ମଲ୍‌ରୁ ଚୋରି କରୁଥିବା ଧୂର୍ତ୍ତ କାଳୁ ଗିରଫ

ଭୁବନେଶ୍ବର: ବଡ଼ ଚତୁରତାର ସହ ମଲ୍‌ରୁ ଡ୍ରେସ୍‌ ଲୁଟୁଥିବା ଜଣେ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମର କେ. କୃଷ୍ଣ ପାତ୍ର ଓରଫ କାଳୁ(୨୫)। ପୁଲିସ ତା’ଠାରୁ ୪୦ରୁ ଊର୍ଧ୍ବ ବ୍ରାଣ୍ଡ୍‌ ଡ୍ରେସ୍‌ ଜବତ କରିଛି ଓ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ କାଳୁ ବଡ଼ ଚତୁରତାର ସହ ବାଣ୍ଡ ଫ୍ୟାକ୍ଟ୍ରିରୁ ଚୋରି କରୁଥିଲା। ସେ ଏକ ଲାପ୍‌ଟପ୍‌ ବ୍ୟାଗ୍‌ ପକାଇ ସୋ’ରୁମ୍‌ ଭିତରକୁ ଯାଉଥିଲା। ଭଲ ଦାମୀ ଡ୍ରେସ୍‌ ବାଛି ଟ୍ରାଏଲ୍‌ ରୁମ୍‌ ଭିତରକୁ ପଶୁଥିଲା। ଟ୍ରାଏଲ୍‌ ରୁମ୍‌ ଭିତରେ ସେ ଡ୍ରେସ୍‌ରେ ଲାଗିଥିବା ଟ୍ୟାଗ୍‌କୁ କଟର୍‌ରେ କାଟି ଅନ୍ୟ ଭିନ୍ନ ସୋ’ରୁମ୍‌ର ଟ୍ୟାଗ୍ ଲଗାଉଥିଲା। ଡ୍ରେସ୍‌କୁ ଲାପଟପ୍‌ ବ୍ୟାଗ୍‌ରେ ରଖି ସେ ଟ୍ରାଏଲ୍‌ ରୁମ୍‌ରୁ ବାହାରି ପୁଣି କିଛି ସମୟ ସୋ’ରୁମ୍‌ରେ ବୁଲୁଥିଲା ଓ ଶେଷରେ ବାହାରକୁ ଚାଲି ଆସୁଥିଲା। ଗେଟ୍‌ ପାଖରେ ଯାଞ୍ଚ ହେଉଥିଲେ ବି ଡ୍ରେସ୍‌ରେ ଲାଗିଥିବା ଅନ୍ୟ ଟ୍ୟାଗ୍‌ରୁ କର୍ମଚାରୀ କିଛି ଜାଣିପାରୁନଥିଲେ। ମାତ୍ର ଏମିତି କିଛି ଦିନ ପରେ ବ୍ରାଣ୍ଡ ଫ୍ୟାକ୍ଟ୍ରି ମ୍ୟାନେଜର୍‌ ଏହି ଚୋରି ବାବଦରେ ଜାଣିବାକୁ ପାଇଥିଲେ। ତେଣୁ ଚୋରକୁ ଧରିବା ପାଇଁ ସେମାନେ ଜାଲ ବିଛାଇଥିଲେ। ଗତକାଲି କାଳୁ ପୁଣି ସମାନ ଢ଼ଙ୍ଗରେ ଚୋରି କରୁଥିବା ବେଳେ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ ଓ ପୁଲିସ ଜିମା ଦେଇଥିଲେ। ପଚରାଉଚରା ପରେ କାଳୁ କାରନାମା ଜଣାପଡ଼ିଥିଲା। କ୍ରିକେଟ୍‌ ବେଟିଂରେ ୫ ଲକ୍ଷ ଟଙ୍କା ହରାଇବା ପରେ କାଳୁ ଏଭଳି କାମ କରିବାକୁ ରାଜଧାନୀ ଆସିଥିଲା ବୋଲି ପୁଲିସକୁ କହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର