ନାଟକ ଓ ମଞ୍ଚ ପାଇଁ ସମର୍ପିତ ଥିଲେ କମଳ ଲୋଚନ

କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଜନ୍ମଶତବାର୍ଷିକୀ ସଂପାନ

ଭୁବନେଶ୍ବର: ନାଟ୍ୟକାର କମଳ ଲୋଚନ ମହାନ୍ତିଙ୍କ ସମଗ୍ର ଜୀବନ ନାଟକ ଓ ମଞ୍ଚ ପାଇଁ ଥିଲା ସମର୍ପିତ ଥିଲା। ନାନା ପ୍ରତିକୂଳ ପରିସ୍ଥିତି ଅତିକ୍ରମ କରି ଓଡ଼ିଆ ନାଟକକୁ ନୂଆ ରୂପ ଦେବାରେ ସେ ଯେଉଁ ଅନନ୍ୟ ଉଦ୍ୟମ କରିଥିଲେ, ତାହାର ପଟାନ୍ତର ନାହିଁ। କେନ୍ଦ୍ର ସାହିତ୍ୟ ଅକାଦେମି ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶିଷ୍ଟ ନାଟ୍ୟକାର ‘କମଳ ଲୋଚନ ମହାନ୍ତି ଜନ୍ମଶତବାର୍ଷିକ ସଂପାନ’କୁ ଉଦ୍‌ଘାଟନ କରି ସୁପ୍ରିମ୍‌କୋର୍ଟର ପୂର୍ବତନ ନ୍ୟାୟମୂର୍ତ୍ତି ଅରିଜିତ୍ ପଶାୟତ ଆଜି ଏହା କହିଛନ୍ତି।

ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କମଳଲୋଚନଙ୍କ ନାଟକଗୁଡ଼ିକ ସମାଜନିଷ୍ଠ ତଥା ଦର୍ଶକଙ୍କୁ ଆକୃଷ୍ଟ କରିବାର ଏକ ଉତ୍କୃଷ୍ଟ କଳା। ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ନାଟ୍ୟକାର କମଳଲୋଚନ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ। ଉଦ୍‌ଘାଟନୀ ଅଧିବେଶନରେ ନାଟ୍ୟ ସମାଲୋଚକ ପ୍ରଫେସର୍‌ ସମର ମୁଦାଲି ମୂଳ ଭାଷଣ ପ୍ରଦାନ କରିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ପ୍ରଫେସର୍‌ ବିଜୟାନନ୍ଦ ସିଂହ ସଭାପତିତ୍ୱ କରି କହିଲେ ଯେ କମଳଲୋଚନ ନାଟକ ରଚନା ବ୍ୟତୀତ ଅନୁବାଦ ଓ ସଂପାଦନାରେ ମଧ୍ୟ ସ୍ୱକୀୟ କୃତିତ୍ୱ ପ୍ରତିପାଦନ କରିଯାଇଛନ୍ତି।

ତାଙ୍କୁ ଅକାଦେମି ଶତବାର୍ଷିକ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ‘କମଳ ଲୋଚନଙ୍କ ମନୋଗ୍ରାଫ୍‌’ ଖୁବ୍‌ଶୀଘ୍ର ପ୍ରକାଶ କରିବ ବୋଲି ସେ କହିଥିଲେ। ଅକାଦେମିର ସଚିବ କେ. ଶ୍ରୀନିବାସରାଓ ସ୍ୱାଗତ ଭାଷଣ ଓ ପ୍ରଫେସର ବିଜୟ ଶତପଥୀ ଧନ୍ୟବାଦ ଦେଇଥିଲେ। ପ୍ରଥମ ଅଧିବେଶନରେ ନାଟ୍ୟକାର ମନ୍ମଥ ଶତପଥୀ ସଭାପତିତ୍ୱ କରିଥିଲେ। ପ୍ରଦୀପ୍ତ ପଣ୍ଡା, ବିରଞ୍ଚି ସାହୁ, ସନ୍ଦୀପ ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ। ପ୍ରଫେସର ବିଷ୍ଣୁପ୍ରିୟା ଓତା ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ସଭାପତିତ୍ୱ କରିଥିବା ବେଳେ ଜ୍ଞାନରଂଜନ ମହାନ୍ତି, ସରସ୍ୱତୀ ଦେବୀ ଓ ସୁବାସ ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ।

ସମ୍ବନ୍ଧିତ ଖବର