ଖଣ୍ଡଗିରି : ୨୦୧୮ ସେପ୍ଟେମ୍ବର ୯ ତାରିଖରେ କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଥିବା ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମୁନା ସ୍ବାଇଁ ଓରଫ୍ ନଣ୍ଡା(୨୮)କୁ ପୁଲିସ ଗିରଫ କରିଛି। ଦୀର୍ଘ ୧୩ ମାସ ପରେ ଖଣ୍ଡଗିରି ଥାନା ପୁଲିସ ତାକୁ ତା’ ନିଜ ଘର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ସିଆରିମାଳ ଗାଁରୁ ଧରିଛି। ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ନଣ୍ଡା ନାଁରେ ୮ରୁ ଅଧିକ ଡକାୟତି ମାମଲା ରହିଛି। ଫେରାର୍ ଥିବା ଅନ୍ୟ ଦୁଇ ସହଯୋଗୀ ବିକ୍ରମ ବିଶୋୟୀ ଓରଫ୍ ବାଘ ଓ ମିଥୁନ୍ ବିଶୋୟୀଙ୍କ ନାମରେ ମଧ୍ୟ ଗଞ୍ଜାମର ବିଭିନ୍ନ ଥାନାରେ ବହୁ ଲୁଟ୍‌, ଛିନ୍‌ତାଇ ଓ ଡକାୟତି ମାମଲା ରହିଛି।

Advertisment

ସୂଚନାନୁସାରେ ଆଇଗିଣିଆ ଅଞ୍ଚଳର ବ୍ୟବସାୟୀ ସ୍ମୃତି ରଂଜନ ଧଳ କଳିଙ୍ଗ ଷ୍ଟୁଡିଓ ଛକରେ କଳିଙ୍ଗ ଦରବାର ଫାଷ୍ଟ ଫୁଡ୍‌ ଦୋକାନ କରିଛନ୍ତି। ଘଟଣା ଦିନ ରାତି ପ୍ରାୟ ସାଢ଼େ ୮ଟା‌ ସମୟରେ ନଣ୍ଡା ସହ ବିକ୍ରମ ଓ ମିଥୁନ୍ ପକୋଡ଼ା ଖାଇବା ବେଳେ ସ୍ମୃତିଙ୍କ ସହ ଝଗଡ଼ା କରିଥିଲେ। ନଣ୍ଡା ନିଜ ପାଖରେ ରଖିଥିବା ଏକ ପିସ୍ତଲ ବାହାର କରି ସ୍ମୃତିଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା।