ଭୁବନେଶ୍ବର: ସ୍ବାୟତ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ହେବାକୁ ଯାଉଛି ପରାୟତ୍ତ। ରହିବନି ନିଜସ୍ବ ଇଚ୍ଛା ଅନୁସାରେ ଖର୍ଚ୍ଚ ଅଧିକାର। ପୂର୍ବ ଭଳି ସରକାରଙ୍କ ପକ୍ଷରୁ ଆଉ ମିଳିବନି ମୋଟା ଅଙ୍କର ଅନୁଦାନ। ପୂର୍ବରୁ ମିଳୁଥିବା କୋଟିଏ ଟଙ୍କାର ୱାର୍ଡ ବଜେଟ୍ ବି ଆଉ ମିଳିବନି। ବିଏମ୍ସି ପ୍ରକଳ୍ପର ତାଲିକା ଦେବା ପରେ ସରକାର ଏହାର ଅନୁଧ୍ୟାନ କରି ଉଭୟ ପ୍ରକଳ୍ପ ତାଲିକା ଓ ଅନୁଦାନ ମଞ୍ଜୁର କରିବେ। ସେହି ଅନୁସାରେ ବିଏମ୍ସି ପ୍ରକଳ୍ପ ବାବଦ ଖର୍ଚ୍ଚ କରିବ। ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷଠାରୁ ନଗର ଉନ୍ନୟନ ବିଭାଗର ଏଭଳି ନିର୍ଦ୍ଦେଶନାମା କର୍ପୋରେଟର୍ଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ଏଭଳି ବ୍ୟବସ୍ଥାକୁ କର୍ପୋରେଟର୍ମାନେ ବିରୋଧ କରିଛନ୍ତି। ହୀନ ରାଜନୀତିର ଏହା ପ୍ରତିଫଳନ ବୋଲି ଅଭିଯୋଗ କରିଛନ୍ତି।
ସେପଟେ ବିଏମ୍ସି ବିଜେଡି ଦଖଲରେ ଥିବାବେଳେ ରାଜ୍ୟରେ ବିଜେପି ସରକାର। ଏଣୁ ସରକାରୀ ଅନୁଦାନ ମିଳିବାରେ ସରକାର ଟାଳୁଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯେଉଁଥିପାଇଁ ବର୍ଷେ ହେଲାଣି ବିଏମ୍ସିରେ ଆର୍ଥିକ ଅଚଳାବସ୍ଥା ଦେଖାଦେଇଛି ଓ ରାଜଧାନୀର ବିକାଶ ମନ୍ଥର ପଡ଼ିଯାଇଛି। ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ ବିଏମ୍ସିକୁ ଅନୁଦାନ ମିଳୁ ନଥିବାରୁ ବିକାଶ କାମ ଆଗେଇ ପାରୁନି। ବିଜେପି-ବିଜେଡିର ଏହି ରାଜନୀତି ଭିତରେ ରାଜଧାନୀବାସୀ ପେଷି ହେଉଛନ୍ତି।
ଇଚ୍ଛା ଅନୁସାର କରିପାରିବେନି ଖର୍ଚ୍ଚ
ମିଳିବନି କୋଟିଏ ଟଙ୍କାର ୱାର୍ଡ ବଜେଟ୍
ବିଏମ୍ସି ତାଲିକା ଦେବ, ମଞ୍ଜୁର ସରକାର କରିବେ
ବିଏମ୍ସିର ବାର୍ଷିକ ବଜେଟ୍ ପ୍ରାୟ ୧୫୦୦ କୋଟି ଟଙ୍କା। ୨୦୨୪-୨୫ ଆର୍ଥିକ ବର୍ଷରେ ବିଏମ୍ସି ବଜେଟ୍ ପ୍ରାୟ ୧୫୧୪ କୋଟି ଟଙ୍କା ଥିଲା। ଯେଉଁଥିରେ ବିଏମ୍ସିର ରାଜସ୍ବ ଆୟ ପ୍ରାୟ ୫୮୧ କୋଟି ଟଙ୍କା ସହ ପୂର୍ବବର୍ଷର ପ୍ରାୟ ୬୬୭ କୋଟି ଟଙ୍କାର ବଳକା ବଜେଟ୍ ଥିଲା। ରାଜ୍ୟ ସରକାର ପ୍ରାୟ ୩୦୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ଅନୁଦାନରୁ କେଉଁ ୱାର୍ଡରେ କେଉଁ ପ୍ରକଳ୍ପ ବାବଦ କେତେ ଖର୍ଚ୍ଚ ହେବ, ତାହା ବିଏମ୍ସି ସ୍ଥିର କରିଥିଲା। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଏମ୍ସି ୯୫୮.୭୮ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ଗତବର୍ଷର ବଳକା ବଜେଟ୍ ୧୪୭.୧୩ କୋଟି ଓ ୫୬୨.୭୮ କୋଟି ଟଙ୍କା ରାଜସ୍ବ ଆୟ ଥିଲା। ବାକି ବଜେଟ୍କୁ ସରକାରୀ ଅନୁଦାନ ହିସାବରେ ନିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ପ୍ରଥମେ ପ୍ରକଳ୍ପ ତାଲିକା ଦେବାକୁ କହିଥିଲେ। ସେହି ଅନୁସାରେ ବିଏମ୍ସି ପ୍ରକଳ୍ପର ଏକ ତାଲିକା ଦେଇଥିଲା। ତାଲିକାକୁ ତର୍ଜମା ପରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ କେଉଁ ପ୍ରକଳ୍ପ ବାବଦକୁ କେତେ ଅନୁଦାନ ମିଳିବ, ତାହା ସରକାର ନିଷ୍ପତ୍ତି ନେଇ ଅନୁଦାନ ମଞ୍ଜୁର କରିଛନ୍ତି।
୪୪ ନମ୍ବର ୱାର୍ଡ କର୍ପୋରେଟର୍ ଅଜିତ କୁମାର ବେହେରା କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିଏମ୍ସିକୁ ଅନୁଦାନ ଦେଉଥିଲେ।
ପାର୍କ ଓ ଅନ୍ୟାନ୍ୟ କାମ ପାଇଁ ଅମୃତ ଯୋଜନା, ପରିମଳ ପାଇଁ ସ୍ବଚ୍ଛ ଭାରତ ମିସନ୍ ଯୋଜନା ସହ ଡ୍ରେନେଜ୍ ନିର୍ମାଣ ଓ ପୁନରୁଦ୍ଧାର ଆଦି ପାଇଁ ବିଭିନ୍ନ ଯୋଜନାରେ ଅନୁଦାନ ମଞ୍ଜୁର କରୁଥିଲେ। କିନ୍ତୁ କେଉଁ ପ୍ରକଳ୍ପ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ, ତାହା ବିଏମ୍ସି ଚୂଡ଼ାନ୍ତ କରୁଥିଲା। ପ୍ରତି ୱାର୍ଡକୁ ବି ବିଏମ୍ସି କୋଟିଏ ଟଙ୍କାର ୱାର୍ଡ ବଜେଟ୍ ଦେଉଥିଲା। ଏହି ଟଙ୍କା କର୍ପୋରେଟର୍ମାନେ ନିଜ ୱାର୍ଡର ଆବଶ୍ୟକତା ଅନୁସାରେ ବିକାଶରେ ଖର୍ଚ୍ଚ କରୁଥିଲେ। କିନ୍ତୁ ଏବେର ବ୍ୟବସ୍ଥା ଅନୁସାରେ ଆମେମାନେ ବିଏମ୍ସି କମିସନର୍ଙ୍କୁ ୱାର୍ଡରେ କ’ଣ କ’ଣ ସବୁ ବିକାଶ ହେବ, ତାଲିକା ଦେବୁ। କମିସନର୍ ତାକୁ ନଗର ଉନ୍ନୟନ ବିଭାଗକୁ ପଠାଇବେ। ସରକାର ଏହା ଦେଖିବା ପରେ କେଉଁ ପ୍ରକଳ୍ପକୁ ମଞ୍ଜୁର କରିବେ ଓ କରିବେନି, ସ୍ଥିର କରିବେ। ସବୁ ଅନୁଦାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ। ବିଏମ୍ସି ଏକ ସ୍ବାୟତ୍ତ ସଂସ୍ଥା। କିନ୍ତୁ ଏଭଳି ବ୍ୟବସ୍ଥା ବିଏମ୍ସିର ସ୍ବୟଂଶାସନ ବ୍ୟବସ୍ଥା ଛଡ଼ାଇନେବ। କିନ୍ତୁ ମେୟର ସୁଲୋଚନା ଦାସ ଏ ସଂପର୍କରେ ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲିନାହାନ୍ତି। ବିଏମ୍ସିରେ ଯେଉଁ ଆର୍ଥିକ ଅଚଳାବସ୍ଥା ରହିଥିଲା, ତାହା ଦୂର ହେବାକୁ ଯାଉଛି। ଆମେ ଯେଉଁ ଆକ୍ସନ୍ ପ୍ଲାନ୍ ପଠାଇଥିଲୁ, ସରକାର ତାକୁ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/05/fshfhhfhf-2025-11-05-10-01-21.jpg)