ପୋଷ୍ଟର ଫାଡ଼ିଲା କଳିଙ୍ଗ ସେନା

ଖଣ୍ଡଗିରି : ଯାତ୍ରା ପାର୍ଟିରେ ଏଭଳି ଅଶ୍ଳୀଳ ନୃତ୍ୟ ପରିବେଷଣ ପୂର୍ବରୁ କେବେ ନଥିଲା। ମଞ୍ଚରେ ଉତ୍ତେଜକ ପୋଷାକ ପରିଧାନ ପୂର୍ବକ ଅର୍ଧନଗ୍ନ ଶରୀର ପ୍ରଦର୍ଶନ ଯେତିକି ଅଶାଳୀନ ଥିଲା, ମଞ୍ଚ ତଳକୁ ଯାଇ ଦର୍ଶକଙ୍କ କାନ କାମୁଡ଼ି ପକାଇବା ଭଳି ଘଟଣା ସବୁ ସୀମା ଲଂଘନ କରିଥିଲା। ହଜାର ହଜାର ମହିଳା ଓ ଛୋଟ ପିଲାଙ୍କ ଭଳି ଦର୍ଶକମାନଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ ପରିବେଷଣକୁ କିଏ କେମିତି ଅନୁମତି ଦେଲା? ଏକ ସଭ୍ୟ ସମାଜରେ ଏହାକୁ ଆଦୌଁ ବରଦାସ୍ତ କରାଯିବ ନାହିଁ। ଆଜି ପୋଷ୍ଟର ଫାଡ଼ୁଛୁ, ଆଗକୁ ମଞ୍ଚରେ ବିରୋଧ କରାଯିବ। ପୁଲିସ ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ ନ‌ କଲେ, ପରିସ୍ଥିତି ଭୟଙ୍କର ହେବ। ଆଜି କଳିଙ୍ଗସେନା ଏମିତି ଗର୍ଜନ କରି ଖଣ୍ଡଗିରିରେ ଯାତ୍ରା ସଚ୍ଚିଦାନନ୍ଦ ଗଣନାଟ୍ୟର ପୋଷ୍ଟର ଚିରିବା ସହିତ ଖଣ୍ଡଗିରି ଥାନ‌ାରେ ଲିଖିତ ଅଭିଯୋଗ କରିଛି। ପୁଲିସ କିମସନର ମଧ୍ୟ ତୁରନ୍ତ ଏଭଳି ନୃତ୍ୟ ପରିବେଷଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଯାତ୍ରା ସଚ୍ଚିଦାନନ୍ଦରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ବେଶ୍ ଚର୍ଚ୍ଚାରେ ରହି ଆସିଛି। ମଞ୍ଚ ଉପରେ ପିଠି ଖୋଲା ଦୃଶ୍ୟଠାରୁ ଆରମ୍ଭ କରି ଦର୍ଶକଙ୍କ ଭିତରେ ପଶି ଜଣେ ଯୁବକଙ୍କ କାନ କାମୁଡ଼ି ଭଳି ଘଟଣା ଖଣ୍ଡଗିରି ଯାତ୍ରା ମାହୋଲକୁ ବେଶ୍ ଗରମ କରି ରଖିଛି। ତେବେ ଏଭଳି ନୃତ୍ୟ ବହୁ ଦର୍ଶକଙ୍କ ମନ କିଣି ପାରିନାହିଁ। ଏହାକୁ ନେଇ ଉଠିଛି ବିରୋଧାଭାସ। ତେଣୁ ଆଜି କଳିଙ୍ଗ ସେନା ଆଗକୁ ବାହାରି ଏହାକୁ ବିରୋଧ କରିଛି। ସଭାପତି ହେମନ୍ତ ରଥଙ୍କ ନେତୃତ୍ବରେ ସେନାର କର୍ମୀମାନେ ଉକ୍ତ ଯାତ୍ରା ପେଣ୍ଡାଲ ନିକଟରେ ଲାଗିଥିବା ଆଇଟମ୍ ଗାର୍ଲଙ୍କ ପୋଷ୍ଟରକୁ ଚିରି ପକାଇଥିଲେ। ପରେ ଏ ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ସଂପର୍କରେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଜି ଯାତ୍ରାର ଶେଷ ରାତି ହୋଇଥିଲେ ବି ଏଭଳି ନୃତ୍ୟ ବନ୍ଦ କରିବାକୁ ଉକ୍ତ ପାର୍ଟିକୁ ନିର୍ଦେଶ ଦିଆଯାଇଛି। ଆଗକୁ ଏଭଳି ନୃତ୍ୟ ପରିବେଷଣ ବନ୍ଦ କରିବାକୁ ଉଭୟ ଯାତ୍ରା ପାର୍ଟି ଓ ଆୟୋଜକମାନଙ୍କୁ ସ୍ବତନ୍ତ୍ର ନିର୍ଦେଶାନାମା ଜାରି କରାଯିବ ‌ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର