ପରୀକ୍ଷା ଫି’ କମାଇବା ଦାବି : କମଳା ନେହେରୁ ଛାତ୍ରୀଙ୍କ ଧାରଣା

ଭୁବନେଶ୍ବର : ପରୀକ୍ଷା ଫି’‌ କମାଇବା ଦାବି କରି କମଳା ନେ‌େହରୁ ମହିଳା ମହାବିଦ୍ୟାଳୟରେ ଆଜି ପୁଣି ଉତ୍ତେଜନା ଦେଖାଦେଇଥିଲା। ଯୁକ୍ତ ୨ ଦ୍ବିତୀୟ ବର୍ଷ ଛାତ୍ରୀ ଆଜି କଲେଜର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସି ରହିଥିଲେ।

ଛାତ୍ରୀମାନେ ଆଜି ପୂର୍ବାହ୍ଣ ୧୦ ଟାରେ କଲେଜର ମୁଖ୍ୟ ଫାଟକରେ ତାଲା ଝୁଲାଇଥିଲେ। କଲେଜ ଭିତରକୁ କାହାକୁ ଛାଡ଼ି ନଥିଲେ। ପ୍ରାୟ ପୂର୍ବାହ୍ଣ ସାଢ଼େ୧୧ଟା ପର୍ଯ୍ୟନ୍ତ ଏଭଳି ଅଚଳାବସ୍ଥା ଲାଗି ରହିଥିଲା। କଲେଜର କର୍ତୃପକ୍ଷ ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଛାତ୍ରୀମାନଙ୍କ କହିବା ମୁତାବକ ସମସ୍ତ ବିଭାଗ ପାଇଁ ପରୀକ୍ଷା ଫି’ ୫୪୦ଟଙ୍କା ରଖାଯାଇଥିବା ‌ବେଳେ ଏଷ୍ଟାବ୍ଲିସମଣ୍ଟେ ଫି’ କଳା ଓ ବାଣିଜ୍ୟ ପାଇଁ ୨୪୦୦ ଟଙ୍କା ଏବଂ ବିଜ୍ଞାନ ପାଇଁ ୩୦୦୦ଟଙ୍କା ରଖାଯାଇଛି। ଅନ୍ୟ କଲେଜ୍‌ ତୁଳନାରେ ଏହି ଫି’ ବହୁତ ଅଧିକ ବୋଲି ଛାତ୍ରୀମାନେ କହିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ ମିଶ୍ର କହିଛନ୍ତି, ଏହି ଫି’ ଅନେକ ବର୍ଷ ଧରି ରହିଛି। ତେବେ ଫର୍ମ ପୂରଣ ପାଇଁ ୨୬ ତାରିଖ ଶେଷ ଦିନ ଥିବା ବେଳେ ଏହାକୁ ୨୭ ତାରିଖ ଦିନ ୧ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ସେମାନେ ଫର୍ମ ପୂରଣ କରିପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର