ଭୁବନେଶ୍ବର: ହୋଟେଲ୍‌ ଓ ଆତିଥେୟତା ଜଗତରେ ଦୀର୍ଘ ୮୫ ବର୍ଷର ପରମ୍ପରା ବଜାୟ ରଖିଥିବା କାମତ୍‌ ହୋଟେଲ୍‌ସ (ଇଣ୍ଡିଆ) ଲିମିଟେଡ୍‌ ପୁରୀର ବେଳାଭୂମି ନିକଟରେ ମହୋଦଧି ପ୍ୟାଲେସ୍‌ ହୋଟେଲ୍‌ ସ୍ଥାପନ କରୁଛି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ତାହା କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶାଲ ବିଠଲ୍‌ କାମତ୍‌ କହିଛନ୍ତି। ‘ସମ୍ବାଦ’ ସହ ଏକ ସ୍ବତନ୍ତ୍ର ଆଲୋଚନାର ସେ ଏହି ପ୍ରକଳ୍ପ ବିଷୟରେ ଅଧିକ ସୂଚନା ଦେଇ କହିଥିଲେ ଯେ ପୁରୀ ପ୍ରକଳ୍ପରେ ୧୬୦ କୋଟି ଟଙ୍କା ନିବେଶ କରାଯାଉଛି। ସେଥିରେ ୧୮୦ଟି କୋଠରି ରହିବ। ସେହି ପ୍ରକଳ୍ପ ରାଜ୍ୟରେ କମ୍ପାନିର ଉପସ୍ଥିତିକୁ ବେଶ୍ ସୁଦୃଢ଼ କରିବ। ଏଭଳି ପ୍ରକଳ୍ପ ଜରିଆରେ ଓଡ଼ିଶାକୁ ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ (ମାଇସ୍‌) ସ୍ଥଳରେ ପରିଣତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

Advertisment

କମ୍ପାନି ପକ୍ଷରୁ ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ମଧ୍ୟ ରାଜ୍ୟରେ ହେବାକୁ ଥିବା ନିବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। କାମତ୍‌ ହୋଟେଲ୍‌ସର ଓଡ଼ିଶାରେ ଭୁବନେଶ୍ବର, କୋଣାର୍କ ଆଦି ସ୍ଥାନରେ ହୋଟେଲ୍‌ ରହିଛି। ସର୍ବଭାରତୀୟ ସ୍ତରରେ କମ୍ପାନିର ଅର୍କିଡ୍‌, ଇରା ଓ ଲୋଟସ୍ ଭଳି ବ୍ରାଣ୍ଡ୍‌ ନାମରେ ହୋଟେଲ୍‌, ରେସ୍ତୋରାଁ ଓ ରିସୋର୍ଟ ଆଦି ରହିଛି। ସାରା ଦେଶରେ କମ୍ପାନିର ଏବେ ୩୨ଟି ପ୍ରପର୍ଟି ରହିଛି। ସେଗୁଡ଼ିକରେ ୨୮୦୦ ପାଖାପାଖି କୋଠରି ରହିଛି। ଆସନ୍ତା ବର୍ଷ ସୁଦ୍ଧା କମ୍ପାନି ଏହାର କୋଠରି ସଂଖ୍ୟାକୁ ୩୫୦୦କୁ ବୃ୍ଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ କାମତ୍ ସୂଚନା ଦେଇଛନ୍ତି।

ଆତିଥେୟତା ଶିଳ୍ପ ଉପରେ ଏଆଇର ପ୍ରଭାବ ସମ୍ପର୍କରେ ଆଲୋଚନା କରି ଶ୍ରୀ କାମତ୍‌ କହିଥିଲେ ଯେ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ, ଲୋକଙ୍କ ଦୈନନ୍ଦୀନ ଜୀବନରେ ଏଆଇର ପ୍ରଭାବ ରହିଛି। ତାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏହା ଖର୍ଚ୍ଚ କମ୍ କରିବା, ଦକ୍ଷତା ବଢ଼ାଇବା ଓ ସମୟ ପରିଚାଳନା କରିବାରେ ସହାୟକ ହୋଇପାରିଛି। ଏକ ସଂସ୍ଥାରେ ଆକାଉଣ୍ଟିଂଠାରୁ ଆରମ୍ଭ କରି ଫାଇନାନ୍ସ, ବିକ୍ରି, ମାନବ ସମ୍ବଳ ଆଦିରେ ଏଆଇ ପାରଦର୍ଶିତା ଆଣିପାରିବ ବୋଲି ସେ କହିଥିଲେ। ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ରୋକିବା ଲାଗି କାମତ୍‌ ହୋଟେଲ୍‌ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ‌ସେ କହିଥିଲେ ଯେ ଆମେ ସମାଜକୁ ଫେରାଇବା, କମ୍ ବ୍ୟବହାର କରିବା, ରିସାଇକଲ୍‌ କରିବା ଦର୍ଶନ ଉପ‌ରେ ବିଶ୍ବାସ କରୁ। ପରିବେଶ ପ୍ରଭାବକୁ କମ୍ କରିବା ଲାଗି ଆମେ ବ୍ୟାପକ ବୃକ୍ଷରୋପଣ କରୁଛୁ। ଆମ ସଂସ୍ଥାର ୯୫ ପ୍ରତିଶତ ଯାନ ହେଉଛି ଇଲେକ୍ଟ୍ରିକ୍ ଯାନ (ଇଭି)। ତିନି ମାସ ମଧ୍ୟରେ ତାହାକୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।