ଖଣ୍ଡଗିରି: ଗୁରୁବାର ରାତିରେ ଭରତପୁର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଥିବା ଗୁଳିକାଣ୍ଡ ମାମଲା କମିସନରେଟ୍ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୁଲିସକୁ ବଡ଼ ଚ୍ୟାଲେଞ୍ଜ୍ ଦେଇ ଯାଇଥିବା ଏହି ଅପରାଧୀମାନଙ୍କ ଟେର୍ ମିଳିନାହିଁ। ଅନ୍ଧାରରେ ବାଡ଼ି ବୁଲାଇ ପୁଲିସ କେବଳ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲେ ବି କିଛି ଫଳ ମିଳୁନାହିଁ। ଅପରପକ୍ଷେ ଗୁଳିମାଡ଼ରେ ଆହତ ହୋଇଥିବା ଫାଷ୍ଟଫୁଡ୍ ଦୋକାନୀ ସ୍ମୃତି ରଂଜନ ଧଳଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତେବେ ସ୍ମୃତି ଅପରାଧୀମାନଙ୍କ ବାବଦରେ ସ୍ପଷ୍ଟ ସୂଚନା ଦେଇ ପାରୁନାହାନ୍ତି। ଗୋଟିଏ ବାଇକ୍ରେ ୩ ଜଣ ଯୁବକ ଥିବା ଓ ଜଣେ ପତଳା ଚେହେରାର ରଙ୍ଗିନ୍ ବାନିଅନ୍ ପିନ୍ଧା ଯୁବକ ବନ୍ଧୁକ ଚଳାଇଥିବା ସେ କହି ପାରୁଛନ୍ତି। ଦୁର୍ବୃତ୍ତମାନଙ୍କୁ ଭଲ ଭାବେ ଚିହ୍ନି ନାହାନ୍ତି ବୋଲି ସେ କହୁଛନ୍ତି। ପୂର୍ବ ଶତ୍ରୁତା କଥାକୁ ମଧ୍ୟ ସେ ଏଡ଼ାଇ ଯାଇଛନ୍ତି। ସେହିଭଳି ବଟି ବା ଚାନ୍ଦା ମଗାଯିବା କଥାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ପକୋଡ଼ା ଖାଇ ସାରି ପଇସା ଦେଲା ବେଳକୁ ସେମାନେ ଗଣ୍ଡଗୋଳ କଲେ ଓ ଗୁଳି ମାଡ଼ କରି ପଳାଇଲେ ବୋଲି ସ୍ମୃତି ପୂର୍ବ କଥାକୁ ଦୋହରାଉଛନ୍ତି। ତେଣୁ ଏତିକି ସାମାନ୍ୟ କଥାରେ ଗୁଳି ଚାଳନା ହେବା କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଓ ସ୍ମୃତି ପୁଣି ସେହି ଛକରେ ବେପାର କରିବାର ଥିବାରୁ ଭୟରେ ମାମଲାକୁ ବଢ଼ାଇବାକୁ ଇଛା କରୁନାହାନ୍ତି ବୋଲି କୁହାଯାଉଛି। ସବୁ କିଛି ସେ ପୁଲିସ ଉପରେ ଛାଡ଼ି ଦେଇଛନ୍ତି। ତେଣୁ ପୁଲିସ ଅପରାଧୀମାନଙ୍କୁ ଠାବ କରିବା କଷ୍ଟକର ହୋଇପଡ଼ିଛି। ଖଣ୍ଡଗିରି ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ପୁଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇଛି।
କଳିଙ୍ଗ ଷ୍ଟୁଡିଓ ଛକ ଗୁଳିକାଣ୍ଡ ମାମଲା: ଅପରାଧୀଙ୍କ ଟେର୍ ମିଳୁନି
/sambad/media/post_attachments/wp-content/uploads/2018/05/gun-shooting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)