ରାଜଧାନୀରେ କଙ୍ଗାରୁ କୋର୍ଟ! ଶୁଣିଲାନି ପୁଲିସ, ସିପିଙ୍କୁ ଭେଟିଲେ ପୀଡ଼ିତା
ଲାଇନ୍, ପାଣି ବନ୍ଦ କରିଦେଲେ, ଘରୁ ତଡ଼ିଦେଲେ
ଭୁବନେଶ୍ୱର: ଆଗ ଘରୁ ଲାଇନ୍ କାଟିଦେଲେ। ପରେ ପାଣି ବନ୍ଦ କରିଦେଲେ। ସ୍ବାମୀଙ୍କୁ ନେଇ କଙ୍ଗାରୁ କୋର୍ଟରେ ବସାଇଲେ। ଗାଳିଗୁଲଜ କଲେ। ଆମ କଥା ନ ମାନିଲେ ଏଠୁ ବିଦା ହୁଅ କହି ଘରୁ ତଡ଼ିଦେଲେ। ଏଭଳି ଅଭିଯୋଗ ନେଇ ମହିଳାଜଣକ ଦୁଇଥର ଚନ୍ଦ୍ରଶେଖରପୁର ଥାନାକୁ ଗଲେ। କିନ୍ତୁ ଅଭିଯୋଗ ଶୁଣିବା ବଦଳରେ ଅଭିଯୁକ୍ତଙ୍କ ଭଳି ତାଙ୍କୁ ଥାନାରେ ୭ ଘଣ୍ଟା ବସାଗଲା। ଦୁଇଥର ସ୍ଥାନୀୟ ଏସିପିଙ୍କୁ ଭେଟିଲେ। ହେଲେ ନ୍ୟାୟ ପରିବର୍ତ୍ତେ ନିର୍ଯାତନା ମିଳିଲା। ୬ ଦିନ ହେବ ବାରଦୁଆର ହେବା ପରେ ଆଜି ସଂପୃକ୍ତ ମହିଳା ପୁଲିସ କମିସନରଙ୍କୁ ଭେଟିଛନ୍ତି। ପୁଲିସ କମିସନର ସତ୍ୟଜିତ ମହାନ୍ତି ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ପୀଡ଼ିତା। ତେବେ ରାଜଧାନୀରେ କଙ୍ଗାରୁ କୋର୍ଟ ବସିବା ଏବଂ ରାୟ ପ୍ରଦାନ କରିବାକୁ ନେଇ ହଇଚଇ ହୋଇଛି। ମହିଳାଙ୍କ ନାମରେ ୨୦୧୪ ମସିହାରେ ଅଭିଯୋଗ ଥିଲା, ସେଥିପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିଛି ବୋଲି କୁହାଯାଉଛି। ଅପରାଧ ଯାହା ହେଉନା କାହିଁକି, କଙ୍ଗାରୁ କୋର୍ଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ମହିଳାଙ୍କର ଅଭିଯୋଗ କାହିଁକି ରଖିଲା ନାହିଁ? ଯଦି ପୀଡ଼ିତାଙ୍କ ନାମରେ ଅଭିଯୋଗ ଥିଲା, ତାଙ୍କୁ କାହିଁକି ଗିରଫ କଲା ନାହିଁ? ଯଦି କଙ୍ଗାରୁ କୋର୍ଟରେ ବସି ତାଙ୍କୁ ଏହି ଦଣ୍ଡ ଦିଆଯାଇଛି, ତେବେ ପୁଲିସ ନିରବ କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ବିବାଦକୁ ଟାଣିଛି। ଅନ୍ୟପଟେ ଅଭିଯୋଗକୁ ଗୁରୁତ୍ବର ସହ ନେଇ ସମ୍ପୃକ୍ତ ଜୋନ୍ ଏସିପିଙ୍କୁ ତଦନ୍ତ କରିବା ପାଇଁ ଦାୟିତ୍ବ ଦିଆଯାଇଥିବା ପୁଲିସ କମିସନର କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣକ ଚନ୍ଦ୍ରଶେଖରପୁର ମଣ୍ଡପବସ୍ତିରେ ରୁହନ୍ତି। ତାଙ୍କ ଅଭିଯୋଗ ମୁତାବକ, ୨୦୧୪ ମସିହାରେ ଏକ ଗ୍ରୁପ୍ ଲୋନ୍କୁ ନେଇ ବିବାଦ ହୋଇଥିଲା। କିଛି ଦିନ ପରେ ତାହାର ଆପୋସ ସମାଧାନ ହୋଇଥିଲା। ତାହାକୁ ନେଇ ସମ୍ପୃକ୍ତ ବସ୍ତିରେ ରହୁଥିବା ଜଣେ ହେମ୍ଗାର୍ଡ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ। ଏଠାରେ ଘରକୁ ଆଇନତଃ ବିଜୁଳି ସଂଯୋଗ ଦିଆଯାଉନଥିବାରୁ ଟଙ୍କା ଆଦାୟ କରି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଏ। ଲାଞ୍ଚ ଦେବା ପରେ ବେଆଇନ ଭାବରେ ସଂଯୋଗ ଦିଆଯାଇଥାଏ। ପାଖାପାଖି ଶହେ ଜଣ ଲୋକ ଏଭଳି ସଂଯୋଗ ଆଣିଛନ୍ତି। ସେଥିରେ ପୀଡ଼ିତା ଅଛନ୍ତି। ପାନୀୟ ଜଳ ସଂଯୋଗ ମଧ୍ୟ ଅନୁରୂପ ଢଙ୍ଗରେ ମିଳିଥାଏ। ଏଥିପାଇଁ ଆଦାୟ ହେଉଥିବା ଟଙ୍କା ଓ ପୂର୍ବରୁ ଗ୍ରୁପ୍ ଲୋନ୍ରେ ଥିବା ବିବାଦକୁ ନେଇ ହୋମ୍ଗାର୍ଡ ଓ ତାଙ୍କ ସହଯୋଗୀ ପୀଡ଼ିତାଙ୍କ ସହ ଗଣ୍ଡଗୋଳ କରିଥିଲେ। ଗତ ୭ ତାରିଖ ଦିନ ୫ଜଣ ଲୋକ ପୀଡ଼ିତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିଲେ। ପାଣି, ଲାଇନ୍ କାଟି ଦେଇ ଘରୁ ବାହାର କରି ଦେବାକୁ ଧମକ ଦେଇଥିଲେ। ପରେ ଏ ନେଇ ବସ୍ତିରେ କଙ୍ଗାରୁ କୋର୍ଟ ବସିଥିଲା। ଏଥିରେ ବସ୍ତିର କେତେକ ମୁରବି, ସଂପୃକ୍ତ ହୋମଗାର୍ଡ ବସି ରାୟ ଶୁଣାଇଥିଲେ। ରାୟ ଅନୁଯାୟୀ, ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି ବି ଶୁଣି ନ ଥିଲା ବୋଲି ପୀଡ଼ିତାଜଣଙ୍କ କହିଛନ୍ତି। ଥାନାରୁ ହତାଶ ହେବା ପରେ ପୀଡ଼ିତା ନାରୀ ସୁରକ୍ଷା ମଞ୍ଚର ଦ୍ବାରସ୍ଥ ହୋଇଥିଲେ। ମଞ୍ଚର ସାଧାରଣ ସମ୍ପାଦିକା ସ୍ବୟଂପ୍ରଭା ସାହୁ ଉପସଭାନେତ୍ରୀ ସସ୍ମିତା ସାହୁଙ୍କ ସହଯୋଗରେ ସେ ଆଜି ପୁଲିସ କମିସନରଙ୍କୁ ଭେଟିଥିଲେ।