କସ୍‌ମୋପଲିସ୍‌ରେ କଙ୍ଗାରୁ କୋର୍ଟ ମାମଲା: ‘ବିଜୁଳି, ପାଣି ବାସନ୍ଦ ଏକ ବଡ଼ ଅପରାଧ’

ମାନବାଧିକାର କମିସନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୁବନେଶ୍ୱର: ପ୍ଲଟ କିଣି ଆପାର୍ଟମେଣ୍ଟରେ ରହୁଥିବା ବାସିନ୍ଦାମାନଙ୍କୁ ପାଣି, ବିଜୁଳି ସେବା ବନ୍ଦ କରିବା ଏକ ଅମାନବୀୟ କାମ ଓ ବଡ଼ ଅପରାଧ। ଧାର୍ଯ୍ୟ ଦେୟ ସହ ମେଣ୍ଟେନାନ୍‌ସ ଚାର୍ଜ ପ୍ରଦାନ କରୁଥିବା ବାସିନ୍ଦାଙ୍କୁ କୌଣସି ପ୍ରକାରର ମୌଳିକ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ରାଜଧାନୀର(ଖଣ୍ଡଗିରି) କସ୍‌ମୋପଲିସ୍‌ ଆପାର୍ଟମେଣ୍ଟରେ ହୋଇଥିବା ଏକ କଙ୍ଗାରୁ କୋର୍ଟ ମାମଲାର ଶୁଣାଣି କରି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ରାଜ୍ୟ ମାନବାଧିକାର କମିସନ। ଆପାର୍ଟମେଣ୍ଟରେ ରହୁଥିବା କେତେକ ବାସିନ୍ଦାଙ୍କୁ ପାଣି ଓ ବିଜୁଳି ବାସନ୍ଦ ପ୍ରସଙ୍ଗକୁ କମିସନ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଏହି ମାମଲାକୁ ଉଦାହରଣ ଭାବରେ ନେଇ ରାଜ୍ୟରେ ଥିବା ସମସ୍ତ ଆପାର୍ଟମେଣ୍ଟ ପାଇଁ ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ସରକାରଙ୍କୁ ସୁପାରିଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ଏଭଳି ହୀନ କାର୍ଯ୍ୟପାଇଁ କସ୍‌ମୋପଲିସ୍‌ର ୱେଲ୍‌ଫେୟାର କମିଟିଠାରୁ ମୋଟା ଅଙ୍କର କ୍ଷତିପୂରଣ(ଜରିମାନା) ଆଦାୟ କରାଯାଇ ପାରିଥାନ୍ତା। କିନ୍ତୁ ୱେଲ୍‌ଫେୟାର୍‌ କମିଟି ଜଣେ ପୂର୍ବତନ ଡିଜିଙ୍କ ନେତୃତ୍ବରେ ପରିଚାଳିତ ହେଉଥିବାରୁ ସେମାନେ ଆଗକୁ ଦାୟିତ୍ବବାନ ହୋଇ ସମସ୍ତ ଅନ୍ତେବାସୀଙ୍କୁ ସମାନ ଦୃଷ୍ଟିରେ ଦେଖିବେ ବୋଲି କମିସନର ଆଶା ରଖି କମିଟିକୁ ଜରିମାନାରୁ ମୁକ୍ତ ରଖିଛନ୍ତି।

