ଭୁବନେଶ୍ବର: ଦିନ କେଇଟା ପରେ ୨୦୧୮ ବିଦାୟ ନେବାକୁ ଥିବା ବେଳେ ଚଳିତ ବର୍ଷ ଖବରରେ ଚର୍ଚ୍ଚାକୁ ଆସିଥିବା ଚର୍ଚ୍ଚିତ ଚେହେରାଙ୍କୁ ନେଇ ‘କନକ୍ ନ୍ୟୁଜ୍’ ଓ ‘ସମ୍ବାଦ ପରିବାର’ ପକ୍ଷରୁ ଆୟୋଜିତ ହୋଇଥିଲା ‘ନ୍ୟୁଜ୍ ମେକର ୨୦୧୮’। ହୋଟେଲ୍ ନିଉ ମାରିଅନ୍ରେ ଅନୁଷ୍ଠିତ ଏହି ବିଶେଷ କାର୍ଯ୍ୟକ୍ରମରେ ନେତା, ଅଭିନେତା, କ୍ରୀଡ଼ା, ସାମାଜିକ କର୍ମୀ ବର୍ଗରେ ବର୍ଷ ସାରା ଚର୍ଚିତ ଚେହେରା ପାଲଟିଥିବା ବ୍ୟକ୍ତିବିଶେଷଙ୍କୁ ବିଚାରକମାନଙ୍କ ଦ୍ବାରା ଚୟନ କରାଯାଇଥିଲା। ପରେ ସୋସିଆଲ୍ ମିଡିଆରେ ଏ ବାବଦରେ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ନିଜ ପସନ୍ଦର ନ୍ୟୁଜ୍ ମେକର ବାଛିଥିଲେ।
ରାଜନୀତି କ୍ଷେତ୍ରରେ ବରିଷ୍ଠ ନେତା ବିଜୟ ମହାପାତ୍ର ‘ପଲିଟିକ୍ସ ନ୍ୟୁଜ୍ ମେକର’ ହୋଇଥିଲେ। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଡ.ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ନିରଂଜନ ପଟ୍ଟନାୟକ ଏବଂ ଖାରବେଳ ସ୍ବାଇଁ। ସୁନ୍ଦରଗଡ଼ର ଜୟନ୍ତୀ ଏକ୍କା ‘ସୋସିଆଲ୍ ନ୍ୟୁଜ୍ ମେକର’ ହୋଇଥିଲେ। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଦୈତାରୀ ନାୟକ ଓ ପ୍ରକାଶ ରାଓ। କ୍ରୀଡ଼ା କ୍ଷେତ୍ରରେ ସ୍ପୋର୍ଟ୍ସ ନ୍ୟୁଜ୍ ମେକର ହୋଇଥିଲେ ଦୌଡ଼ରାଣୀ ଦୂତି ଚାନ୍ଦ। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ହକି ତାରକା ଅମିତ ରୋହିଦାସ ଏବଂ ଚେସ୍ ତାରକା ପଦ୍ମିନୀ ରାଉତ। ମନୋରଂଜନ କ୍ଷେତ୍ରରେ ଅଭିନେତା ପପୁ ପମ୍ପମ୍ ହୋଇଥିଲେ ‘ଏଣ୍ଟରଟେନ୍ମେଣ୍ଟ୍ ନ୍ୟୁଜ୍ ମେକର’। ତାଲିକାରେ ଅସୀମା ପଣ୍ଡା, ସୋନା ମହାପାତ୍ର ଓ ମଣ୍ଟୁ ଛୁରିଆ ରହିଥିବା ବେଳେ ପପୁଙ୍କୁ ଦର୍ଶକ ସର୍ବାଧିକ ଭୋଟ୍ ଦେଇଥିଲେ। ସମସ୍ତଙ୍କୁ କନକ ନ୍ୟୁଜ୍ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।