କ ମନସ୍ତାତ୍ବିକ ବିଶ୍ଳେଷଣାତ୍ମକ ତର୍କ ବିତର୍କକୁ ନେଇ ମଂଚସ୍ଥ ଏହି ନାଟକକୁ ଭେଟି ଦେଇଥିଲେ ଗୌହାଟୀର ପୂର୍ବରଙ୍ଗ ଅନୁଷ୍ଠାନର କଳାକାର। ନାଟକରେ ଛଉ ଓ ଅଙ୍କିଆ ନୃତ୍ୟ ଦେଖିବାକୁ ମିଳିଥିଲା। ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନ ପକ୍ଷରୁ ଚାଲିଥିବା ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳଥିଲା ଏହି ନାଟକ। ହିଲ୍ଲୋଳ କୁମାର ପାଠକ ରଚନା କରିଥିବା ବେଳେ ନିର୍ଦେଶନା ସହ ସଂଗୀତ ଭାର ତୁଲାଇଥିଲେ ଗୁଣାକର ଦେବ ଗୋସ୍ବାମୀ। ଶ୍ୟାପଦ ଚରିତ୍ରରେ ମୁକୁଟ ନାଥ, ସାଧନା ଚରିତ୍ରରେ ପି କଶ୍ୟପ ଏବଂ ଏକଲବ୍ୟ ଚରିତ୍ରରେ ଥିଲେ ଗୁଣାକର ଦେବଗୋସ୍ବାମୀ। ଶିଷ୍ୟର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନେଇ ଦେବାରେ ଏହି ନାଟକ ପ୍ରେରଣା ଦେଇଥିଲା। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ନିର୍ବାଚନ କମିସନର ରବିନାରାୟଣ ସେନାପତି, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ମନ୍ମଥ ପାଣି ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଶେଷରେ ନାଟ୍ୟାନୁଷ୍ଠାନର କଳାକାରଙ୍କୁ ସମ୍ବର୍ଧିତ କରିଥିଲେ। ଶତାବ୍ଦୀର କଳାକାର ଅନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ସାଧାରଣ ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ ପ୍ରାରମ୍ଭିକ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର