ରାଜଧାନୀରେ କାଳୀପୂଜା: ଦଶ ମହାବେଶରେ ଦର୍ଶନ ଦେବେ ମା’

ସତ୍ୟକାଳୀ ମନ୍ଦିରରେ ରାଜଉଆସ ତୋରଣ

ଭୁବନେଶ୍ବର: ରାଜଧାନୀର ପୁରୁଣା କାଳୀପୂଜାମାନଙ୍କ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ଅନ୍ୟତମ। ଦୁର୍ଲଭ ଦଶ ମହାବିଦ୍ୟା ବେଶ ଦର୍ଶନ ପାଇଁ ପ୍ରସିଦ୍ଧ ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମା’ ମହାକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁସାରେ ଏଠାରେ ମା’ଙ୍କ ପୂଜା ୧୦ ଧରି ଚାଲିବ। ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ୨୪ ତାରିଖରୁ ଆରମ୍ଭ ହେଉଥିବା ପୂଜା ନଭେମ୍ବର ୩ ତାରିଖରେ ଶେଷ ହେବ। ଏଥର ଏକ ସୁଦୃଶ୍ୟ ରାଜପ୍ରାସାଦର ତୋରଣ କରାଯାଉଛି। ପୂଜା ବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ପ୍ରଥମ ଦିନ ମହାକାଳୀ ବେଶ ଅନୁଷ୍ଠିତ ହେବ। ୨୫ ତାରିଖରେ ସୂର୍ଯ୍ୟୋପରାଗ ହେବାକୁ ଥିବାରୁ ମା’ଙ୍କ ପୂଜାର ସମସ୍ତ ନୀତିକାନ୍ତି ବନ୍ଦ ରହିବ। ୨୬ ତାରିଖରେ ତାରାବେଶ, ୨୭ରେ ଷୋଡ଼ଶୀ ବେଶ, ୨୮ରେ ଭୁବନେଶ୍ବରୀ ବେଶ, ୨୯ରେ ଭୈରବୀ ବେଶ, ୩୦ରେ ଛିନ୍ନମସ୍ତା ବେଶ, ୩୧ରେ ଧୂମାବତୀ ବେଶ, ନଭେମ୍ବର ୧ରେ ବଗଳା ବେଶ, ୨ରେ ମାତଙ୍ଗୀ ବେଶ ଓ ଶେଷରେ ନଭେମ୍ବର ୩ତାରିଖ ଦିନ ମା’ଙ୍କର କମଳା ବେଶ ଅନୁଷ୍ଠିତ ହେବ। ପୂଜା ଅବସରରେ ସତ୍ୟକାଳୀ ମେଳା ଅନୁଷ୍ଠିତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଦୋଳି ଆଦି ପଡ଼ିବ। ପୂଜାର ଶେଷ ୩ଦିନ ଭଜନ ସମାରୋହ ଅନୁଷ୍ଠିତ ହେବ।

ରାମକୃଷ୍ଣ ମିସନରେ ଚାରି ପ୍ରହର ତାନ୍ତ୍ରିକ ପୂଜା, କାଳୀ କୀର୍ତ୍ତନ

ପୁରୁଣା ଭୁବନେଶ୍ୱର: ରାଜଧାନୀର ପ୍ରଥମ କାଳୀପୂଜା ଭାବେ ଜଣାଶୁଣା ରାମକୃଷ୍ଣ ମିସନ କାଳୀପୂଜା ଚଳିତ ବର୍ଷ ୧୦୩ ତମ ପୂଜା ଆୟୋଜନ କରୁଛି। ଏଥିପାଇଁ ବିବେକାନନ୍ଦ ମାର୍ଗସ୍ଥିତ ରାମକୃଷ୍ଣ ମଠ ପରିସରରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ସାଢ଼େ ୪ ଫୁଟ୍‌ ଉଚ୍ଚତାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇଛି। ଏହି ପୂଜାର ବି‌ଶେଷତ୍ବ ହେଉଛି ଏଠାରେ ପୂଜା ଅବସରରେ ଚାରି ପ୍ରହର ତାନ୍ତ୍ରିକ ପୂଜା ସାଙ୍ଗକୁ କାଳୀ କୀର୍ତ୍ତନ କରାଯାଇଥାଏ। ସୂଚନାଯୋଗ୍ୟ ଯେ ରାମକୃଷ୍ଣ ମଠ ୧୯୧୯ ମସିହାରେ ପ୍ରତିଷ୍ଠା ହୋଇଥିଳା। ଏହା ପରଠାରୁ ଏଠାରେ ଏହି ପୂଜା ଚାଲିଆସିଛି। ଚଳିତ ବର୍ଷ ସୂର୍ଯ୍ୟୋପରାଗ ଦୃଷ୍ଟିରୁ ଆସନ୍ତା ୨୪ ତାରିଖରେ ମା’ଙ୍କ ପୂଜା ଆରମ୍ଭ କରାଯିବ। ସୂର୍ଯ୍ୟୋପରାଗ ଦିନ ପୂଜା ବିଧି ବନ୍ଦ ରହିବ। ୨୪ ତାରିଖ ଦିନ ମଠ ପରିସରସ୍ଥ ପୁରୁଣା କୂଅରୁ ପବିତ୍ର ଜଳ ଆଣି ଅଙ୍କୁରାରୋପଣ କରାଯିବ। ବିଶୁଦ୍ଧ ସିଦ୍ଧାନ୍ତ ପଞ୍ଜିକା ତିଥି ଆଧାରରେ ଚାରି ପ୍ରହର ତାନ୍ତ୍ରିକ ପୂଜା ହେବ ଏବଂ ଏହି ପୂଜା ମଧ୍ୟରେ ସ୍ବତନ୍ତ୍ର କାଳୀ କୀର୍ତ୍ତନ କରାଯିବ। ପୂଜା ମଧ୍ୟରେ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଛି।

ବରମୁଣ୍ଡାରେ ବିଶ୍ବଶାନ୍ତି ମହାଯଜ୍ଞ

ଖଣ୍ଡଗିରି: ଚଳିତ ବର୍ଷ ୪୩ ବର୍ଷରେ ପଦାର୍ପଣ କରୁଥିବା‌ ବରମୁଣ୍ଡା ମହାକାଳୀ ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଅବସରରେ ୭ ଦିନ ବ୍ୟାପୀ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ବରମୁଣ୍ଡା ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହେଉଥିବା ଏହି ପୂଜା ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଧ୍ୟାତ୍ମିକ ପରିବେଶ ଓ ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସର ଉଛୁଳି ଉଠିବ। କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଶ୍ବଶାନ୍ତି ମହାଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହେବ। ଶୁକ୍ରବାର ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା ଅନୁଷ୍ଠିତ ହେବା ପରେ ୧୦୮ କଳସ ଓ ପାର୍ଶ୍ବ ଦେବଦେବୀଙ୍କ ଉପସ୍ଥିତିରେ ଯଜ୍ଞ ଆରମ୍ଭ ହେବ। ଶନିବାର ସୂର୍ଯ୍ୟପୂଜା, ଗୋ’ପୂଜା, ପାର୍ଶ୍ବ ଦେବଦେବୀ ପୂଜା, ଅଗ୍ନି ସ୍ଥାପନ ପରେ ଆହୁତି ଦିଆଯିବ। ପ୍ରତିଦିନ ୩ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ସେଦିନ ମା’ଙ୍କର ପୂଜା ନୀତିକାନ୍ତି ବନ୍ଦ ରହିବ। ଏମିତିକି ସେଦିନ ମନ୍ଦିର ମଧ୍ୟ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ମନ୍ଦିର କମିଟି ସଭାପତି ଭଜମନ ସାହୁଙ୍କ ସୂଚନାନୁସାରେ ୨୨ ତାରିଖ ଦିନ ୫୦ ଜଣ ଟ୍ରାଫିକ ପୁଲିସ, ୩୦ ଜଣ ଆଇନଜୀବୀ, ୨୦ ଜଣ ଡାକ୍ତର ଓ ୧୦ ଜଣ ସମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ଗାଡ଼କଣ‌ସ୍ଥିତ ଏକ ଅନାଥାଶ୍ରମକୁ ମା’ଙ୍କ ପ୍ରସାଦ ପଠାଯିବ। ଶନିବାର, ରବିବାର ସନ୍ଧ୍ୟାରେ ଭଜନ ସମାରୋହ ଆୟୋଜନ କରାଯାଇଛି।

ବଡ଼ଗଡ଼ ଶ୍ୟାମାକାଳୀ ପୀଠରେ କାଳୀପୂଜା
ଭୁବନେଶ୍ବର: ବଡ଼ଗଡ଼ ଝରଣାସାହିସ୍ଥିତ ମା’ଶ୍ୟାମାକାଳୀ ବିଜେ ପୀଠସ୍ଥଳୀରେ ୩୦ ତମ କାଳୀପୂଜା ଅନୁଷ୍ଠିତ ହେଉଛି। ବିଧି ଅନୁସାରେ ଷୋଡ଼ଶ ଉପଚାରରେ ସ୍ବତନ୍ତ୍ର ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ୨୩ ତାରିଖ ସନ୍ଧ୍ୟାରେ ପ୍ରାୟ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ପରିଚାଳକ ଉମାଶଙ୍କର ପଟ୍ଟନାୟକ ସୂଚନା ଦେଇଛନ୍ତି। ୨୩ ତାରିଖ ପ୍ରାତଃ ୬ଟା ୩୬ ମିନିଟରେ ଜଳ ଉତ୍ତୋଳନ, ୯ଟା ୩୦ ମିନିଟରେ ବିଲ୍ବବରଣ ଓ ୧୦ଟା ୩୦ ମିନିଟ୍‌ରେ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ। ସେହିଦିନ ସନ୍ଧ୍ୟାରେ ପାର୍ଶ୍ବ ଦେବ‌ଦେବୀଙ୍କର ଷୋଡ଼ଶ ଉପଚାର ପୂଜା, ଗୀତାଯଜ୍ଞ ଓ ଗୀତାପାଠ ସମେତ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ୨୪ ତାରିଖ ଦିନ ବିଧିବିଧାନ ଅନୁଯାୟୀ ମା’ଙ୍କର ନ୍ୟାସ ପୂଜା, ଚଣ୍ଡୀପାଠ ଓ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର