ରାଜଧାନୀରେ କଙ୍ଗାରୁ କୋର୍ଟ, ନିଶାଡ଼ିକୁ ସାବାଡ୍‌ କରିବାକୁ ଯାଇ ୫ ଗିରଫ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ଥାନା‌ ଧିରିକୁଟି ବସ୍ତିରେ ଖଣ୍ଡା ‌ଓ କଟୁରି ଧରି ବହୁ ସମୟରେ ଉତ୍ପାତ କରୁଥିବା ଜଣେ ନିଶାଡ଼ିକୁ ସାବାଡ୍‌ କରିବାକୁ ଯାଇ କଙ୍ଗାରୁ କୋର୍ଟ କରିବା ବସ୍ତିର ୫ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉକ୍ତ ଅସାମାଜିକ ଯୁବକକୁ ବାନ୍ଧି କାଠଫାଳିଆ ଓ ବାଉଁଶଠେଙ୍ଗାରେ ପିଟିବା ସାଙ୍ଗକୁ ଏହାର ଭିଡିଓ କରି ଭାଇରାଲ୍ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ବସ୍ତିର ଆକାଶ ବେହେରା, ପ୍ରକାଶ କୁମାର ବେହେରା, ମାୟାଧର ନାୟକ, ବଜିନାଥ ମୁର୍ମୁ ଓ ହିମାଂଶୁ ବେହେରା।

କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକ ହେଲେ ସଂଗ୍ରାମ ଜେନା। ଘଟଣା ଘଟିବାର ୬ ଦିନ ପରେ ଭାଇରାଲ୍‌ ଭିଡିଓରୁ କଥା ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଘଟଣା ଅନୁଯାୟୀ ସଂଗ୍ରାମ ଜେନା ବହୁ ସମୟରେ ନିଶାସକ୍ତ ଅବସ୍ଥାରେ ବସ୍ତିରେ ଗାଳି ଗୁଲଜ କରିବା ସହ ଖଣ୍ଡା ଓ କଟୁରି ଧରି ଉତ୍ପାତ କରୁଥିଲା। ବସ୍ତିର ମୁରବିମାନେ ଏନେଇ ବାରମ୍ବାର ସଭା କରି ସଂଗ୍ରାମକୁ ତାଗିଦ୍ କରିଥିଲେ ବି ସେ କାହାକୁ ମାନୁନଥିଲା। ତେଣୁ ସଂଗ୍ରାମକୁ ପାନେ ଦେବା ପାଇଁ ଉପରୋକ୍ତ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଗତ ୬ ତାରିଖ ଦିନ ସେମାନେ ମିଳିତଭାବେ ତାକୁ କାବୁ କରି ନିକଟସ୍ଥ ସ୍କୁଲ୍‌ ଗେଟ୍‌ରେ ବାନ୍ଧି ଦେଇଥିଲେ। ତା’ ହାତ ଗୋଡ଼ ବାନ୍ଧି କାଠଫାଳିଆ, ବାଉଁଶ ଠେଙ୍ଗାରେ ନିର୍ଘାତ୍ ପିଟିଥିଲେ। ଏହି ମାଡ଼ ମରା ଓ ସଂଗ୍ରାମ ବିକଳ ହେଉଥିବା ଦୃଶ୍ୟକୁ ସେମାନେ ମୋବାଇଲ୍‌ରେ ସୁଟିଂ କରିଥିଲେ ଓ ପରେ ଏହି ଭିଡିଓକୁ ଭାଇରାଲ୍ କରିଦେଇଥିଲେ। ଏନେଇ ସଂଗ୍ରାମର ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର