ଭୁବନେଶ୍ବର : ବିଡିଏରୁ ଘର କରିବା ପାଇଁ ପ୍ଲାନ୍ ନେଇଛନ୍ତି କିନ୍ତୁ ଖୋଲିଛନ୍ତି କଲ୍ୟାଣ ମଣ୍ଡପ। ଆବାସିକ ଅଞ୍ଚଳରେ ବେଧଡ଼କ ଚାଲିଛି କଲ୍ୟାଣ ମଣ୍ଡପ। ବିଏମ୍ସିକୁ ବି ଆବାସିକ ଘର ହିସାବରେ ହୋଲଡିଂ ଟିକସ ଦେଉଛନ୍ତି। ଆବାସିକ ଘରେ କଲ୍ୟାଣ ମଣ୍ଡପ ଚାଲୁଥିବାରୁ ଟ୍ରେଡ୍ ଲାଇସେନ୍ସ ବି ନେଇନାହାନ୍ତି। ୧୦୦କେଜିରୁ ଅଧିକ ଆବର୍ଜନା ବାହାରୁଥିବା ସଂସ୍ଥା, ଘର ସେମାନଙ୍କର ନିଜସ୍ବ କମ୍ପୋଷ୍ଟ ପ୍ଲାଣ୍ଟ ବା ବର୍ଜ୍ୟ ପରିଚାଳନା ବ୍ୟବସ୍ଥା କରିବାକୁ ନିୟମ ଥିଲେ ହେଁ ସମସ୍ତେ ବାହାରେ ଡଷ୍ଟବିନ୍ରେ ଆବର୍ଜନା ପକାଉଛନ୍ତି। ଯେତିକି କଲ୍ୟାଣ ମଣ୍ଡପ ବ୍ୟାବସାୟିକ ଉଦ୍ଦେଶ୍ୟରେ ପ୍ଲାନ୍ ନେଇଛନ୍ତି ସେମାନଙ୍କର ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନାହିଁ, ଅଧିକାଂଶ ନିୟମିତ ହୋଲଡିଂ ଟିକସ ଦେଉନାହାନ୍ତି। କେହି ନିୟମ ମାନୁନାହାନ୍ତି।
ଧୀରେଧୀରେ ରାଜଧାନୀର ବେଆଇନ କଲ୍ୟାଣ ମଣ୍ଡପଗୁଡ଼ିକର ଗୁମର ଫିଟୁଛି। ବିଏମ୍ସି ତାଲିକାରେ ଦିନକୁ ଦିନ କଲ୍ୟାଣ ମଣ୍ଡପଗୁଡ଼ିକ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ୮୨ଟି କଲ୍ୟାଣ ମଣ୍ଡପ ଥିବା ବିଏମ୍ସି କହୁଥିବାବେଳେ ଏବେ ଏହି ସଂଖ୍ୟା ୧୦୦ ପାଖାପାଖି ଛୁଇଁଲାଣି। ଏପରିକି କଲ୍ୟାଣ ମଣ୍ଡପଗୁଡ଼ିକ କିପରି ବେଆଇନ ଭାବେ ଚାଲିଛି ତାହା ଗୁମର ବି ଆସ୍ତେଆସ୍ତେ ଫିଟୁଛି। ବିଏମ୍ସିର ଜୋନାଲ ଡେପୁଟି କମିସନରମାନେ ପ୍ରଥମେ ଅଧାପନ୍ତରିଆ ରିପୋର୍ଟ ଦେଇଥିବାବେଳେ ମଙ୍ଗଳବାର ଚୂଡ଼ାନ୍ତ ରିପୋର୍ଟ ଦେବେ। ଏହାପରେ ବିଏମ୍ସି କ’ଣ କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ଅପେକ୍ଷା। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍ସି କଲ୍ୟାଣ ମଣ୍ଡପଗୁଡ଼ିକୁ ଭିତ୍ତିଭୂମି ସଜାଡ଼ିବାକୁ ମାସିକିଆ ମହଲତ ଦେବ। ଯଦି ଏହି ସମୟରେ ବିଏମ୍ସି ଗାଇଡଲାଇନ୍ ଅନୁଯାୟୀ ସେମାନେ ଭିତ୍ତିଭୂମି ନସଜାଡ଼ିବେ ତେବେ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରାଯିବ।
bahaghara.co.in
ବିଏମ୍ସି କଲ୍ୟାଣ ମଣ୍ଡପର କିଛି ନାହିଁ
ବିଏମ୍ସିର ନିଜର ୭ଟି କଲ୍ୟାଣ ମଣ୍ଡପ ଥିବାବେଳେ ଏଗୁଡ଼ିକ ମୁଖ୍ୟତଃ ଆବାସିକ ଅଞ୍ଚଳରେ ଅଛି। ଏପରିକି କେତୋଟି ଜାଗାରେ ଦୁଇଟି ଲେଖାଏ ମଣ୍ଡପ ଅଛି। ଗୋଟିଏ ତଳ ମହଲାରେ, ଆଉ ଗୋଟିଏ ଉପର ମହଲାରେ। ଏତିକି ନୁହେଁ ଏଠାରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଦୂର କଥା ଘରୋଇ କଲ୍ୟାଣ ମଣ୍ଡପଗୁଡ଼ିକର ଯାହା କିଛି ଅଛି ଏଠାରେ ତାହା ନାହିଁ। ନାହିଁ ନାହିଁରେ ବିଏମ୍ସି କଲ୍ୟାଣ ମଣ୍ଡପଗୁଡ଼ିକ ଚାଲିଥିବାବେଳେ ଏଗୁଡ଼ିକୁ କେବେ ସଜଡ଼ାଯିବ ସେନେଇ ପ୍ରଶ୍ନ ଉଠିଲାଣି।
ଏବେ ପୌଷ ମାସ ଯୋଗୁଁ ବାହାଘର ତିଥି ନାହିଁ। ଜାନୁଆରିରୁ ପୁଣି ବାହାଘର ତିଥି ଆରମ୍ଭ ହେବ। ତେଣୁ ଏହାରି ଭିତରେ କଲ୍ୟାଣ ମଣ୍ଡପଗୁଡ଼ିକୁ ଅଭାବ ଥିବା ଭିତ୍ତିଭୂମି ସଜାଡ଼ିବାକୁ ସମୟ ଦିଆଯିବ ବୋଲି ଜଣାପଡ଼ିଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ବିଏମ୍ସି ଅଧୀନରେ ଥିବା ପ୍ରାୟ ୧୦୦ କଲ୍ୟାଣ ମଣ୍ଡପ ଥିବାବେଳେ ଏଥିରୁ ଅଧାରୁ ଅଧିକର ଆବଶ୍ୟକ ଡକୁମେଣ୍ଟ ନାହିଁ। କଲ୍ୟାଣ ମଣ୍ଡପଗୁଡ଼ିକ ଯେଉଁ ସ୍ଥାନରେ ନହେବା କଥା ସେଠାରେ ହୋଇଛି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ପ୍ରାୟ ୯୦% କଲ୍ୟାଣ ମଣ୍ଡପ ପାଇଁ ଟ୍ରାଫିକ ବିଶୃଙ୍ଖଳା ସୃଷ୍ଟି ହେଉଛି। ମନଇଚ୍ଛା କଲ୍ୟାଣ ମଣ୍ଡପ ଖୋଲା ଯାଇଥିବାରୁ ଏବଂ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି। ବରଯାତ୍ରୀ ଶୋଭାଯାତ୍ରା ମୁଖ୍ୟ ରାସ୍ତା ଉପରେ ଆସୁଥିବାରୁ ଅଯଥା ଭିଡ଼ ଜମୁଛି। ତେଣୁ ଏହାର ସମାଧାନ ପାଇଁ ବିଏମ୍ସି ଗାଇଡଲାଇନ୍ ଜାରି କରିବାକୁ ଯୋଜନା କରୁଛି।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେଉଁ କେଉଁ ଅଞ୍ଚଳରେ କଲ୍ୟାଣ ମଣ୍ଡପ ଖୋଲାଯାଇପାରିବ, ସେଠାରେ କ’ଣ ସୁବିଧା ସୁଯୋଗ ଉପଲବ୍ଧ ହେବ, କ’ଣ ଭିତ୍ତିଭୂମି ରହିବା ଦରକାର ସେନେଇ ବିଏମ୍ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ। ଯେଉଁମାନେ ଆବାସିକ ପ୍ଲାନ୍ ନେଇ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ସର୍ବକ୍ଷମା ଯୋଜନାରେ ଆବେଦନ କରିବାକୁ ସମୟ ଦିଆଯିବ। ସେମାନଙ୍କ ଠାରୁ ବିଏମ୍ସି/ବିଡିଏ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହେବାର ଅଛି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦ରେ ନଗର ଉନ୍ନୟନ ବିଭାଗ ସଚିବ ବିଏମ୍ସି କମିସନର ଓ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ବେଆଇନ କଲ୍ୟାଣମଣ୍ଡପଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏପରିକି ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକ ଯୋଗୁଁ ଟ୍ରାଫିକ ଜାମ୍ ପରିସ୍ଥିତି ଉପୁଜୁଛି ସେଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏହାପରେ ବିଏମ୍ସି ପକ୍ଷରୁ କଲ୍ୟାଣ ମଣ୍ଡପ ତାଲିକା ପ୍ରସ୍ତୁତ କରି ଡିସେମ୍ବର ୬ରୁ ୧୩ ମଧ୍ୟରେ ଚଢ଼ଉ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ହଠାତ୍ ଏଥିରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ହସ୍ତକ୍ଷେପ କଲେ। ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିସନରଙ୍କୁ ଡାକି ଏହାର ସମାଧାନ କରିବା ନେଇ ନିର୍ଦ୍ଦେଶ ଦେଲେ। ଏହାପରେ ବିଏମ୍ସି/ବିଡିଏ ନଜରରେ ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକ ବେଆଇନ ଥିଲା ସେଗୁଡ଼ିକ ଆଇନସମ୍ମତ ହୋଇଯାଇଛି।