ଭୁବନେଶ୍ବ: ଓଡ଼ିଆ ଚଳଚ୍ଚିତ୍ର ଜଗତ ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ‘ଦମନ’, ‘ପ୍ରତୀକ୍ଷା’, ‘ଅନନ୍ତା’ ଓ ‘ବୋଉ ବୁଟୁ ଭୂତ’ ଭଳି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ ଅନ୍ଧାରର ଅଭେଦ୍ୟ ନଗରୀ ଭିତରୁ ଆଶାର କିରଣ ଖୋଜି ପାଇଛି। ହେଲେ ଯେଉଁ ପର୍ଯ୍ୟନ୍ତ ଓଡ଼ିଶାର ଚଳଚ୍ଚିତ୍ର ଓଡ଼ିଶାରେ ସୁଟିଂ ନ ହୋଇଛି, ଚଳଚ୍ଚିତ୍ର ନିର୍ମାତାମାନେ ନିଜ ଟଙ୍କା ଫେରିପାଇବାର ଆଶା କ୍ଷୀଣ। ଏଭଳି ପରିସ୍ଥିତିରେ ନିର୍ମାତା ଓ ସମଗ୍ର ମନୋରଞ୍ଜନ ଜଗତ ‘କଳିଙ୍ଗ ଷ୍ଟୁଡିଓ’ର ଉଦ୍ଘାଟନକୁ ଅନାଇ ବସିଥିବା ବେଳେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣକୁ ନେଇ ପୁଣି ଏକ ନୂଆ ତାରିଖ ସାମ୍ନାକୁ ଆସିଛି। ୨୦୨୬ ଜାନୁଆରି ପ୍ରଥମ ସପ୍ତାହ ଅର୍ଥାତ ୪ ମାସ ମଧ୍ୟରେ କଳିଙ୍ଗ ଷ୍ଟୁଡିଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)କୁ ହସ୍ତାନ୍ତର ହେବ ବୋଲି କୁହାଯାଇଛି। ଆଜି ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କର କଳିଙ୍ଗ ଷ୍ଟୁଡିଓ ଗସ୍ତ ବେଳେ ଏହି ନୂଆ ତାରିଖ ସମ୍ପର୍କରେ ସୂଚନା ଦିଆଯାଇଛି।
ଷ୍ଟାଣ୍ଡିଂ କମିଟି ମୁଖ୍ୟ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁଙ୍କ ସମେତ କମିଟିର ସଭ୍ୟ ବିଧାୟକ ଛବି ମଲ୍ଲିକ, ଅରବିନ୍ଦ ମହାପାତ୍ର, ପ୍ରତାପଚନ୍ଦ୍ର ପ୍ରଧାନ, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଷ୍ଟୁଡିଓ ଗସ୍ତ କରିଥିଲେ। ସେମାନେ ଷ୍ଟୁଡିଓ ପରିଦର୍ଶନ କଲା ପରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଓଏଫ୍ଡିସି ଅଧ୍ୟକ୍ଷ ସମର୍ଥ ବର୍ମା ଓ ଶିଳ୍ପ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କଳିଙ୍ଗ ଷ୍ଟୁଡିଓର ନବୀକରଣ, ପୁନରୁଦ୍ଧାର ଏବଂ ଆଧୁନିକୀକରଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ/ପ୍ରକଳ୍ପ ବିଷୟରେ ବିଧାୟକମାନଙ୍କୁ ଅବଗତ କରାଇଥିଲେ।
