କଳିଙ୍ଗ ଷ୍ଟାଡିୟମ୍‌ ପ୍ରାତଃ ଭ୍ରମଣ ଅନୁମତି ପ୍ରସଙ୍ଗ : ଆଗାମୀ ଆନ୍ତର୍ଜାତିକ ମ୍ୟାଚ୍‌କୁ ବିରୋଧ କରିବ ୱାକ୍‌ର୍ସ ଆସୋସିଏସନ୍‌

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ସାଧାରଣ ଲୋକଙ୍କ ପ୍ରବେଶ ନେଇ କଟକଣାକୁ କଳିଙ୍ଗ ଷ୍ଟାଡିୟମ୍‌ ୱାକ୍‌ର୍ସ ଆସୋସିଏସନ ତୀବ୍ର ବିରୋଧ କରିଛି। ଏହାର ପ୍ରତିବାଦରେ ଆଜି ସଂଘ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ ଘେରାଉ କରାଯାଇଥିଲା। ସମାଜସେବୀ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ସକାଳ ୬ ଘଟିକା ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଗେଟ୍‌ ନ˚-୩ ସମ୍ମୁଖରେ ଶତାଧିକ ବରିଷ୍ଠ ନାଗରିକ, ସମାଜସେବୀ, ଯୋଗ କରୁଥିବା ସାଧାରଣ ନାଗରିକ ଓ ସ˚ଗଠନର କର୍ମକର୍ତ୍ତାମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଷ୍ଟାଡିୟମ ସୁରକ୍ଷା କର୍ମୀ ଓ ପୁଲିସ୍‌ ସହିତ ଯୁକ୍ତିତର୍କ ହେବାରୁ ଗେଟ୍‌ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଅବସରରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଆସନ୍ତା ୨୩ ତାରିଖ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଉଚ୍ଚସ୍ତରୀୟ ବୈଠକରେ କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, ସ୍ଥାନୀୟ ବିଧାୟକ ଉପସ୍ଥିତ ରହିବା ସହ ଆନ୍ଦୋଳନ କମିଟିକୁ ଡାକି ସମାଧାନର ପନ୍ଥା ବାହାର କରିବା ପାଇଁ ପୁଲିସ ଅଧିକାରୀଙ୍କ ମାଧ୍ୟମରେ କୁହାଯିବା ପରେ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଯଦି ଷ୍ଟାଡିୟମ ଭିତରକୁ ସାଧାରଣ ଜନତାଙ୍କୁ ପ୍ରବେଶ କରାଇ ଦିଆ ନଯାଏ, ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ଆନ୍ତର୍ଜାତିକ ହକି ଖେଳକୁ ବିରୋଧ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିକ୍ଷୋଭରେ ରଶ୍ମୀ କାନୁନ୍‌ଗୋ, ଆଲୋକ ନନ୍ଦ, ପ୍ରଶାନ୍ତ ହରିଚନ୍ଦନ, ଯୁବନେତା ଅର୍ଜୁନ ବେହେରା ଓ ଭାଗିରଥୀ ଭୂତିଆ, ମିଲନ ପାଇକରାୟଙ୍କ ପ୍ରମୁଖ ନେତୃତ୍ବରେ ଶହ ଶହ ସ˚ଖ୍ୟାରେ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର