ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଯୋଗୁ ଭୁବନେଶ୍ବର କଳ୍ପନା ଛକରୁ-ରବି ଟକିଜ୍ ଟ୍ରାଫିକ୍ ଅସମ୍ଭାଳ
ସରୁନି କୋର୍ଟ ବିଲ୍ଡିଂ ନିର୍ମାଣ
ପୁରୁଣା ଭୁବନେଶ୍ବର: କଳ୍ପନାରୁ ରବି ଟକିଜ୍ ରାସ୍ତାରେ ଟ୍ରାଫିକ୍ ସମସ୍ୟା ବେଳକୁ ବେଳ ବଢ଼ିବାରେ ଲାଗିଛି। ସକାଳ ୮ଟାରୁ ରାତି ୧୧ ଯାଏ ଟ୍ରାଫିକ୍ ଜାମ୍ରୁ ଘଡ଼ିଏ ବି ଫୁରସତ୍ ମିଳୁନାହିଁ। ଅଧାରାସ୍ତା ଜବରଦଖଲ ହୋଇ ରହୁଥିବାରୁ ଏଭଳି ସଙ୍ଗିନ ସ୍ଥିତି ଦେଖିବାକୁ ମିଳୁଛି। ବିଶେଷକରି କୋର୍ଟ ସମ୍ମୁଖ ଓ ବିଜେବି କଲେଜ ସମ୍ମୁଖ ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଉଥିବାରୁ ପ୍ରତି ମୂହୁର୍ତ୍ତରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଅନେକ ଦିନ ଧରି ଏ ସମସ୍ୟା ଲାଗି ରହିଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ।
ପୂବର୍ରୁ କୋର୍ଟ ନିକଟରେ ଉପଜିଲ୍ଲାପାଳ, ତହସିଲଦାର ଓ ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ଥିଲା। ଏହି ଦୁଇ କାର୍ଯ୍ୟାଳୟକୁ ଉଠାଇ ଏଠାରେ ପ୍ରାୟ ୯୦ କୋଟି ଟଙ୍କାର ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ କରିବାକୁ ୪ ବର୍ଷ ତଳେ ଯୋଜନା ହୋଇଥିଲା। ସୂଚନା ଅନୁସାରେ, ୨୦୧୮-୧୯ ମସିହାରେ ନୂତନ କୋର୍ଟ ବିଲ୍ଡିଂ କାମ ଆରମ୍ଭ ହୋଇ ୨୦୨୦ ମସିହା ଡିସେମ୍ବର ମାସରେ ସରିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କାମ ସରିନାହିଁ। କୋର୍ଟ ବିଲ୍ଡିଂ ନିର୍ମାଣ ହେବା ପରେ ଏହି ସବୁ କାର୍ଯ୍ୟାଳୟ ସହ ଏଠାରେ ବସୁଥିବା ମୋହରିଅର, ଷ୍ଟାମ୍ପ ଭେଣ୍ଡର କୋର୍ଟ ପଛ ପାଖକୁ ଚାଲି ଯାଇଥିଲେ। କିନ୍ତୁ କିଛି ଉଠାଦୋକାନୀ ରାସ୍ତା କଡ଼କୁ ଚାଲି ଆସିଥିଲେ। ଖାଲି ସେତିକି ନୁହେଁ, ଭିତରେ ରହୁଥିବା ଗାଡ଼ି ସବୁକୁ କୋର୍ଟ ଆଗରେ ଥିବା ରାସ୍ତା ଉପରକୁ ଚାଲି ଆସିଥିଲା। ଗାଡ଼ି ପାର୍କିଂ ପାଇଁ ସ୍ଥାନ ନଥିବାରୁ ପ୍ରତ୍ୟେକ ଦିନ କୋର୍ଟକୁ ଆସୁଥିବା ହଜାର ହଜାର ଲୋକ ରାସ୍ତାର ଦୁଇ କଡ଼ରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି। ପର୍ଯ୍ୟଟନ ବିଭାଗ ପାନ୍ଥ ନିବାସଠାରୁ ଭଞ୍ଜ କଳାମଣ୍ଡପ ଯାଏ ଗାଡ଼ି ପାର୍କିଂ କରାଯାଉଛି। ଏମିତିକି ବାକି ରହୁଥିବା ରାସ୍ତାରେ ଗୋଟିଏ ଚାରିଚକିଆ ଗାଡ଼ି ପାସ୍ କରିବା ବି ମୁସ୍କିଲ୍ ହୋଇଯାଉଛି। ଫଳରେ ବଡ଼ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ମାତ୍ର ୨ ମିନିଟ୍ର ରାସ୍ତା ପାର୍ ହେବାକୁ ଏବେ ପ୍ରାୟ ୧୫ରୁ ୨୦ ମିନିଟ୍ ସମୟ ଲାଗି ଯାଉଛି।
ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ମାଣଧୀନ ନୂତନ କୋର୍ଟ ବିଲ୍ଡିଂ ସମ୍ମୁଖରେ ଥିବା ଖାଲି ସ୍ଥାନରେ ଏବେ ଭୂ-ତଳ ଗାଡ଼ି ପାର୍କିଂ କାମ ଆରମ୍ଭ ହୋଇଛି। ୪୦ କୋଟି ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି କାମ ଆସନ୍ତା ମାର୍ଚ୍ଚ ୨୦୨୪ରେ ସରିବ। କାମ ଆରମ୍ଭ ହେବାକୁ ଦୁଇ ମାସ ବିତିଯାଇଥିଲେ ହେଁ ଏଯାଏ ମାଟି ଖୋଳା ସରିନାହିଁ। ଆଗକୁ ବର୍ଷା ଦିନ ଆସୁଥିବାରୁ ଖାଲ ଭିତରେ ନିର୍ମାଣ କାମ କରିବା ଆଶା କ୍ଷୀଣ। ତେଣୁ କୋର୍ଟ ବିଲ୍ଡିଂ ଭଳି ପାର୍କିଂ ନିର୍ମାଣ କାମ ବି ବିଳମ୍ବ ହେବ। ଏବେ ବିଏମ୍ସି ପୁରୁଣା ଅଫିସ୍ରେ ସବ୍ ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ଆଡମିନ୍ଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ କୋଠାରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଚାଲୁଛି। ତେଣୁ ଏହି ସବୁ କାର୍ଯ୍ୟାଳୟକୁ ଆସୁଥିବା ଲେକେ ପୁରୁଣା ବିଏମ୍ସି ଅଫିସ ସମ୍ମୁଖ ଓ ପଛପାଖ ରାସ୍ତାରେ ଗାଡ଼ି ପାର୍କିଂ କରୁଥିବାରୁ ସଂପୂର୍ଣ୍ଣ ଅଞ୍ଚଳ ଟ୍ରାଫିକ୍ ଜାମ୍ରେ ଫସି ରହୁଛି। ତୁରନ୍ତ ଏ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।