ବୈଠକରେ ସଦସ୍ୟମାନେ ଷ୍ଟୁଡିଓର କାର୍ଯ୍ୟ ସମାପ୍ତି ଓ ଏହାର ହସ୍ତାନ୍ତର ସମ୍ପର୍କରେ ପଚାରିଥିଲେ। ବର୍ଷ ଶେଷ ବେଳକୁ ଷ୍ଟୁଡିଓର ସମସ୍ତ କାର୍ଯ୍ୟ ଶେଷ କରି ଏହା ଓଏଫ୍ଡିସିକୁ ହସ୍ତାନ୍ତର ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ। ଓଏଫ୍ଡିସି ଟେଣ୍ଡର ମାଧ୍ୟମରେ ଷ୍ଟୁଡିଓର ସଫେଇ ଓ ସୁରକ୍ଷା ଦାୟିତ୍ୱ ଏକ ଘରୋଇ ତୃତୀୟ ପକ୍ଷକୁ ଦେବା ସହ ଏଡିଟିଂ, ଗ୍ରାଫିକ୍ ଓ ଷ୍ଟୁଡିଓର ପରିଚାଳନା ମଧ୍ୟ କୌଣସି ଘରୋଇ ତୃତୀୟ ପକ୍ଷ ଦ୍ବାରା କରାଯିବ ବୋଲି ସେ କହିଥିଲେ। ଓଏଫଡିସିର ଅଂଶୀଦାରମାନେ ଯଥା, ପ୍ରଯୋଜକ ସଂଘ, ବିତରକ ସଂଘ, କାର୍ଯ୍ୟନିର୍ବାହୀ ସଂଘ, ନିର୍ଦ୍ଦେଶକ, କଳାକାରଙ୍କ ସହିତ ଏକ ବୈଠକ କରାଯାଇ ଏହା ଉପରେ ଆଲୋଚନା କରାଯିବ। ଏହା ବ୍ୟତୀତ ଅନ୍ୟ ରାଜ୍ୟର ପ୍ରଯୋଜକ କିପରି ଆସି ଆମର ଏହି ଷ୍ଟୁଡିଓରେ ସୁଟିଂ କରିପାରିବେ ତା’ ଉପରେ କିଛି ନୂଆ ଯୋଜନା ମଧ୍ୟ କରାଯିବ। ଷ୍ଟୁଡ଼ିଓରେ ଦୁଇ ବର୍ଗ ଅଛି, ଗୋଟିଏ ସୁଟିଂ ବର୍ଗ ହେବ ଏବଂ ଅନ୍ୟଟି ଆମ୍ୟୁଜ୍ମେଣ୍ଟ୍ ପାର୍କ। ଏହି ପାର୍କକୁ ସର୍ବସାଧାରଣଙ୍କ ଅନୁମତି ରହିବ।
କେମିତି ଦିଶୁଛି କଳିଙ୍ଗ ଷ୍ଟୁଡିଓ
୧୯୯୯ ମହାବାତ୍ୟାରେ ଭଗ୍ନସ୍ତୁପରେ ପରିଣତ ହୋଇଥିବା କଳିଙ୍ଗ ଷ୍ଟୁଡିଓ ଏବେ ଏକ ଚମତ୍କାର ଆଧୁନିକ ରୂପ ନେଇଛି। ୨୦୦ କୋଟି ଟଙ୍କାରେ ବ୍ୟୟରେ ଷ୍ଟୁଡିଓ ଠିଆ ହୋଇଛି। ସ୍ନୋ ୱାର୍ଲ୍ଡଠାରୁ ଆରମ୍ଭ କରି ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳଷ୍ଟେସନ ଆହୁରି କେତେ କ’ଣ ନୂଆରେ ଷ୍ଟୁଡିଓ ସଜେଇ ହୋଇଛି। ଷ୍ଟୁଡିଓ ପରିସରରେ ରହିଛି ଆମ୍ୟୁଜ୍ମେଣ୍ଟ୍ ପାର୍କ। ଏହି ପାର୍କ ପାଇଁ ଟିକେଟ୍ ବ୍ୟବସ୍ଥା ହେବ ଏବଂ ଦର୍ଶକମାନେ ଏହାକୁ ଉପଭୋଗ କରିବା ସହ ସେଠାରେ ସୁଟିଂ ପାଇଁ ମଧ୍ୟ ବ୍ୟବସ୍ଥା ହେବ। ଏହା ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଇଡକୋ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ କହିଛନ୍ତି। ଷ୍ଟୁଡିଓର ମଝିରେ କାଚର ଏକ ବିରାଟ ପଦ୍ମର ଆକୃତି ତିଆରି ହୋଇଛି। ଚାରିପଟେ କଳ କଳ ନଈ ବହିଯାଉଛି । ଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ସୁନ୍ଦର କଳାକୃତି ପାଚେରି ଆର ପାଖରୁ ଦେଖଣାହାରୀଙ୍କ ଉତ୍କଣ୍ଠା ବଢ଼ାଉଛି।