କମିସନଙ୍କ ନିର୍ଦ୍ଦେଶ ମୁତାବକ, କସ୍‌ମୋପଲିସ୍‌ ଆପାର୍ଟମେଣ୍ଟରେ ରହୁଥିବା ଯେଉଁ ବାସିନ୍ଦାମାନେ ଧାର୍ଯ୍ୟ ଦେୟ ସହ ମେଣ୍ଟେନାନ୍ସ ଚାର୍ଜ ପ୍ରଦାନ କରୁଛନ୍ତି, ସେମାନଙ୍କୁ କୌଣସି ପ୍ରକାରର ମୌଳିକ ସେବାରୁ ବଞ୍ଚିତ କରାଯାଇ ପାରିବ ନାହିଁ। କସ୍‌ମୋପଲିସ କ୍ଷେତ୍ରରେ ଆବେଦନକାରୀମାନେ ଯେହେତୁ ପାର୍କିଂ ସ୍ଥଳକୁ ଆଇନତଃ କିଣିଛନ୍ତି, ସେମାନେ ଏହାକୁ ବ୍ୟବହାର କରିବେ। କଙ୍ଗାରୁ କୋର୍ଟ ପ୍ରସଙ୍ଗରେ ହୋଇଥିବା ଆବେଦନର ବିଚାର କଲାବେ‌ଳେ ଆବେଦନକାରୀଙ୍କ ଜୀବନ ପ୍ରତି ବିପଦ ଥିବା କମିସନ ଅନୁଭବ କରିଛନ୍ତି। ଏଣୁ କୌଣସି ପରିସ୍ଥିତି‌ରେ କସ୍‌ମୋପଲିସ୍‌ରେ ସୁରକ୍ଷା ବ୍ୟବସ୍ଥା ହୁଗୁଳା କରା ଯାଇପାରିବ ନାହିଁ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି। ହୁଗୁଳା ସୁରକ୍ଷା ବ୍ୟବସ୍ଥା ପାଇଁ ଆବେଦନକାରୀ କ୍ଷତିଗ୍ରସ୍ତ ହେଲେ କସ୍‌ମୋପଲିସ୍‌ ରେସିଡେଣ୍ଟ୍‌ସ୍‌ ୱେଲ୍‌ଫେୟାର ଆସୋସିଏସନ(ସିଆରଡବ୍ଲୁଏ) ସଦସ୍ୟ ଦାୟୀ ରହିବେ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ତେଣୁ ଜଣେ ଏସିପି ପାହ୍ୟାର ପୁଲିସ ଅଧିକାରୀ ସିଆରଡବ୍ଲୁଏ ସଦସ୍ୟଙ୍କର କାରବାର ଉପ‌ରେ ନଜର ରଖିବେ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି। କମିଟି ବୈଠକ ଅନୁଷ୍ଠିତ ହେବାର ୧୦ ଦିନ ପୂର୍ବରୁ ସିଆରଡବ୍ଲୁଏ କମିସନରେଟ୍‌ ପୁଲିସକୁ ଜଣାଇବାକୁ ବାଧ୍ୟ ବୋଲି କମିସନ କହିଛନ୍ତି। ଏଭଳି ବୈଠକରେ ଜଣେ ଏସିପି କିମ୍ବା ସ୍ଥାନୀୟ ଥାନାର ଆଇଆଇସି ଉପସ୍ଥିତ ରହିବେ। ଗୋଟିଏ ବର୍ଷ ପାଇଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି। ଏହି ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ଓ ଗୃହ ବିଭାଗକୁ ସୁପାରିସ କରାଯାଇଛି। ବିଭିନ୍ନ ଆପାର୍ଟମେଣ୍ଟରେ ଏଭଳି ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏଣୁ ସମସ୍ତ ଆପାର୍ଟମେଣ୍ଟରେ ଥିବା କମିଟି ଏହାକୁ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେବାକୁ କମିସନ ସୁପାରିଶ କରିଛନ୍ତି।

ସୂଚନାନୁସାରେ ଡୁମୁଡୁମା ଅଞ୍ଚଳର କସ୍‌ମୋପଲିସ୍‌ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିବା ତିନିଜଣ ବରିଷ୍ଠ ନାଗରିକ ଅରୁଣ ମହାନ୍ତି, ଡା. ଆଭାମୟୀ ଦେବୀ ଓ ସିଦ୍ଧାର୍ଥ ସାହୁଙ୍କୁ ପାର୍କିଂ ଜାଗାରେ ଗାଡ଼ି ପାର୍କ କରିବାକୁ ୱେଲ୍‌ଫେୟାର୍ କମିଟି ଦେଇନଥିଲା। ‘ପାର୍କିଂ’ ସୂଚନା ଫଳକକୁ କସ୍‌ମୋପଲିସ୍‌ ରେସିଡେଣ୍ଟ୍‌ସ୍‌ ୱେଲ୍‌ଫେୟାର ଆସୋସିଏସନ ମୁଖ୍ୟ ସୁରକ୍ଷାକର୍ମୀଙ୍କ ଜରିଆରେ ଉପାଡ଼ି ଫିଙ୍ଗି ଦେଇଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। କିନ୍ତୁ ବିବାଦର ସମାଧାନ ହେବା ପରିବର୍ତ୍ତେ ଗତ ବର୍ଷ ଡିସେମ୍ବର ମାସରେ ସିଆରଡବ୍ଲୁଏ ଆବେଦନକାରୀଙ୍କୁ ପାଲଟା ନୋଟିସ୍‌ କରିଥିଲା। ୧୦ ଦିନ ଭିତରେ ନୋଟିସ୍‌ର ଉତ୍ତର ନ ମିଳିଲେ ପାଣି, ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବା ସହ ମେଣ୍ଟେନାନ୍ସ କରାଯିବ ନାହିଁ ବୋଲି କମିଟି ଚେତାବନୀ ଦେଇଥିଲା। ତେଣୁ ବାଧ୍ୟ ହୋଇ ଏଭଳି କଙ୍ଗାରୁ କୋର୍ଟ ବିରୋଧରେ ଅଭିଯୋଗକାରୀମାନେ ପ୍ରଥମେ ଥାନା ଓ ପରେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ମାନବାଧିକାର କମିସନ ଏହି ମାମଲାର ବିଚାର କରି ସଂଘର ଏଭଳି ନୋଟିସ୍‌କୁ ଅମାନବୀୟ ବୋଲି ଦର୍ଶାଇଥିଲେ। ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବାରେ ଖଣ୍ଡଗିରି ଥାନା ପୁଲିସ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କମିସନ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର