କନକ ନ୍ୟୁଜ୍‌ର ‘ନ୍ୟୁଜମେକର ୨୦୧୯’: ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ପ୍ରତିଭା ସମ୍ମାନିତ

ଭୁବନେଶ୍ବର: ଚଳିତବର୍ଷ ଖବରର ଶିରୋନାମା ପାଲଟିଥିବା ବ୍ୟକ୍ତିବି‌ଶେଷଙ୍କୁ କନକ ନ୍ୟୁଜ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ହୋଟେଲ ନ୍ୟୁ ମାରିୟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମାଜିକ ସ୍ତରରେ ଉଲ୍ଲେଖନୀୟ ଅବଦାନ ଥିବା ୧୨ଜଣ ବ୍ୟକ୍ତିଙ୍କୁ ନ୍ୟୁଜ୍‌ମେକର-୨୦୧୯ ଭାବେ ସମ୍ମାନିତ କରାଯାଇଛି। ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି, ପିଲାଙ୍କୁ ପାଠ ପଢାଇବା ପାଇଁ ପ୍ରତିଦିନ ନଦୀ ପାର ହୋଇ ସ୍କୁଲକୁ ଯାଉଥିବା ଢେଙ୍କାନାଳର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ, ନୃତ୍ୟ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଥିବା କୋରାପୁଟର ପ୍ରଫୁଲ୍ଲ ତ୍ରିପାଠୀ। ସେହିପରି ସୁଦୂର ସୁରଟରେ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରିଥିବା ସୁରଜ ସେଠୀଙ୍କ ବାପା ମା’ଙ୍କୁ ସମ୍ମାନିତ କରାଯାଇଛି। ନାରୀ ସଶକ୍ତୀକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଓ ନାରୀ ସଶକ୍ତୀକରଣର ଉଦାହରଣ ସାଜିଥିବା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଏହି ଅବସରରେ ନ୍ୟୁଜମେକର-୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଛି।

ସଂସ୍କୃତ ବିଶାରଦ ତଥା ଯୋଗଗୁରୁ ରଫିକ୍‌ ଖାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିବା ବେଳେ ସଂଗୀତ କ୍ଷେତ୍ରରେ ଅବଦାନ ପାଇଁ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ସଂଗ୍ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କର ଏବଂ କାର୍ଟୁନ ଷ୍ଟାର ନଟିଆ ଓରଫ ସ୍ମୃତିରଂଜନ ମହାନ୍ତିଙ୍କ ଚିତ୍ତ‌ାକର୍ଷକ କମେଡି ସମସ୍ତଙ୍କୁ ହସର ଖୋରାକ ଯୋଗାଇ ଥିଲା। ଏଥିସହିତ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, କନକ ନ୍ୟୁଜ୍‌ର ବରିଷ୍ଠ ପଦାଧିକାରୀ ରତିକାନ୍ତ ଶତପଥୀ, ଭାରତ ମସଲାର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଉପସ୍ଥିତ ରହି ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନ୍ୟୁଜମେକର-୨୦୧୯ ସମ୍ମାନରେ ସମ୍ମାନିତ କରିଥିଲେ। ‘କେମିତି ଥିଲା ୨୦୧୯’, ଏନେଇ ଏକ ବିତର୍କ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ବିଜେପି ନେତା ସୁରଥ ବିଶ୍ୱାଳ ଏବଂ କଂଗ୍ରେସ ନେତା ଉମାବଲ୍ଲଭ ରଥ ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍‌ର ଏଡିଟର ମନୋରଂଜନ ମିଶ୍ର। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ସାଜିଥିଲା ଖୋର୍ଧାର ପାଇକ ନୃତ୍ୟ। ସମସ୍ତ କାର୍ଯ୍ୟକ୍ରମକୁ କନକ ନ୍ୟୁଜ କରେଣ୍ଟ ଆଫାୟାର୍ସ ଏଡିଟର ସ୍ମୃତିରଂଜନ ବେହେରା ପରିଚାଳନା କରିଥିବା ବେଳେ ଅଭିନ୍ନ ଆଶୁତୋଷ ଶତପଥୀ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର