ଭୁବନେଶ୍ବର: ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ନାଟ୍ୟ ରଙ୍ଗମଞ୍ଚକୁ ଏକ ଭିନ୍ନ ଦିଶା ଦେଇଥିବା କମଳ ଲୋଚନ ମହାନ୍ତିଙ୍କ ତୁଳନା ନାହିଁ। ସେ ନିଜ ନାଟକକୁ ସାଧାରଣ ଜନଜୀବନ ସହ ଯୋଡ଼ି ପାରୁଥିଲେ। ସାଧାରଣ ଦୃଶ୍ୟକୁ ଅସାଧାରଣ ଉପାଦାନରେ ଉପସ୍ଥାପନ କରୁଥିଲେ। ସାମାଜିକ ସମସ୍ୟା ସହ ଜୀବନକୁ ଯୋଡ଼ି ଅତି ସୁନ୍ଦର ଓ ଚମତ୍କାର ଢଙ୍ଗରେ ନାଟକକୁ ନାଟକୀୟ ରୂପ ଦେଉଥିଲେ। ବହୁ ବର୍ଷ ପୂର୍ବରୁ ତାଙ୍କ ଦ୍ବାରା ରଚିତ ନାଟକ ସବୁକୁ ପଢ଼ିଲେ, ଆଜିର ସମାଜରେ ତା’ର ପ୍ରାସଙ୍ଗିକତା ଥିଲା ଭଳି ମନେ ହେଉଛି। ଆଜି ଜୟଦେବ ଭବନଠାରେ ‘କମଳ ଲୋଚନ ମହାନ୍ତି ଫାଉଣ୍ଡେସନ୍’ ପକ୍ଷରୁ କମଳ ଲୋଚନ ମହାନ୍ତି ଶତବାର୍ଷିକ ସ୍ମାରକୀ ବକ୍ତୃତା ଅବସରରେ ଆୟୋଜିତ ‘ସମକାଳୀନ ନାଟକ: ଶୈଳୀ ଓ ସୌନ୍ଦର୍ଯ୍ୟକରଣ’ ଶୀର୍ଷକ ଆଲୋଚନାରେ ନାଟ୍ୟକାର, ଐତିହାସିକ ତଥା ବିଦ୍ୱ୍ୱାନ ପ୍ରଫେସର ଏଚ୍.ଏସ୍. ଶିବପ୍ରକାଶ ଏହା କହିଛନ୍ତି।
ସଭାରେ କବି କେଦାର ମିଶ୍ର ସଭାପତିତ୍ୱ କରି ସଂଳାପ ମାଧ୍ୟମରେ ନାଟ୍ୟକାର କମଳ ଲୋଚନଙ୍କ ସ୍ମୃତିଚାରଣ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର୍ ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ନାଟ୍ୟ ଆନ୍ଦୋଳନର ଅନ୍ୟତମ ସାରଥୀ କମଳ ଲୋଚନ ମହାନ୍ତିଙ୍କ ନାଟ୍ୟ ଜୀବନୀକୁ ଅତି ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ତନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପରିଚାଳନାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଫାଉଣ୍ଡେସନ୍ର ଅନ୍ୟ ସଦସ୍ୟବୃନ୍ଦ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/25-8.jpg)