କଲ୍ୟାଣମଣ୍ଡପରେ ଲାଗୁ ହେଲା ବର୍ଦ୍ଧିତ ଦର

ଚନ୍ଦ୍ରଶେଖରପୁର : ନୂଆ ବର୍ଷରୁ ରାଜଧାନୀବାସୀଙ୍କଠାରୁ ଅଧିକ ଅର୍ଥ ଆଦାୟ ପାଇଁ ନୂଆ ବାଟ ବାହାର କରିଛି ବିଏମ୍‌ସି। ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଆଜିଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟ ନିମନ୍ତେ ବୁକିଂ କରାଯାଉଥିବା ରାଜଧାନୀର ବିଭିନ୍ନ କଲ୍ୟାଣମଣ୍ଡପ ଓ କମ୍ୟୁନିଟି ସେଣ୍ଟର ଗୁଡ଼ିକରେ ବର୍ଦ୍ଧିତ ଦର ଲାଗୁ ହେବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ଗତ ବିଏମ୍‌ସି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଖୁବ୍‌ଶୀଘ୍ର ବିଦ୍ଧିବଦ୍ଧ ନୋଟିସ୍‌ ଜାରି କରାଯିବ। ଏହି ନିଷ୍ପତ୍ତି ଅନୁଯାୟୀ ଜାନୁଆରି ୧ ପରେ ବୁକିଂ କରାଯାଉଥିବା କଲ୍ୟାଣମଣ୍ଡପ ଓ କମ୍ୟୁନିଟି ସେଣ୍ଟରଗୁଡ଼ିକ କ୍ଷେତ୍ରରେ ହିଁ ଏହି ବର୍ଦ୍ଧିତ ଦର ଲାଗୁହେବ। ମାତ୍ର ପୂର୍ବରୁ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏକ ଅଫିସ୍‌ ଅର୍ଡ଼ରରେ କିନ୍ତୁ ଜାନୁଆରି ପହିଲା ପରେ ହୋଇଥିବା ଯେକୌଣସି ବୁକିଂ ଉପରେ ବର୍ଦ୍ଧିତ ଦର ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଥିଲା।

ବିଏମ୍‌ସିର କଲ୍ୟାଣମଣ୍ଡପ ଗୁଡ଼ିକ ଛଅ ମାସ ପୂର୍ବରୁ ବୁକିଂ ହୋଇଥାଏ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାନୁଆରି ପହିଲାରୁ ହେଉଥିବା ନୂଆ ବୁକିଂ କିମ୍ବା ପୂର୍ବରୁ ହୋଇଥିବା ଯେକୌଣସି ବୁକିଂ ଯାହାକି ଜାନୁଆରି ପରେ ପଡ଼ିବ, ସେହି ସମସ୍ତ ବୁକିଂ ଉପରେ ବର୍ଦ୍ଧିତ ଦର ଲାଗୁ ହେବା ନେଇ ସ୍ଥିିର ହୋଇଥିଲା। ମାତ୍ର ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। କାରଣ ଅଗଷ୍ଟ ମାସରେ କଲ୍ୟାଣମଣ୍ଡପ ବୁକିଂ କରି ଦେୟ ପ୍ରଦାନ କରିସାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ବର୍ଦ୍ଧିତ ଦର ଦେବାକୁ ପଡ଼ିବ ଜାଣି ଲୋକେ ଏହାର ପ୍ରତିବାଦ କରିଥିଲେ। ପୂର୍ବରୁ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଲନ୍‌ ସହିତ ୧୯୭୯୦ ଟଙ୍କା ଦେୟ ଦେବାକୁ ହେଉଥିବାବେଳେ ଏବେ ବୁକିଂ ନିମନ୍ତେ ୩୪,୫୦୦ଟଙ୍କା ଦେବାକୁ ହେବ ବୋଲି ବିଏମ୍‌ସିର କର୍ମଚାରୀମାନେ ପୂର୍ବରୁ ବୁକିଂ କରି ଫି ପଇଠ କରିସାରିଥିବା ହିତାଧିକାରୀଙ୍କୁ କହିଥିଲେ।

ମାତ୍ର ବିନା ପୂର୍ବ ସୂଚନାରେ ଏପରି ଦର ବୃଦ୍ଧି ବିରୋଧରେ କିଛି ହିତାଧିକାରୀ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଥିଲେ। ତେଣୁ ବିଏମ୍‌ସି ପକ୍ଷରୁ ସେହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିଷ୍ପତ୍ତି ଅନୁଯାୟୀ ଯେଉଁମାନେ ଜାନୁଆରି ପହିଲାରୁ କଲ୍ୟାଣମଣ୍ଡପ କିମ୍ବା କମ୍ୟୁନିଟି ସେଣ୍ଟର ବୁକିଂ କରିବେ, ସେମାନେ ହିଁ ବର୍ଦ୍ଧିତ ଦର ଦେବେ। ପୂର୍ବରୁ ହୋଇଥିବା କୌଣସି ବୁକିଂ ଉପରେ ଏହି ଦର ଲାଗୁ ହେବ ନାହିଁ। ସହିଦନଗରର ଦୁଇଟି, ଭିଏସ୍‌ଏସ୍‌ନଗର, ଚନ୍ଦ୍ରଶେଖରପୁର, ଦକ୍ଷିଣଚଣ୍ଡୀ ଓ ଦକ୍ଷିଣଚଣ୍ଡୀ-୨, ବଡ଼ଗଡ଼ କଲ୍ୟାଣମଣ୍ଡପ, ୟୁନିଟ୍‌-୮, ଶାସ୍ତ୍ରୀନଗର ଓ ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଭଳି ୧୦ଟି ସ୍ଥାନରେ ଏହି ବର୍ଦ୍ଧିତ ଦର ଲାଗୁହେବ। ଏନେଇ ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କୁ ସୂଚୀତ କରାଯିବ। ଫଳରେଏହି ନିଷ୍ପତ୍ତି ପରେ ପୂର୍ବରୁ ବୁକିଂ କରି ଦେୟ ପ୍ରଦାନ କରିସାରିଥିବା ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି।

ଏ ସଂପର୍କରେ ପଚରାଯିବାରୁ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରୀ କଲ୍ୟାଣ ମଣ୍ଡପଗୁଡ଼ିକର ଫି’ ପରିମାଣ ଯେକୌଣସି ଘରୋଇ ମଣ୍ଡପଠାରୁ ଯଥେଷ୍ଟ କମ୍‌। ତେଣୁ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଦେୟ ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର