ଭୁବନେଶ୍ବର: ଭାରତୀୟ ଭକ୍ତି କବିତାରେ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଭିନ୍ନମତ ରହିଛି। ଏହା ଏକ ଗଣତାନ୍ତ୍ରିକ ଅଧିକାର ଭାବେ ବିଚାର କରାଯାଇଛି। ତେଣୁ ଭାରତୀୟ ଭକ୍ତି କବିତାରେ ଭଗବାନଙ୍କୁ ଭକ୍ତଟିଏ ପ୍ରଶ୍ନ ପଚାରିବାର ଅନୁମତି ରହିଛି ବୋଲି କହିଛନ୍ତି ହିନ୍ଦୀ କବି ଅଶୋକ ବାଜପେୟୀ। ଓଡ଼ିଶା ଡାଏରି ଫାଉଣ୍ଡେସନ୍ ଏବଂ ଓଡ଼ିଶା ମିଡିଆ ଇନ୍ଫୋ ସର୍ଭିସ୍ ପକ୍ଷରୁ ମେ ଫେୟାର ହୋଟେଲ୍ରେ ଆୟୋଜିତ ‘ଅଲୌକିକ କଳିଙ୍ଗ ମହୋତ୍ସବ’ ଭାରତୀୟ କବିତା ଉପରେ ଏପରି ମତ ରଖିଛନ୍ତି ଶ୍ରୀ ବାଜପେୟୀ। କବିତା, ସଙ୍ଗୀତ, ନୃତ୍ୟ ଓ ଆଲୋଚନାର ସଙ୍ଗମ ଏହି ୩ ଦିନିଆ ଉତ୍ସବରେ ଚଳିତ ବର୍ଷ ବିଷୟବସ୍ତୁ ରହିଛି ‘ଇନ୍ଦ୍ରିୟାସକ୍ତରୁ ଅଲୌକିକ: ଭକ୍ତି କବିତା’। ଭକ୍ତି କବିତାରୁ କିଛି ପଙ୍କ୍ତି ଉଚ୍ଚାରଣ ସହ ଆରମ୍ଭ ହୋଇଥିଲା ପର୍ବ। କବି ତଥା ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର, ବିଶିଷ୍ଟ କବି, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ପ୍ରତିଭା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭକ୍ତି କବିତାର କିଛି ପଙ୍କ୍ତି ପଢ଼ି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହୋତ୍ସବ ପ୍ରତିଷ୍ଠାତା ତଥା ସଭାପତି ରଶ୍ମି ରଞ୍ଜନ ପରିଡ଼ା, କ୍ରିଏଟିଭ ଡାଇରେକ୍ଟର ଅରୁନ୍ଧତୀ ସୁବ୍ରମଣ୍ୟମ୍ ଉପସ୍ଥିତ ଥିଲେ। ଏହି ଅବସରରେ କବି ଅଶୋକ ବାଜପେୟୀ ଏବଂ ହରିହର ମିଶ୍ରଙ୍କୁ ‘ଅଲୌକିକ କଳିଙ୍ଗ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିସହ ଲୁପ୍ତପ୍ରାୟ ପ୍ରଥାକୁ ଡିଜିଟାଇଜେସନ୍ କରୁଥିବା ଯୁବ ଗବେଷକ ପ୍ରତୀକ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ପରବର୍ତୀ ଅଧିବେଶନରେ ସଚ୍ଚିଦାନନ୍ଦ ମହାନ୍ତି, ମାନି ରାଓ, ଜେରି ପିଣ୍ଟୋ, ସବ୍ନମ ବିମାନି, ପାରମିତା ଶତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କଶ୍ମୀରରେ ନିଜର କାର୍ଯ୍ୟଶୈଳୀ ଯୋଗୁ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ଓଡ଼ିଆ ଆଇପିଏସ୍ ଅଧିକାରୀ ବସନ୍ତ ରଥ ‘ଉଗ୍ରଜନତାଙ୍କ ମଧ୍ୟରେ ଲୋକ ସେବା’ ସମ୍ପର୍କରେ ମତ ରଖିଥିଲେ। ତାଙ୍କ ସହ ଆଲୋଚନା କରିଥିଲେ କେଦାର ମିଶ୍ର। ସନ୍ଧ୍ୟାରେ କବୀର ଭଜନ, ହିନ୍ଦୁସ୍ତାନୀ ସଂଗୀତ ପରିବେଷିତ ହୋଇଥିଲା।
କଳିଙ୍ଗ ସାହିତ୍ୟ ଉତ୍ସବ: ‘ଭାରତୀୟ ଭକ୍ତି କବିତାରେ ଭକ୍ତ ବି ଭଗବାନଙ୍କୁ ପ୍ରଶ୍ନ କରିପାରେ’
ଅଶୋକ ବାଜପେୟୀ, ହରିହର ମିଶ୍ରଙ୍କୁ ଅଲୌକିକ କଳିଙ୍ଗ ପୁରସ୍କାର