ଭୁବନେଶ୍ବର : ୪ଦିନ ହେଲା ବିଏମ୍ସି ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ କଲ୍ୟାଣ ମଣ୍ଡପ ସିଲ୍ ଚାଲିଛି। ହେଲେ ଏବେ ବିଏମ୍ସି ଅଧିକାରୀଙ୍କ କାର୍ଯ୍ୟ ନେଇ ପ୍ରଶ୍ନ ଉଠିଲାଣି। ବିଏମ୍ସି ସ୍କ୍ବାଡ୍ ମଣ୍ଡପ ସିଲ୍ କରିବାରେ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି। ଆଜି ବିଏମ୍ସି ୭ଟି ମଣ୍ଡପ ସିଲ୍ କରିବାର ଥିଲେ ମଧ୍ୟ ୬ଟି ମଣ୍ଡପ ସିଲ୍ କରିଥିଲା। ଆଉ ଏହି ୬ଟିରୁ ଗୋଟିଏ ମଣ୍ଡପକୁ ରାତିରେ ଖୋଲି ଦେଇଥିବା ଅଭିଯୋଗ ହୋଇଛି। ବିଏମ୍ସି କର୍ତ୍ତୃପକ୍ଷ କାହିଁକି ଏମିତି ପାତରଅନ୍ତର କଲେ ସେନେଇ ଏବେ ସବୁଠି ଚର୍ଚ୍ଚା।
ସୂଚନା ଅନୁଯାୟୀ ବିଏମ୍ସିର ଦକ୍ଷିଣପୂର୍ବ ଜୋନ୍ର ସ୍କ୍ବାଡ୍ ପକ୍ଷରୁ ଗୌରୀ ନଗରରେ ଥିବା କୃପା ସଦନ, ଗୌତମ ନଗରରେ ଥିବା କୈଳାସ ସଦନ, ନାଗେଶ୍ବର ଟାଙ୍ଗିରେ ଥିବା ଜି.ଡି ସ୍ବାଗତମ୍ ମଣ୍ଡପ, ଶ୍ରୀରାମ ନଗରରେ ଥିବା ସରସ୍ବତୀ ମଣ୍ଡପ ସିଲ୍ କରାଯାଇଥିଲା। ଉତ୍ତର ଜୋନ୍ ସ୍କ୍ବାଡ୍ ପକ୍ଷରୁ ପାଣ୍ଡରାରେ ଥିବା ରାଜାରାଣୀ ମଣ୍ଡପ ଓ ମା’ତାରିଣୀ ମଣ୍ଡପକୁ ସିଲ୍ କରାଯାଇଥିଲା। ହେଲେ ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ସକାଳେ ସିଲ୍ ହୋଇଥିବା ସରସ୍ବତୀ ମଣ୍ଡପକୁ ସଂଧ୍ୟାରେ ଖୋଲି ଦିଆଯାଇଥିଲା। କର୍ତ୍ତୃପକ୍ଷ କାହିଁକି ଏହି ମଣ୍ଡପର ସିଲ୍ ଖୋଲିଲେ ସେନେଇ କେହି କିଛି କହିନାହାନ୍ତି।
ଅପରପକ୍ଷେ ଆଜି ଉତ୍ତର ଜୋନ୍ରେ ଜିଜିପି କଲୋନିରେ ମଞ୍ଜୁଳା ମଣ୍ଡପ ସିଲ୍ ହେବାର ଥିଲେ ହେଁ କର୍ତ୍ତୃପକ୍ଷ ସିଲ୍ କରି ନ ଥିଲେ। କାରଣ ବୁଝୁବୁଝୁ ଜଣାପଡ଼ିଲା, କାଲି ସ୍କ୍ବାଡ୍ ମଞ୍ଜୁଳା ମଣ୍ଡପରେ ବିବାହ ଚାଲିଥିବାରୁ ଯେଉଁ ୫୦ହଜାର ଟଙ୍କା ଜରିମାନା ନେଇ ବାହାବାହା ନେଉଥିଲା ସେଥିରେ କାରସାଦି ହୋଇଛି। ଅର୍ଥାତ୍, ସ୍କ୍ବାଡ୍ ୫ଦିନ ପାଇଁ ଅର୍ଥାତ୍ ଦିନ ପିଛା ୧୦ହଜାର ଜରିମାନା ନେଇ ମଣ୍ଡପ ଖୋଲିବାକୁ ଅନୁମତି ଦେଇ ଦେଇଛି। ଯଦି ମଣ୍ଡପ ବେଆଇନ ଥିଲା ତେବେ କର୍ତ୍ତୃପକ୍ଷ ସିଲ୍ ନକରି କାହିଁକି ଜରିମାନା ଆଦାୟ କରୁଥିଲେ। ତାହା ପୁଣି ୫ଦିନ ପାଇଁ। ଏହି ଜୋନ୍ରେ ବାକି ଦୁଇଟି ମଣ୍ଡପରୁ ବୁଧବାର ଦିନକ ପାଇଁ ଜରିମାନା ଆଦାୟ ହୋଇଥିଲା। ସେଗୁଡିକୁ ଆଜି ସିଲ୍ କରାଯାଇଥିଲା। ହେଲେ ମଞ୍ଜୁଳା ମଣ୍ଡପ ମାଟି ମାଡ଼ିଲେନି ବିଏମ୍ସି କର୍ତ୍ତୃପକ୍ଷ। ବିଏମ୍ସି କମିସନର ସବୁ କଲ୍ୟାଣ ମଣ୍ଡପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଥିବାବେଳେ ଜୋନାଲ୍ ସ୍କ୍ବାଡ୍ ଭିତିରି କାରବାର କରି ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି।