‘କଳିଙ୍ଗାୟାନ ତୌର୍ଯ୍ୟତ୍ରିକମ୍‌’ର ‘ଅଷ୍ଟମ ଆନନ୍ଦ ଉତ୍ସବ’

ଭୁବନେଶ୍ୱର: ମଞ୍ଚ ଉପରେ ପରିବେଷିତ ହେଉଥିଲା ଭାରତନାଟ୍ୟମ୍‌, ଓଡ଼ିଶୀ, ବିଭିନ୍ନ ଆଧୁନିକ ଓ ଲୋକନୃତ୍ୟ। ପ୍ରଥମେ ପରିବେଷିତ ନୃତ୍ୟଶିଳ୍ପୀ ଦୀପେଶ୍‌ ହୋସ୍‌କେଙ୍କ ଭାରତନାଟ୍ୟମ୍‌ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହାପରେ ଓଡ଼ିଶୀ ନୃତ୍ୟରେ ଗୁରୁସ୍ତୁତି, କସ୍ତୁରି ତିଳକମ୍‌, କୁଞ୍ଜବନେ.., ଶ୍ରୀତକମଳା, ଆଜି ଦେଖିଲି…, ଗଣେଶ ବନ୍ଦନା, ବସନ୍ତ ପଲ୍ଲପୀ, ତୋ ଲାଗି ଗୋପ ଦାଣ୍ଡ ମନା.., ଆହେ ନୀଳଶୈଳ ଆଦି ଦର୍ଶକଙ୍କୁ ମନୋରଂଜନର ଭରପୂର ଖୋରାକ୍‌ ଯୋଗାଇଥିଲା। ଅବସର ଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ‘କଳିଙ୍ଗାୟାନ ତୌର୍ଯ୍ୟତ୍ରିକମ୍‌’ ପକ୍ଷରୁ ଆୟୋଜିତ ‘ଅଷ୍ଟମ ଆନନ୍ଦ ଉତ୍ସବ’ର। ଏହି ଅବସରରେ ସଂଗୀତଜ୍ଞ ପ୍ରଦ୍ମଶ୍ରୀ ପ୍ରଫୁଲ୍ଲ କର ଓ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳଙ୍କୁ ‘ଆନନ୍ଦଶ୍ରୀ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ପ୍ରଫେସର ରାଜକିଶୋର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନର ପ୍ରାୟ ୧୨୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଓଡ଼ିଶୀ ନୃତ୍ୟ ପରବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଗୁରୁ ପୁଷ୍ପିତା ମିଶ୍ର ଓ ଅଂଶୁମାନ ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର