ଅଭିଯୁକ୍ତଙ୍କୁ ପୁଲିସ କବଳରୁ ଛଡ଼ାଇ ନେବାକୁ ଉଦ୍ୟମ
ଥାନା ଆଗରେ ଉତ୍ତ୍ୟକ୍ତ ମହିଳାଙ୍କ ହୋହଲ୍ଲା
ଭୁବନେଶ୍ବର : ମହିଳା ସଂଗଠନ ନାଁରେ ବସ୍ତିରେ କଙ୍ଗାରୁ କୋର୍ଟ ଚଳାଇଥିବା ମାରୁତିବିହାର ମହିଳା ସଂଘର ୩ଜଣ ମହିଳାଙ୍କୁ ଗିରଫ କରିଛି ନୂଆପଲ୍ଲୀ ପୁଲିସ। ଏମାନେ ହେଲେ କବିତା ଭୂୟାଁ, ଅନିତା ନାୟକ ଓ ସରୋଜିନୀ ସାହୁ। ସାମାନ୍ୟ ପିଲାଖେଳ ଗଣ୍ଡଗୋଳକୁ ବଢ଼ାଇ ଚଢ଼ାଇ ବସ୍ତିର ଜଣେ ମହିଳା ବୈଜୟନ୍ତୀ ସେଠୀ ଓ ତାଙ୍କର ୧୫ ବର୍ଷୀୟ ପୁଅକୁ ୪ଘଣ୍ଟା ପିଣ୍ଡିରେ ଆଣ୍ଠେଇ ନିର୍ଯାତନା ଦେବା ସହିତ ୫୫୫୧ଟଙ୍କା ଜୋରିମାନା ନ ଦେଲେ ବସ୍ତିରୁ ନିଆଁପାଣି ବାସନ୍ଦ କରିବାକୁ ଧମକ ଦେବା ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ମହିଳାଙ୍କ ଗିରଫଦାରୀ ପ୍ରତିବାଦରେ ତାଙ୍କ ସମର୍ଥକମାନେ ଥାନା ଆଗରେ ମଧ୍ୟ ହୋହଲ୍ଲା କରିଛନ୍ତି।
/sambad/media/post_attachments/wp-content/uploads/2021/09/m3-1.jpg)
ଅଭିଯୋଗ ଅନୁସାରେ ଗତ ୧୯ତାରିଖ ବସ୍ତିରେ ଖୁଦୁରୁକୁଣୀ ପୂଜା ଚାଲିଥିବା ବେଳେ ବୈଜୟନ୍ତୀଙ୍କ ପୁଅ ଅଜୁ ଓ ରଂଜନ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଛୋଟ ପିଲାଙ୍କ ଗଣ୍ଡଗୋଳ କହି ପରିବାର ଲୋକେ ଘଟଣାକୁ ସମାଧାନ କରିଥିଲେ ହେଁ କବିତା ଓ ତାଙ୍କ ମହିଳା ସଂଗଠନ ବସ୍ତି ଆରମ୍ଭରେ ଥିବା ହନୁମାନ ମନ୍ଦିର ପିଣ୍ଡିରେ ୨୨ତାରିଖରେ ଏ ନେଇ ଏକ ବୈଠକ ଡକାଇଥିଲେ। କଙ୍ଗାରୁ କୋର୍ଟ ଭଳି ଏହି ବୈଠକରେ ସମାଧାନ କରିବା ପରିବର୍ତ୍ତେ ବୈଜୟନ୍ତୀଙ୍କ ପୁଅର ସବୁ ଦୋଷ ବୋଲି ଏମାନେ ରାୟ ଶୁଣାଇଥିଲେ। ଏପରିକି ବୈଠକ ଶେଷ ହେବା ପର୍ଯ୍ୟନ୍ତ ତାଙ୍କ ପୁଅକୁ ଆଣ୍ଠୁ ତଳେ ଗୋଡ଼ି ଦେଇ ପ୍ରାୟ ୪ଘଣ୍ଟା କାଳ ଆଣ୍ଠେଇ ଦେଇଥିଲେ। କେବଳ ସେତିକି ନୁହେଁ; ଅଜୁ ଦୋଷ କରିଥିବା ଦର୍ଶାଇ ସଂଗଠନ ତା’ ଉପରେ ୫୫୫୧ଟଙ୍କାର ଜରିମାନା ଲଗାଇଥିଲା। ମାତ୍ର ବୈଜୟନ୍ତୀ ଜରିମାନା ଦେବାକୁ ମନା କରିବାରୁ ତାଙ୍କୁ ବସ୍ତିରୁ ନିଆଁପାଣି ବାସନ୍ଦ କରିବାକୁ ସ୍ଥିର ହୋଇଥିଲା। ଏପରିକି ଘରୁ ବିଜୁଳି ଓ ପାଣି କନେକ୍ସନ କାଟି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଓ ତା’ ମା’କୁ ଉଦ୍ଧାର କରି ଥାନାକୁ ଆଣିଥିଲା।
ଏହି ମାମଲାରେ ଗୁରୁବାରର ମହିଳା ସଂଗଠନର କବିତା, ଅନିତା ଓ ସରୋଜିନୀଙ୍କୁ ଗିରଫ କରି ପୁଲିସ କୋର୍ଟ ନେଉଥିବା ବେଳେ ସଂଗଠନର ଅନ୍ୟ ମହିଳାମାନେ ଥାନା ଆଗରେ ଧାରଣା ଦେଇଥିଲେ। ପୁଲିସ ଗାଡ଼ି ଆଗରେ ଛିଡ଼ା ହେବା ସହିତ ଅଭିଯୁକ୍ତଙ୍କୁ ପୁଲିସ କବଳରୁ ଜୋର୍ କରି ଛଡ଼ାଇନେବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ ବୁଝାସୁଝା କରି ଗାଡ଼ି ଆଗରୁ ହଟାଇଥିଲା।
ନିର୍ଯ୍ୟାତିତ ମା’ ପୁଅ୫ବର୍ଷ ହେବ ବସ୍ତିରେ ଚଳାଇଥିଲେ ଆତଙ୍କରାଜ
ଦାଦାବଟି ଆଦାୟଠୁ ଆରମ୍ଭ କରି ବସ୍ତିରେ ନିଶା କାରବାରର ମଙ୍ଗ ଧରିଥିବା ମାରୁତି ବିହାର ମହିଳା ସଂଗଠନର କଳା କାରନାମାର ଫର୍ଦ୍ଦ ବେଶ୍ ଲମ୍ବା। କେତେବେଳେ ସାହି ଲୋକଙ୍କୁ ନିଆଁପାଣି ବାସନ୍ଦର ଧମକ ତ ଆଉ କେତେବେଳେ ଟଙ୍କା ନ ଦେଲେ ଘର ତାଲା ପକାଇବା, ବସ୍ତି ପିଣ୍ଡିରେ ଘଣ୍ଟା ଘଣ୍ଟା ନିର୍ଯାତନା ଦେବା ଭଳି ଆତଙ୍କରାଜ ଚଳାଇଥିଲା ସଂଗଠନ। ପ୍ରାୟ ୫ବର୍ଷ ହେବ ଏହି ସଂଗଠନ ସ୍ଥାନୀୟ ଅଞ୍ଚଳରେ ପ୍ରଥମେ ଟଙ୍କା ନେଣଦେଣ ପାଇଁ ତିଆରି ହୋଇଥିଲା। ଟଙ୍କା ଧାର୍ରେ ଦେବା ପରେ ସୁଧ ଆଣି ସଂଗଠନର ସଦସ୍ୟାମାନେ ବ୍ୟବସାୟ କରୁଥିଲେ। ତେବେ ଧୀରେ ଧୀରେ ସଂଗଠନର ମୂଳଦୁଆ ସୁଦୃଢ଼ ହେବା ପରେ ଛୋଟବଡ଼ ଗଣ୍ଡଗୋଳକୁ ପୁଲିସ ପାଖକୁ ନେବା ପରିବର୍ତ୍ତେ ସାହି ଛକରେ ଥିବା ହନୁମାନ ମନ୍ଦିର ପିଣ୍ଡିରେ ସମାଧାନ କରାଯାଉଥିଲା। ସଂଗଠନର ମୁଖିଆ କବିତା ଭୂୟାଁଙ୍କ ଇଙ୍ଗିତରେ କଙ୍ଗାରୁ କୋର୍ଟ ବସାଯାଇ ବିଚାର କରାଯାଉଥିଲା ଏବଂ ମନଇଚ୍ଛା ରାୟ ଶୁଣାଉଥିଲା ସଂଗଠନ। ସଙ୍ଗେ ସଙ୍ଗେ ଦୋଷୀକୁ ଜରିମାନା ଦେବାକୁ ବାଧ୍ୟ କରାଯାଉଥିଲା। ଏମାନଙ୍କ ଇଙ୍ଗିତରେ ସଙ୍ଗଠନର ୧୦ରୁ ଅଧିକ ମହିଳା ବସ୍ତି ଭିତରେ ଆତଙ୍କରାଜ ଚଳାଇଥିଲେ।
/sambad/media/post_attachments/wp-content/uploads/2021/09/m2-1.jpg)
ନିଶା ବେପାରର ମଙ୍ଗ ଧରିଥିଲା ସଂଗଠନ
ବିଭିନ୍ନ ଗଣ୍ଡଗୋଳ, ଟଙ୍କା କାରବାରକୁ କଙ୍ଗାରୁ କୋର୍ଟ କରି ସମାଧାନ କରୁଥିବା ଏହି ସଂଗଠନର ଆଉ ଏକ ଅନ୍ଧାରି ଦିଗ ସାମ୍ନାକୁ ଆସିଛି। ବସ୍ତିରେ ବ୍ରାଉନସୁଗାର, ଗଂଜେଇ, ଦେଶୀ ମଦ ଭଳି ନିଶା କାରବାରର ମଧ୍ୟ ମଙ୍ଗ ଧରିଥିଲା ଏହି ସଙ୍ଗଠନ। ନିଶା ବେପାରୀଙ୍କୁ ଏହି ଗୋଷ୍ଠୀ ସହଯୋଗ କରୁଥିଲେ। ଫଳରେ ବସ୍ତି ନିଶାମୁକ୍ତ ହେବା ବଦଳରେ ଘରେ ଘରେ ବେଧଡ଼କ ନିଶା କାରବାର ହେଉଥିଲା। ଯେହେତୁ ସଂଗଠନ ସବୁ କ୍ଷେତ୍ରରେ ଏମାନଙ୍କୁ ସହଯୋଗ କରୁଥିଲେ, ଏଥିପାଇଁ ମାସ ଶେଷକୁ ମୋଟା ଅଙ୍କର ବଟି ମଧ୍ୟ ନେଉଥିଲା। କେହି ଅଭିଯୋଗ କଲେ ସାହିର ସବୁ ଲୋକଙ୍କ ଆଗରେ ନିସ୍ତୁକ ମାଡ଼ ସାଙ୍ଗକୁ ଅପମାନ ଦିଆଯାଉଥିଲା।
ସଂଗଠନକୁ ସହଯୋଗ କରୁଥିଲେ ପୁଲିସ କର୍ମଚାରୀ!
ବସ୍ତିରେ କଙ୍ଗାରୁ କୋର୍ଟ ଚଳାଇଥିବା ଏହି ମହିଳା ସଂଗଠନକୁ ନୂଆପଲ୍ଲୀ ଥାନାର ଜଣେ ପୁଲିସ କର୍ମଚାରୀ ମଧ୍ୟ ସହଯୋଗ କରୁଥିଲେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଫଳରେ ନିର୍ଯାତନାର ଶିକାର ହେଉଥିବା ପରିବାର ଭୟରେ ପୁଲିସ ପାଖରେ ଅଭିଯୋଗ କରୁନଥିଲେ। ତେବେ ଏନେଇ ଥାନାଧିକାରୀ ଶରତ ସାହୁ କହିଛନ୍ତି, ମହିଳା ସଂଗଠନକୁ ସହଯୋଗ କରୁଥିବା ଉକ୍ତ କର୍ମଚାରୀର ଲିଙ୍କ୍ ଖୋଜା ଚାଲିଛି। ପ୍ରମାଣ ମିଳିଲେ ଖୁବ୍ ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ। ଏହି ସଂଗଠନର ମହିଳାମାନେ ଯାହାକୁ ବି କଙ୍ଗାରୁ କୋର୍ଟରେ ନିର୍ଯାତନା ଦେଇଛନ୍ତି, ଥାନାରେ ଅଭିଯୋଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/m9.jpg)