ମୁଣ୍ଡାସାହିରେ କଙ୍ଗାରୁ କୋର୍ଟ! ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ବସ୍ତିବାସିନ୍ଦାମାନଙ୍କୁ ଅମାନ୍ୟ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କା ଜରିମାନା ହୋଇଥିବାରୁ ସେ ଆଜି ସିଆର୍‌ପି ଛକରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସୌଭାଗ୍ୟକୁ ପୁଲିସ ଠିକଣା ସମୟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ସେ ହେଲେ ମୁଣ୍ଡାସାହିସ୍ଥିତ ନୀଳକଣ୍ଠନଗରର ଚିନୁ ହେମ୍ରମ୍।

ସୂଚନାନୁସାରେ ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ବସ୍ତିର ବାଦଲ ବେହେରା ଚିନୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଚୁଟି ଧରି ରାସ୍ତାରେ ଘୋଷାଡ଼ିଥିଲା। ବସ୍ତିର ବହୁ ଲୋକ ଏହା ଦେଖୁଥିଲେ ମଧ୍ୟ ଚିନୁକୁ ଉଦ୍ଧାର କରିବାକୁ କେହି ଆଗେଇ ଆସିନଥିଲେ। ତେଣୁ ଚିନୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ କେନ୍ଦ୍ର କରି ନୂଆପଲ୍ଲୀ ଥାନା ପୁଲିସ ବାଦଲକୁ ଥାନାକୁ ନେଇ ସିଆର୍‌ପିସି ୪୧ରେ ନୋଟିସ୍ ଦେଇ ଛାଡ଼ି ଦେଇଥିଲା। ତେବେ ଚିନୁ ଆଗ ବସ୍ତିରେ ନ ଜଣାଇ ଥାନାକୁ ଯାଇଥିବାରୁ ବସ୍ତିବାସିନ୍ଦାମାନେ ରାଗି ଯାଇଥିଲେ। ଆଜି ସଭା ଡକାଯାଇଥିଲା। ବସ୍ତିର ନାଁ ବଦନାମ୍ କରିଥିବାରୁ ସେମାନେ ଚିନୁକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ କହିଥିଲେ। ନଚେତ୍ ତାକୁ ବସ୍ତି ଛାଡ଼ିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ତେଣୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପେଟ୍ରୋଲ୍ ବୋତଲ୍ ଧରି ସିଆର୍‌ପି ଛକ ନିକଟରେ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ ବସ୍ତିବାସିନ୍ଦାଙ୍କୁ ଡାକି ତାଗିଦ୍ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର