କଲ୍ୟାଣ ମଣ୍ଡପ ସିଲ୍‌ ଅଟକିବା ପଛରେ କିଏ? ୧୭ଟି ସିଲ୍‌ ପରେ ଚୁପ୍‌ ବସିଗଲେ

ଭୁବ‌ନେଶ୍ୱର : ବିଏମ୍‌ସିର ଜୋନାଲ ଡେପୁଟି କମିସନରମାନେ ହାତରେ କଲ୍ୟାଣ ମଣ୍ଡପ ତାଲିକା ଧରି ସ୍କ୍ବାଡ୍‌ ସହ ବିଭିନ୍ନ ଅଞ୍ଚଳ ବୁଲିଲେ। ‌୪ ଦିନରେ ୧୭ଟି କଲ୍ୟାଣ ମଣ୍ଡପ ସିଲ୍‌ କରିଦେଲେ। ବେଆଇନ କଲ୍ୟାଣ ମଣ୍ଡପ ମାଲିକଙ୍କ ମଧ୍ୟରେ କେ‌ାକୁଆ ଭୟ ସୃଷ୍ଟି ହୋଇଗଲା। ଯେଉଁମାନେ ବିବାହ/ବ୍ରତ ପାଇଁ କଲ୍ୟାଣ ମଣ୍ଡପ ବୁକିଂ କରିଥିଲେ ସେମାନଙ୍କ ନିଦ ହଜିଲା। ହେଲେ ବହୁ ଲୋକ କଲ୍ୟାଣମଣ୍ଡପ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଥିବାରୁ ବିଏମ୍‌ସିର ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଏମ୍‌ସି କମିସନର ବି କହିଥିଲେ, କୌଣସି ପରିସ୍ଥିତିରେ କଲ୍ୟାଣ ମଣ୍ଡପ ସିଲ୍‌ ବନ୍ଦ ହେବନି। ହେଲେ ୧୦ଦିନ ହେଲା ଆଉ କଲ୍ୟାଣ ମଣ୍ଡପ ସିଲ୍‌ ହେଉନି।

ବିଏମ୍‌ସି ପକ୍ଷରୁ ଫେବ୍ରୁଆରି ୩ରୁ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୮ଟି କଲ୍ୟାଣ ମଣ୍ଡପ ସିଲ୍‌ ହୋଇଥିବାବେଳେ ଦ୍ବିତୀୟ ଦିନରେ ଦୁଇଟି, ତୃତୀୟ ଦିନରେ ଗୋଟିଏ ଏବଂ ଚତୁର୍ଥ ଦିନରେ ୬ଟି କଲ୍ୟାଣ ମଣ୍ଡପ ସିଲ୍‌ ହୋଇଥିଲା। ୪ଦିନରେ ମୋଟ୍‌ ୧୭ଟି କଲ୍ୟାଣ ମଣ୍ଡପ ସିଲ୍‌ ହେଲା। ରାଜଧାନୀରେ ମୋଟି ୯୪ଟି କଲ୍ୟାଣ ମଣ୍ଡପ ଥିବାବେଳେ ୮୦ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାର ଯୋଜନା ଥିଲା। ହେଲେ ୧୭ଟି ମଣ୍ଡପ ସିଲ୍‌ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍ ବସିପଡ଼ିଲେ। ବାକି ୬୩ଟି କଲ୍ୟାଣ ମଣ୍ଡପ କାହିଁକି ସିଲ୍‌ ହେଲାନି ସେନେଇ କାହା ପାଖରେ କିଛି ଜବାବ୍ ନାହିଁ। ହଠାତ୍ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ବନ୍ଦ ହେବା ନେଇ ବିଏମ୍‌ସିର ଜୋନାଲ ଡେପୁଟି କମିସନରମାନେ ବି ମୁହଁ ଖୋଲୁନାହାନ୍ତି। ପଚାରିଲେ କହୁଛନ୍ତି ଆଗକୁ ହେବ। ହେଲେ କେବେ ହେବ ସେ ଉତ୍ତର ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୋନାଲ ଡେପୁଟି କମିସନରମାନେ ସେମାନଙ୍କ ପଦବିର ଅପବ୍ୟବହାର କରିବା ଭଳି ଅଭିଯୋଗ ଆସିଥିଲା। ଏପରିକି ଉତ୍ତର ଜୋନ୍ ଡେପୁଟି କମିସନର ଗୋଟିଏ ମଣ୍ଡପରୁ ଆଗୁଆ ୫ଦିନ ପାଇଁ ଜରିମାନା ଆଦାୟ କରି ମଣ୍ଡପ ସିଲ୍‌ କରିନଥିଲେ। ସେହିପରି ଦକ୍ଷିଣ-ପୂର୍ବ ଜୋନ୍ ଡେପୁଟି କମିସନର ଗୋଟିଏ ମଣ୍ଡପକୁ ସକାଳେ ସିଲ୍‌ କରିବା ପରେ ସଂଧ୍ୟାରେ ଖୋଲି ଦେଇଥିଲେ। ଏହି ଦୁଇଟି ଅଭିଯୋଗ ଯେଉଁ ଦିନ ଆସିଲା ସେହି ଦିନ ଠାରୁ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ବନ୍ଦ ହୋଇଗଲା। କେବଳ ଏତିକି ନୁହେଁ କଲ୍ୟାଣମଣ୍ଡପ ମାଲିକମାନେ ବିଏମ୍‌ସି ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ହାଇକୋର୍ଟ ବି କଲ୍ୟାଣ ମଣ୍ଡପ ସିଲ୍‌ ନକରିବା ନେଇ କିଛି ନିର୍ଦ୍ଦେଶ ଦେଇନାହାନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କାହା ଚାପରେ ଚୁପ୍ ବସିପଡ଼ିଲେ ସେ ନେଇ ପ୍ରଶ୍ନ ଉଠିଲାଣି। ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୯୪ଟି ଯାକ କଲ୍ୟାଣ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଜାନୁଆରି ୩୧ତାରିଖ ସୁଦ୍ଧା ୧୪ଟି କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଉତ୍ତର ରଖିଥିଲେ। ଏହାପରେ ୩୦ରୁ ଅଧିକ କଲ୍ୟାଣ ମଣ୍ଡପ ସେମାନଙ୍କ ଉତ୍ତର ରଖିଛନ୍ତି। ସେମାନଙ୍କର କ’ଣ ଅସୁବିଧା ଅଛି, କ’ଣ ପାଇଁ ଆବେଦନ କରିଛନ୍ତି, କେତେ ଦିନରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବେ ସେନେଇ ଲେଖିକି ଜଣାଇଛନ୍ତି। ଏହାକୁ ସ୍କ୍ରୁଟିନି କମିଟିରେ ପକାଯିବ। କମିଟି ଯାହା ନିଷ୍ପତ୍ତି ନେବ ସେନେଇ କାର୍ଯ୍ୟାନୁଷ୍ଠାନ ହେବ।

ହେଲେ ଏହି କମିଟି କେବେ ‌ବସିବ କାହାକୁ ଜଣାନାହିଁ। ବିଏମ୍‌ସି କମିସନର ଓଡ଼ିଶା ବାହାରେ ଥିବାରୁ ଆସିବା ପରେ ସ୍କ୍ରୁଟିନି କମିଟି ‌ବୈଠକ ବସିବା ନେଇ ଆଲୋଚନା ହେବ। ଏହି କମିଟିରେ ବିଡିଏର ପ୍ଲାନିଂ ମେମ୍ବର, ବିଏମ୍‌ସିର ଅତିରିକ୍ତ କମିସନର, ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ), ବିଏମ୍‌ସିର ପ୍ଲାନିଂ ଅଧିକାରୀ, ବିଡିଏର ଏନଫୋର୍ସମେଣ୍ଟ ଅଧିକାରୀ, ବିଏମ୍‌ସିର ସିଟି ଇଞ୍ଜିନିୟର, ବିଏମ୍‌ସିର ଡେପୁଟି କମିସନର (ରାଜସ୍ବ) ପ୍ରମୁଖ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର