ଖଣ୍ଡଗିରି: ଖଣ୍ଡଗିରି କୋଳଥିଆସ୍ଥିତ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ କଳ୍କୀ ଅବତାର ଭାବେ ଜଣେ ନାବାଳକଙ୍କୁ ପୂଜା କରାଯାଉଥିବା ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିଶୁ ଅଧିକାର ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ୧୫ ଦିନ ମଧ୍ୟରେ ଏହି ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଶିଶୁ ଅଧିକାର ଆୟୋଗ ଭରତପୁର ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଗତକାଲିଠାରୁ ଭରତପୁର ଥାନା ପୁଲିସ ନାବାଳକ ବାବା ଓ ତାଙ୍କ ବାପାଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ ହେଁ ସେମାନେ ଥାନାକୁ ଯାଇନାହାନ୍ତି। କିନ୍ତୁ ଆଜି ଦିନତମାମ ଆଶ୍ରମର ଫାଟକ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିଲା ଏବଂ ଗଣ୍ଡଗୋଳ ଆଶଙ୍କାରେ ପୁଲିସ ମୁତୟନ ହୋଇଥିଲା। ପୁଣି ଆଶ୍ରମର ଜମିକୁ ନେଇ ମଧ୍ୟ ଅଭିଯୋଗ ଉଠିଲାଣି। ବେଆଇନ ଭାବେ ଆଶ୍ରମ କର୍ତ୍ତୃପକ୍ଷ ବହୁ ମୂଲ୍ୟ ସରକାରୀ ଜମି ଜବରଦଖଲ କରିଛନ୍ତି ବୋଲି ସଂଗିନ୍ ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଏହାର ତଦନ୍ତ କରିବେ ବୋଲି ଆଜି ସୂଚନା ମିଳିଛି। ଗତକାଲିଠାରୁ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ପ୍ରସଙ୍ଗ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦୃଷ୍ଟିକୁ ଆସିଥିଲା। ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର କହିଛନ୍ତି ଯେ ଜଣେ ନାବାଳକକୁ ଭଗବାନ ଭାବେ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଜଣେ ଶିଶୁକୁ ଠାକୁର ସଜାଇ ଜନସାଧାରଣଙ୍କୁ ଏଭଳି ଠକିବା ଗ୍ରହଣୀୟ ନୁହେଁ। ଏଭଳି କାମରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣୁ ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଭରତପୁର ଥାନା ପୁଲିସ ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି)କୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ କର କହିଛନ୍ତି।
ଆଶ୍ରମ ଜମିର ସରଜମିନ ତଦନ୍ତ କରିବେ ଉପଜିଲ୍ଲାପାଳ
ବାବାଙ୍କ ବାପା କାଶୀନାଥଙ୍କ ସଫେଇ, ସଭାପତି ପାଣ୍ଡବ ନିରବ
ଆଶ୍ରମକୁ ନେଇ ଘଣ୍ଟାଚକଟା ଚାଲିଥିବା ବେଳେ ଆଜି ନାବାଳକ ବାବା ତଥା କଳ୍କୀ ଅବତାରଙ୍କ ବାପା ଭାଷ୍ୟକାର କାଶୀନାଥ ମିଶ୍ରଙ୍କ ସଫେଇ ଭାଇରାଲ୍ ହୋଇଯାଇଛି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ତାଙ୍କ ପୁଅ ଅନନ୍ତ ମାଧବ ଭଗବାନ ବା ଅବତାର ବୋଲି ସେ କେବେ ବି କେଉଁଠି ଦାବି କରିନାହାନ୍ତି। ତାଙ୍କୁ ବଦନାମ କରିବାକୁ ଏକ ୧୦ ବର୍ଷ ତଳର ଭିଡିଓକୁ ଭାଇରାଲ୍ କରାଯାଉଛି। ଅନନ୍ତ ମାଧବର ଜନ୍ମଦିନ ଉତ୍ସବ ଭିଡିଓକୁ ଭାଇରାଲ କରି ମିଛ ଅଭିଯୋଗ ଅଣାଯାଇଛି ବୋଲି ସେ କହିଛନ୍ତି। ତାଙ୍କ ପୁଅ କୌଣସି ଭଗବାନ ନୁହେଁ ବୋଲି ସେ ଏହି ଭିଡିଓରେ ବାରମ୍ବାର ସଫେଇ ଦେଇଛନ୍ତି। ସେହିଭଳି ସେ କିମ୍ବା ତାଙ୍କ ପୁଅ ଫେରାର ହୋଇନାହାନ୍ତି ବୋଲି କହିଛନ୍ତି। ଆଜି ଏହି ଭିଡିଓ ଭାଇରାଲ୍ ହେବା ପରେ ଆଶ୍ରମର ସଭାପତି ପାଣ୍ଡବ ବେହେରାଙ୍କ ଦର୍ଶନ ମିଳିନାହିଁ। ସେ ଅନନ୍ତ ମାଧବଙ୍କୁ କଳ୍କୀ ଅବତାର ବୋଲି ଦାବି କରୁଥିଲେ ଏବଂ ପୂଜାର୍ଚ୍ଚନା ଜାରି ରହିବ ବୋଲି ଗତକାଲି ବାରମ୍ବାର କହୁଥିଲେ। ଏମିତିକି ବାବାଙ୍କୁ ନେଇ ସେ ଶୂନ୍ୟବାଣୀ ଓ ମାଳିକା କଥା ଉଠାଇଥିଲେ। କିନ୍ତୁ ଭରତପୁର ଥାନା ପୁଲିସ ନୋଟିସ୍ କରିବା ପରେ ତାଙ୍କ ସ୍ବର ବଦଳିଥିଲା। ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କେବଳ ପାଦରେ ତୁଳସୀ ଲାଗି କଥା ମିଛ ବୋଲି ସେ କହୁଥିଲେ। କିନ୍ତୁ ଆଜି ଅନନ୍ତ ମାଧବଙ୍କ ବାପା କାଶୀନାଥଙ୍କ ସଫେଇ ପରେ ପାଣ୍ଡବ ଉଭାନ ହୋଇଯାଇଛନ୍ତି। ଆଜି ତାଙ୍କୁ ଗଣମାଧ୍ୟମ ସାମ୍ନାରେ ଦେଖିବାକୁ ମିଳିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/18/mTO5VKHEhtwx0cP7338z.jpg)